କୋରାପୁଟ : ଅନ୍‌ଲାଇନ୍‌ରେ ଅର୍ଡର ରଖୁଛନ୍ତି ଆଦିବାସୀ ମହିଳା। ଆଉ ଘରକୁ ଘର ଯୋଗାଉଛନ୍ତି ସବୁଜ ତଟକା ପରିବା। ଲୋକେ ଘରେ ବସି ସୁଲଭ ମୂଲ୍ୟରେ ପନିପରିବା ପାଇ ପାରୁଥିଲାବେଳେ ମହିଳାମାନେ ପାଇଛନ୍ତି ରୋଜଗାର। କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳର କିଛି ଆଦିବାସୀ ମହିଳା ଗ୍ରୀନଲାଇନ ନାମରେ ଏକ ମୋବାଇଲ ଆପ ପ୍ରସ୍ତୁତ କରି ଏହି ବ୍ୟବସାୟ କରୁଛନ୍ତି। ଚାଷୀଙ୍କ ପାଖରୁ ସିଧାସଳଖ ସେମାନେ ପରିବା କିଣି ଘରକୁ ଘର ଏହା ଯୋଗାଇ ଦେଉଥିଲାବେଳେ ସୁନାବେଡା, ସେମିଳିଗୁଡା ଅଂଚଳରେ ଏବେ ଏହା ବେଶ ଲୋକପ୍ରିୟ ହୋଇଛି। କରୋନା କଟକଣାକୁ ସୁଯୋଗରେ ପରିଣତ କରିପାରିଥିବା ଏହି ଆଦିବାସୀ ମହିଳାଙ୍କୁ ନେଇ ଏବେ ଉପାନ୍ତ ଅଂଚଳରେ ଆରମ୍ଭ ହୋଇଛି ଚର୍ଚ୍ଚା।

Advertisment

କରୋନା ମହାମାରୀ ସମୟରେ ବିଭିନ୍ନ ଅଂଚଳରେ କଣ୍ଟେନମେଣ୍ଟ ଜୋନ ହେବା ପରେ ଏହି ଅଂଚଳକୁ ପନିପରିବା ଯୋଗାଇବା ପାଇଁ ବିଭିନ୍ନ ଉତ୍ପାଦକ ଗୋଷ୍ଠୀ ଓ ସ୍ବଂୟ ସହାୟକ ଗୋଷ୍ଠୀକୁ ଦାୟିତ୍ବ ଦେଇଥିଲା ଜିଲ୍ଲା ପ୍ରଶାସନ। ଏହି କ୍ରମରେ କୁନ୍ଦୁଲି ଅଂଚଳର ଗେଲାଗୁଡା ଗାଁର ଜୟଦୁର୍ଗା ଅଦା ଉତ୍ପାଦକ ଗୋଷ୍ଠୀ ମଧ୍ୟ କିଛି କଣ୍ଟେନମେଣ୍ଟ ଅଂଚଳରେ ପନିପରିବା ଯୋଗାଇଥିଲେ। ୨୧ ଜଣ ଆଦିବାସୀ ମହିଳାଙ୍କୁ ନେଇ ଗଠିତ ଏହି ଉତ୍ପାଦକ ଗୋଷ୍ଠୀ ନିଜର ଉତ୍ପାଦିତ ପରିବା ସହ ଅନ୍ୟ ଚାଷୀଙ୍କ ପାଖରୁ ପରିବା ସଂଗ୍ରହ କରି ଲୋକଙ୍କୁ ଯୋଗାଇଥିଲେ। ଅସ୍ଥାୟୀ ଷ୍ଟଲ ଖୋଲି ପରିବା ବିକ୍ରି କରିଥିଲେ ମହିଳା। ତେବେ ଏଥିରେ ଦିନ ସାରା ଷ୍ଟଲରେ ବସିବାକୁ ପଡୁଥିଲା। କରୋନା ଭୟରେ ବି ଲୋକମାନେ ବେଶୀ ଘରୁ ବାହାରୁ ନ ଥିଲେ। ତେଣୁ ଏହି ଉତ୍ପାଦକ ଗୋଷ୍ଠୀ ଏକ ଅଭିନବ ପନ୍ଥା ଆପଣେଇଥିଲେ। ସଖା ଫାଉଣ୍ଡେସନ ସହଯୋଗରେ ସେମାନେ ଏକ ମୋବାଇଲ ଆପ ବିକଶିତ କରିଥିଲେ। ଆଉ ଏହାର ନାମ ରଖିଥିଲେ ଗ୍ରୀନ ଲାଇନ।

publive-image sentinelassam.com

କରୋନା ସମୟରେ ଲୋକମାନେ ବଜାରକୁ ଯାଇ ପନିପରିବା କିଣିବାକୁ କୁଣ୍ଠାବୋଧ ପ୍ରକାଶ କରୁଥିଲାବେଳେ ଗ୍ରୀନଲାଇନ ସେମାନଙ୍କ ପାଇଁ ସୁବିଧା ଜନକ ପରିବେଶ ସୃଷ୍ଟି କରିଛି। ଏହି ମୋବାଇଲ ଆପରେ ସେମାନେ ପନିପରିବା ଦେଖିବା ସହ ଦର ବି ଜାଣି ପାରୁଛନ୍ତି। ପରେ ଯାହାର ଯେତିକି ଆବଶ୍ୟକ ସେତିକି ଅର୍ଡର ଦେଉଛନ୍ତି। ଗ୍ରାହକମାନେ ଉଭୟ ଅନଲାଇନ ଓ ଅଫଲାଇନରେ ଏହି ପରିବା ପାଇଁ ଟଙ୍କା ଦେଇପାରିବେ। ଗ୍ରାହକମାନଙ୍କ ପାଖରୁ ଅର୍ଡର ପାଇବା ପରେ ମହିଳା ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ସେମାନଙ୍କ ଠିକଣା ଅନୁସାରେ ଘରକୁ ଘର ପରିବା ଯୋଗାଇ ଦିଆଯାଉଛି। ଘରେ ବସି ତଟକା ପରିବା ପାଉଥିବାରୁ ଲୋକମାନେ ବେଶ ଖୁସି। ବିଶେଷକରି କର୍ମଜୀବୀ ଲୋକମାନେ ଏହାର ବେଶ ଫାଇଦା ନେଉଛନ୍ତି। ତେଣୁ ସୁନାବେଡା, ଦାମନଯୋଡି, ସେମିଳିଗୁଡା ଓ କୋରାପୁଟରେ ଏହା ବେଶ ଲୋକପ୍ରିୟ ହୋଇପାରିଛି। ଗ୍ରାହକଙ୍କ କହିବାନୁଯାୟୀ, ସହଜରେ ଓ ସୁବିଧାରେ ଘରେ ପରିବା ମିଳି ପାରୁଛି। ପନିପରିବାର ମାନ ଭଲ ରହିଥିଲାବେଳେ ଦର ମଧ୍ୟ ପକେଟକୁ ସୁହାଉଛି। ତେଣୁ ସେ ଆଉ ବଜାର ନ ଯାଇ ଘରେ ପରିବା ପାଇଁ ଅର୍ଡର ଦେଉଛନ୍ତି।

ଜୟଦୁର୍ଗା ଅଦା ଉତ୍ପାଦକ ଗୋଷ୍ଠୀରେ ୨୧ ଜଣ ଆଦିବାସୀ ମହିଳା ସଦସ୍ୟ ରହିଥିଲାବେଳେ ଏମାନଙ୍କ ଭିତରୁ ସମସ୍ତେ ଚାଷୀ। ସେମାନେ ଚାଷ କରୁଥିବା ପନିପରିବା ଏହି ଗ୍ରୀନଲାଇନ ଆପ ମାଧ୍ୟମରେ ବିକୁଛନ୍ତି। ଯେଉଁ ପରିବା ଚାଷ କରୁନାହାନ୍ତି, ତାହା ବାହାରୁ କିଣି ଲୋକଙ୍କୁ ଯୋଗାଇ ଦେଉଛନ୍ତି। ଆଉ କିଛି ପରିବା ଚାଷୀଙ୍କ ପାଖରୁ ସିଧାସଳଖ କିଣୁଛନ୍ତି। ଏଥିପାଇଁ ଚାଷୀମାନଙ୍କ ସହ ଆଗୁଆ କଥା ହୋଇ ସାରିଛନ୍ତି। ସବୁ ପନିପରିବା ଏହି ଆପ୍ ମାଧ୍ୟମରେ ଦିଆଯାଉଥିଲାବେଳେ କେବଳ ମଙ୍ଗଳବାର ଓ ଶୁକ୍ରବାର ଏହା ଗ୍ରାହକଙ୍କୁ ଦିଆଯାଉଛି। ତେବେ ଗ୍ରାହକମାନେ ସେମାନଙ୍କ ମନ ମୁତାବକ ଅର୍ଡର ଦେଇ ପାରିବେ। ଏବେ ଏହି ଗୋଷ୍ଠୀ ପାଖାପାଖି ୨ଶହ ପରିବାରକୁ ଏମିତି ଅନଲାଇନ ପରିବା ଯୋଗାଉଛନ୍ତି। ଏହି ଉତ୍ପାଦକ ଗୋଷ୍ଠୀର ସଭାପତି ସାବି ଚପାଡି ଓ ସଂପାଦିକା ସଦାମଣି ପାନିଆ କହିଛନ୍ତି ଯେ, ଅନଲାଇନ ମାଧ୍ୟମରେ ପରିବା କିଣିବା ପାଇଁ ଦିନକୁ ଦିନ ଗ୍ରାହକଙ୍କ ଆଗ୍ରହ ବଢୁଛି। ସେମାନଙ୍କୁ ଆମେ ଭଲ ପରିବାର ଯୋଗାଇବା ପାଇଁ ଲକ୍ଷ୍ୟ ରଖୁଛୁ। ଅନଲାଇନ ମାଧ୍ୟମରେ ଏହା ଦେବା ଦ୍ବାରା ସମୟ ବଂଚିବା ସହ କିଣାବିକା ସହଜ ହୋଇପାରିଛି ବୋଲି କହିଛନ୍ତି। ସଖା ଫାଉଣ୍ଡେଶନର ନିର୍ଦେଶିକା ଜୟନ୍ତୀ ପଦ୍ମନ କହିଛନ୍ତି ଯେ, କରୋନା କଟକଣା ପରେ ଆଦିବାସୀ ମହିଳାମାନେ ପନିପରିବା ଯୋଗାଉଥିଲେ। କିନ୍ତୁ ଏଥିରେ ଅଧିକ ସମୟ ନଷ୍ଟ ହେବା ସହ କରୋନା ସଂକ୍ରମଣର ଭୟ ଥିଲା। ତେଣୁ ସେମାନଙ୍କ ପାଇଁ ଗ୍ରୀନଲାଇନ ନାମରେ ଏକ ଆପ ତିଆରି କରାଯାଇଛି। ଏଥିରେ ଗ୍ରାହକମାନେ ଯୋଡି ହେବା ପରେ ମହିଳାମାନେ ଏବେ ଘରେ ଘରେ ପନିପରିବା ଯୋଗାଇ ପାରୁଛନ୍ତି। ଆଧୁନିକ ଜ୍ଞାନ କୌଶଳକୁ ବ୍ୟବହାର କରି ମହିଳା ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ଏହା ବେଶ ସହାୟକ ହୋଇପାରୁଛି ବୋଲି ସେ କହିଛନ୍ତି।