କୋରାପୁଟ-ବିଶାଖାପାଟଣା ରେଳ ଯୋଗାଯୋଗ ପୁନଃସ୍ଥାପିତ

ଚନ୍ଦ୍ରଶେଖରପୁର: ଚଳିତବର୍ଷ ଅକ୍ଟୋବର ୬ ତାରିଖରେ ପ୍ରବଳ ବର୍ଷା ଫଳରେ ଏକ ପଥର ଖଣ୍ଡ କୋରାପୁଟ ଠାରୁ ୧୨୦ କିମି ଦୂର ଏକ ରେଳ ପୋଲରେ ପିଟିହୋଇ ଭାଙ୍ଗି ଦେଇଥିଲା। ଫଳରେ ଏହି ପଥରେ ରେଳ ଚଳାଚଳ ବ୍ୟାହତ ହୋଇଥିଲା। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥର ଓ ଓ୍ଵାଲଟିୟର ରେଳ ମଣ୍ଡଳର ବିଶେଷଜ୍ଞ ଯନ୍ତ୍ରୀମାନେ ରେଳମଣ୍ଡଳ ରେଳ ପ୍ରବନ୍ଧକଙ୍କ ସହ ଆଲୋଚନା କରି ପୋଲଟିର ମରାମତି କାର୍ଯ୍ୟକୁ ୫୮ଦିନରେ ଶେଷ କରିଥିଲେ। ପୋଲ ନିର୍ମାଣ କ୍ଷେତ୍ରରେ ଏହା ଏକ ରେକର୍ଡ଼ ସୃଷ୍ଟି କରିଥିବା ପ୍ରକାଶ।

ଏହି ପୋଲ ନିର୍ମାଣରେ ଗୋଟିଏ ୩୪ ଟନର ପଥର ଭଙ୍ଗା ମେସିନ୍‌ ସହିତ ୩୦୦ ଟନ୍‌ କ୍ଷମତା ବିଶିଷ୍ଟ ଉତଖନନକାରୀ ମେସିନ୍‌, ୨୦୦ଟନ୍‌ ଓ ୭୫ଟନ୍‌ କ୍ଷମତା ବିଶିଷ୍ଟ ଖନନକାରୀ ମେସିନ୍‌ ମଧ୍ୟ ବ୍ୟବହାର କରାଯାଇଥିଲା। ୪୦୦ ଶ୍ରମିକ ସହଯୋଗ କରିଥିଲେ। ଏହି ପୋଲରେ ଅକ୍ଟୋବର ୧୩ ତାରିଖ ଠାରୁ ରେଳ ଚଳାଚଳ ସ୍ୱାଭାବିକ ଭାବେ ହୋଇଥିବା ପ୍ରକାଶ। ଏହି ନିର୍ମାଣ କାର୍ଯ୍ୟରେ ରେଳ କର୍ମଚାରୀ ଓ ଯନ୍ତ୍ରୀମାନେ ଦିନରାତି କାର୍ଯ୍ୟକରିଥିବାରୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଉମେଶ ସିଂହ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବଘାଟ ପର୍ବତମାଳା ଦେଇ ବିଶାଖାପାଟଣା ସହିତ କୋରାପୁଟ ଏବଂ ବସ୍ତରର କେରାନ୍ଦୁଲ୍‌କୁ ଏହା ସଂଯୋଗ କରୁଛି।

ସମ୍ବନ୍ଧିତ ଖବର