କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ଯେଉଁଭଳି ଭାବେ ବିକାଶ ଘଟୁଛି, ଭବିଷ୍ୟତରେ ଏହି ଅଂଚଳ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ବୋଲି ଆଜି କୋରାପୁଟ ଜିଲ୍ଲା ଗସ୍ତ ରେ ଆସିଥିବା ମୂଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମତ ରଖିଛନ୍ତି । ଜୟପୁର ବିମାନ ବନ୍ଦରର ବିସ୍ତାର ପାଇଁ ଆବଶ୍ୟକୀୟ ପରିମାଣର ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଛି ଓ ଅତି ଶୀଘ୍ର ଦ୍ଵିତୀୟ ବିମାନ ଚଳାଚଳ ପାଇଁ ବିମାନ ଚଲାଉଥିବା କମ୍ପାନି ସହମତି ପ୍ରକାଶ କରିଥିବା ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ସମସ୍ତ କାର୍ଯ୍ୟ ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ସମାପ୍ତ ହେବ ବୋଲି ସେ ଜଣାଇଛନ୍ତି। କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ଵରର ସର୍ବାଙ୍ଗୀନ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଥିବା ବେଳେ ସେଠାକୁ ଯାଇ ରାସ୍ତା, ଜଳ ଯୋଗାଣ, ପାହାଚ ନିର୍ମାଣ ପ୍ରଭୃତିର ତଦାରଖ କରିଥିଲେ। କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ଅପର କୋଲାବରେ ଜଳଭଣ୍ଡାରକୁ ନେଇ ପର୍ଯ୍ୟଟନର ସ୍ୱତନ୍ତ୍ର ଯୋଜନା କରାଯାଇଛି। ଜଳାଶୟରେ ଜେଟି ସହ ମଟର ୭ଳିତ ନୌକା ବିହାରର ସୁବିଧା ସୃଷ୍ଟି କରାଯାଉଥିବା ସେ ଜଣାଇଛନ୍ତି।
କୋରାପୁଟ ଦେଇ ଯିବାକୁ ଥିବା ବାଇ ପାସ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଯାଇଛି ଓ ସ୍ଵଳ୍ପଦିନରେ ତାର କାର୍ଯ୍ୟ ଆରମ୍ଭ ହୋଇଯିବ। ରାୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଯାଉଥିବା ଭାରତମାଳା ସଡକର କାର୍ଯ୍ୟ ମଧ୍ୟ ଦ୍ରୁତଗତିରେ ଚାଲିଛି ଓ ଏହି ସଡକ କୋରାପୁଟ ଜିଲ୍ଲାର ପର୍ଯ୍ୟଟନର ବିକାଶ ଦିଗରେ ଅଭୂତପୂର୍ବ ଯୋଗଦାନ କରିବ। ଅପରପକ୍ଷରେ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ଦେଓମାଳିରେ ବନ ବିଭାଗ ଦ୍ଵାରା କଟେଜ ନିର୍ମାଣ କରିବା ସହ କୋଟିଆରେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଉଛି। କୋଟିଆର ଝାଡୁ ସମଗ୍ର ପଂଚାୟତରେ ଚାଷ କରିବା ସହ ଷ୍ଟ୍ରବେରୀ ଚାଷକୁ ମଧ୍ୟ ବ୍ୟାପକ କରାଯିବ ବୋଲି ଶ୍ରୀ ମହାପାତ୍ର ଜଣାଇଛନ୍ତି ।