କୋରେଇ ବିଜେଡିରେ ଅ-ଆ ମଝିରେ ଲ-ବ ରାଜନୀତି?

ଯାଜପୁର,(ସଂଗ୍ରାମ କେଶରୀ ସିଂହ): ଯାଜପୁର ଜିଲ୍ଲାର ରାଜନୀତି ଉପରେ କେବଳ ଜିଲ୍ଲାବାସୀ କାହିଁକି ସମଗ୍ର ରାଜ୍ୟବାସୀଙ୍କ ନଜର। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜିଲ୍ଲାର ମୋଟ ୭ଟି ବିଧାନସଭା ଆସନରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ଯୋଗୁଁ ରାଜନୀତି ପାଣି ସେତିକି ଗୋଳିଆ ହେବାରେ ଲାଗିଛି।

କୋରେଇ ବିଧାୟକ ଅଶୋକ ବଳ ଓ ପୂର୍ବତନ ବିଧାୟକ ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କୁ ନେଇ ଅ-ଆ ରାଜନୀତି କିଛିଦିନ ହେଲା ବେଶ୍ ଆଲୋଡ଼ନ ସୃଷ୍ଟି କରିଛି। ଏଥିମଧ୍ୟରେ ରାଜ୍ୟରେ ଚର୍ଚ୍ଚିତ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଓ ତାଙ୍କ ଭାଇ ଭବପ୍ରକାଶ ଦାସ(ଲଲ)ଙ୍କର କୋରେଇ ନିର୍ବାଚନମଣ୍ଡଳୀରେ ପ୍ରଭାବକୁ ଲକ୍ଷ୍ୟ କରି ଲ-ବି(ଲଲ-ବବି)କୁ ନେଇ କୋରେଇ ରାଜନୀତି ପାଣିପାଗ ସରଗରମ ହୋଇଉଠିଛି। ଯାହାକୁ ଲକ୍ଷ୍ୟ କରି କୁହାଯାଉଛି କୋରେଇର ଅ-ଆ ରାଜନୀତିରେ ଲ-ବି।

ପ୍ରକାଶଥାଉକି ଗତ ୩ଟି ନିର୍ବାଚନ (୨୦୦୯, ୨୦୧୪, ୨୦୧୯)ରେ ବିଜେଡି ପ୍ରାର୍ଥୀ ଅଦଳବଦଳ ପରେ ବି ଦଳ ସଫଳତା ହାସଲ କରିଛି। ପ୍ରାର୍ଥୀ ପରିବର୍ତ୍ତନ ସତ୍ତ୍ବେ ଦଳରେ ବିଦ୍ରୋହ ସେପରି ଦେଖା ଦେଇ ନଥିଲା। ଫଳରେ ୨୦୦୯ ନିର୍ବାଚନରେ ପ୍ରୀତିରଞ୍ଜନ ଘଡାଇ(ଡାନି) ୬୧, ୪୪୮ (୫୬.୯୮%) ଭୋଟ ପାଇ ଜିତି ଥିବା ବେଳେ ୨୦୧୪ରେ ଆକାଶ ଦାସନାୟକ ୭୩,୯୬୬(୫୫.୭୫%) ଓ ୨୦୧୯ରେ ଅଶୋକ ବଳ ୭୩, ୪୦୩(୪୯.୬%) ଭୋଟ ପାଇ ବିଜେଡିରୁ ବିଜୟ ହୋଇଥିଲେ। ଏହି ପରିସଂଖ୍ୟନ ଅନୁଯାୟୀ ଭୋଟ ସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟ କଲେ ଡାନିଙ୍କ ଅପେକ୍ଷା ଆକାଶ ପ୍ରାୟ ୧୨,୫୦୦ ଭୋଟ ଅଧିକ ପାଇଛନ୍ତି। ୨୦୧୪ ରୁ ୨୦୧୯ ମଧ୍ୟରେ ନିର୍ବାଚନମଣ୍ଡଳୀରେ ୧୫ହଜାର ଭୋଟ ସଂଖ୍ୟା ବୃଦ୍ଧି ସତ୍ତ୍ବେ ଆକାଶଙ୍କ ଠାରୁ ଅଶୋକ କମ୍ ଭୋଟ ପାଇଛନ୍ତି। ଏପରିକି ୨୦୧୪ରେ ବିଜେଡିର ଯୁବନେତା ପ୍ରତାପ ମହାନ୍ତି ବିଦ୍ରୋହୀ ପ୍ରାର୍ଥୀ ହେବାସତ୍ତ୍ବେ ଆକାଶ ରେକର୍ଡ ସଂଖ୍ୟା ଭୋଟରେ ବିଜୟ ହୋଇଥିଲେ। ଏବେ ବିଜେଡିରେ ଚାରି ଚାରି ଜଣ ପ୍ରାର୍ଥୀଙ୍କୁ ନେଇ କୋରେଇବାସୀ ଚିନ୍ତାରେ।

ବିଧାୟକ ଅଶୋକ ବଳ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଆକାଶ ଦାସନାୟକ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମକୁ ଛାଡୁନାହାନ୍ତି। ନିର୍ବାଚନ ପ୍ରଚାର ଭଳି ରାତିଦିନ ଏକ କରି ଦେଇଛନ୍ତି। ସୋ‌ସିଆଲ ମିଡିଆରେ ଆକାଶଙ୍କ କାର୍ଯ୍ୟକ୍ରମ ସବୁଠାରୁ ଅଧିକ ଦେଖିବାକୁ ମିଳୁଛି। ଏପରିକି ଯେକୌଣସି ସ୍ଥିତିରେ ଏଥର ଆକାଶ ଏଥର ପ୍ରାର୍ଥୀ ହେବେ ବୋଲି ତାଙ୍କ ସମର୍ଥକମାନେ ଏବେଠାରୁ କହିବା ଆରମ୍ଭ କରିଦେଲେଣି। ଏହାକୁ ଲକ୍ଷ୍ୟ କରି ଅଶୋକଙ୍କ ବିରୋଧୀମାନେ ସକ୍ରିୟ ହୋଇ ଉଠିଛନ୍ତି। ବ୍ୟାସନଗର ପୌରଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ବିଧାୟକ ଶ୍ରୀ ବଳଙ୍କ ମଧ୍ୟରେ ଲାଗି ରହିଥିବା ବିବାଦରେ ଘିଅ ଢାଳିବା ଆରମ୍ଭ ହୋଇଛି। ଏପରିକି ବିଧାୟକ ପାଣ୍ଠି ବଣ୍ଟନରେ ପାତରଅନ୍ତର ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

ଅନ୍ୟପଟେ ୨୦୦୪ ପର୍ଯ୍ୟନ୍ତ କୋରେଇ ରାଜନୀତିକୁ ନିୟନ୍ତ୍ରଣ କରିଥିବା ବରିଷ୍ଠ ରାଜନେତା ଅଶୋକ ଦାସ ପାଞ୍ଚ ପାଞ୍ଚ ଥର ବିଧାୟକ ହୋଇ ରାଜ୍ୟରେ ନିଜର ସତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କୋରେଇ ସହିତ ସ୍ବର୍ଗତ ଅଶୋକ ଦାସଙ୍କ ପରିବାର ଘନିଷ୍ଠତା ବହୁ ପୁରୁଣା। ସେହି ଦୃଷ୍ଟିରୁ କୋରେଇ ଆକର୍ଷଣକୁ ମଧ୍ୟ ସ୍ବର୍ଗତ ଦାସଙ୍କ ପୁତ୍ର ବିଜେଡି ରାଜ୍ୟ ସଂଗଠକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଭୁଲି ପାରିନାହାନ୍ତି। ଆକାଶ ଓ ଅଶୋକ ବିଧାୟକ ହେବାରେ ବବିଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଏବେ କୋରେଇରୁ ବବି ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଚର୍ଚ୍ଚା ହେଲାଣି। ଏଥି ପୂର୍ବରୁ ବବିଙ୍କ ଭାଇ ଲଲଙ୍କ ନାମ ମଧ୍ୟ ବେଶ ଚର୍ଚ୍ଚା ହେଉଥିଲା। ଏପରିକି ବିଭିନ୍ନ ସରକାରୀ କାର୍ଯ୍ୟ ଓ ଦଳୀୟ ସମୀକ୍ଷା ସହିତ ଲୋକମାନଙ୍କର ସୁବିଧା ଅସୁବିଧା ବୁଝିବା କ୍ଷେତ୍ରରେ ଲଲ ବେଶ୍‌ କୋରେଇରେ ତତ୍ପରତା ପ୍ରକାଶ କରୁଥିବାର ଦେଖିବାକୁ ମିଳୁଛି। ଯାଜପୁର ଭଳି ସୁରକ୍ଷିତ ଆସନ ଛାଡ଼ି ବବି କଣ କୋରେଇକୁ ଆସିବେ? ନା ବିଜେଡି ଦୁଇଟି ଆସନ ବବିଙ୍କ ପରିବାରକୁ ଦେବ? ତାକୁ ନେଇ କେତେକ ଦ୍ବନ୍ଦ୍ବରେ ଅଛନ୍ତି। ମାତ୍ର ଯାଜପୁରର ବିକାଶକୁ ଦେଖି କୋରେଇ ବିକାଶର ସ୍ବପ୍ନ ଦେଖୁଥିବା ଆଶାବାଦୀ ମଧ୍ୟ ବବିଙ୍କୁ ଏବେଠୁ ସ୍ବାଗତ କରିବା ଆରମ୍ଭ କରିଦେଲେଣି।

ସମ୍ବନ୍ଧିତ ଖବର