କୋରେଇ: ଗତକାଲି ଅପରାହ୍ଣରୁ ଆଜି ରାତି ପର୍ଯ୍ୟନ୍ତ କୋରେଇ ବ୍ଲକ୍ର ଅଧା ଅଞ୍ଚଳ ଅନ୍ଧାରରେ ରହିଛି। କୋରେଇ ବ୍ଲକ୍ର ଶାଳକଣା ବିଦ୍ୟୁତ୍ ସବ୍ଷ୍ଟେସନ ଅଧୀନରେ ଥିବା ୬ଟି ପଞ୍ଚାୟତର ପ୍ରାୟ ୩୦ଟି ଗାଁ ୨୪ ଘଣ୍ଟା ହେଲା ଅନ୍ଧାରରେ ରହିଛି ବୋଲି ଅଭିଯୋଗ ହୋଇଛି। ପ୍ରକାଶ ଯେ, ଗତକାଲି ଅପରାହ୍ଣରେ ପଶ୍ଚିମା ଝଡ଼ ପବନ ଆରମ୍ଭ ହେବା ପୂର୍ବରୁ ସମ୍ପୃକ୍ତ ଅଞ୍ଚଳ କେତେକ ଗାଁରେ ବିଦ୍ୟୁତ୍ ସେବା ବନ୍ଦ ହୋଇଯାଇଥିଲା। ଶାଳକଣା ସବ୍ଷ୍ଟେସନ ଅଧୀନ ସାଦକପୁର, ଫାଜଲପୁର, ବ୍ରାହ୍ମଣଦା, ବାରଦା, ହଳଦିଗଡ଼ିଆ, ଆଲଡ଼ା ଜଳସରପୁର, ରଣସରପୁର, ମୃତ୍ୟୁଞ୍ଜୟପୁର, ବଟିରା, ବେଗନା ଇତ୍ୟାଦି ପ୍ରାୟ ୩୦ ଖଣ୍ଟ ଗାଁ ଅନ୍ଧାରରେ ରହିଛନ୍ତି। ୨୪ ଘଣ୍ଟା ଧରି ବିଦ୍ୟୁତ୍ ସେବା ବନ୍ଦ ହୋଇଯାଇଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅସୁବିଧା ସମ୍ପର୍କରେ ଯୋଗାଯୋଗ କଲେ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି କର୍ମଚାରୀ କିମ୍ବା ଅଧିକାରୀ କିଛି ବି ସୂଚନା ଦେଉନାହାନ୍ତି। ଅନ୍ୟପକ୍ଷରେ କୋରେଇ ସେକ୍ସନର କନିଷ୍ଠ ଯନ୍ତ୍ରୀ କିମ୍ବା ଯାଜପୁରରୋଡ ସହକାରୀ ଯନ୍ତ୍ରୀ ଫୋନ୍ ଉଠାଉ ନଥିବା ଅଧିକାଂଶ ଉପଭୋକ୍ତା ଅଭିଯୋଗ କରୁଛନ୍ତି। ପ୍ରକାଶ ଯେ, ଗତକାଲିର ସାମାନ୍ୟ ଝଡ଼ପବନରେ କାଁଭାଁ ବିଦ୍ୟୁତ୍ ଖୁଣ୍ଟ, ତାର କ୍ଷତିଗ୍ରସ୍ତ ହୋଇଥିଲା। ବିଭାଗୀୟ କର୍ତ୍ତୃପକ୍ଷ ସେଥିପ୍ରତି ଧାନ ନଦେଇ ଆଜିସଂଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବନ୍ଦ କରିଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟୁତ୍ କର୍ମଚାରୀ ପବନରେ କ୍ଷତିଗ୍ରସ୍ତ ଯନ୍ତ୍ରର ମରାମତି ନକରି ରାତି ପର୍ଯ୍ୟନ୍ତ ବକେୟା ବିଲ୍ ଆଦାୟରେ ମାତିଥିବା ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି।
କେତେକ କର୍ମଚାରୀ ଷ୍ଟ୍ରକଚର୍ରୁ ଲାଇନ୍ ଖରାପ ଥିବା କହି ଉପଭୋକ୍ତାଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି। ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାରୁ ମରାମତି ଚାଲିଛି ବୋଲି କହି ଏଡ଼ାଇ ଯାଇଥିଲେ। କୋରେଇ ଅଞ୍ଚଳରେ ଲାଗି ରହିଥିବା ବିଦ୍ୟୁତ୍ ସମସ୍ୟାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନଦେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଉପଭୋକ୍ତାମାନେ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/26-21.jpg)