ଭୁବନେଶ୍ୱର: ରାଜ୍ୟକୁ ଫେରିଛି ଶୀତ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ବଢ଼ିଛି। ଆଜି ରାଜ୍ୟର ୧୯ଟି ସହରର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ସୁନ୍ଦରଗଡ ଜିଲ୍ଲାର କିରେଇଠାରେ ରେକର୍ଡ ହୋଇଛି। ଏଠାକାର ତାପମାତ୍ରା ୯.୫ ଡିଗ୍ରି ଥିଲା।

Advertisment

ଏହାଛଡ଼ା ଜି.ଉଦୟଗିରି(କନ୍ଧମାଳ)ରେ ତାପମାତ୍ରା ୧୦ ଡିଗ୍ରି , ଦାରିଙ୍ଗବାଡି(କନ୍ଧମାଳ)ରେ ୧୦.୫ ଡିଗ୍ରି , ଫୁଲବାଣୀ(କନ୍ଧମାଳ)ରେ ୧୦.୫ ଡିଗ୍ରି , ଚିପିଲିମା (ସମ୍ବଲପୁର)ରେ ୧୦.୮ ଡିଗ୍ରି ଓ ସେମିଳିଗୁଡା(କୋରାପୁଟ)ରେ ୧୦.୯ ଡିଗ୍ରି ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଣେ ଟ୍ୱିନସିଟି ଭୁବନେଶ୍ୱରରେ ୧୪.୫ ଡିଗ୍ରି ଓ କଟକରେ ୧୫ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିଲା।

ରାଜ୍ୟରେ ଏବେ ପାଗ ଶୁଖିଲା ଓ ଖରାଟିଆ ରହିଛି। ଗତ ୩ ଦିନ ହେଲା ଶୀତ ପ୍ରଭାବ ମଧ୍ୟ କମ୍‌ ରହିଥିଲା। ହେଲେ ଆଜିଠାରୁ ତାପମାତ୍ରା କମିଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ରାତି ତାପମାତ୍ରା ୩ରୁ ୫ ଡିଗ୍ରି ଯାଏ ତଳକୁ ଖସିବାର ସମ୍ଭାବନା ରହିଛି। ଫଳରେ ଶୀତର ପ୍ରକୋପ ବଢ଼ିବ। ଅନ୍ୟପଟେ ରାଜ୍ୟର ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, ଗଞ୍ଜାମ, ବଲାଙ୍ଗୀର, କନ୍ଧମାଳ, ଗଜପତି ଓ କଳାହାଣ୍ଡି ଆଦି ଜିଲ୍ଲାରେ ଆଜି ସକାଳେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା।

ସେହିପରି ଆସନ୍ତାକାଲି ସକାଳେ ମଧ୍ୟ ଗଞ୍ଜାମ, ବଲାଙ୍ଗୀର, କନ୍ଧମାଳ, ଗଜପତି ଓ କଳାହାଣ୍ଡି ଆଦି ଜିଲ୍ଲାରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା। ଏଥିସହ ଆସନ୍ତାକାଲି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ନିର୍ମଳ ରହିବ, ଦିନରେ ପାଗ ସମ୍ପୂର୍ଣ୍ଣ ଖରାଟିଆ ରହିବ ବୋଲି ସୂଚନା ମିଳିଥିଲା।