ଅଢେଇ ବର୍ଷ ପରେ ହେଲା କୋରେଇ ପଞ୍ଚାୟତ ସମିତି ବୈଠକ

ଫାଟକରେ ତାଲା ପକାଇଲେ ବିଡିଓ, ଖୋଲିଲେ ସହକାରୀ ଜିଲ୍ଲାପାଳ

କୋରେଇ : ଦୀର୍ଘ ଅଢେଇ ବର୍ଷ ପରେ ଆଜି ଅନୁଷ୍ଠିତ ହୋଇଛି କୋରେଇ ପଞ୍ଚାୟତ ସମିତି ବୈଠକ। ବ୍ଲକ୍ ଅଧ୍ୟକ୍ଷା ମାଳତୀ ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପ୍ରବଳ ହୋହଲ୍ଲା ଏବଂ ହଟ୍ଟଗୋଳ ମଧ୍ୟରେ ଶେଷ ହୋଇଛି। ମୁଖ୍ୟତଃ ଦୁର୍ନୀତିକୁ ନେଇ ପିଆରଆଇ ମେମ୍ବରଙ୍କ ପ୍ରଶ୍ନବାଣରେ ପ୍ରଶାସନ ଘାଇଲା ହୋଇଥିଲା।

ବୈଠକ ଆରମ୍ଭ ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବାକୁ ବ୍ଲକ୍ ପ୍ରଶାସନ ଭୁଲିଯାଇଥିବାକୁ ନେଇ ହଟ୍ଟଗୋଳ ହୋଇଥିଲା। ଏହି ବୈଠକକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଡିଓ ସ୍ବାତୀ ସ୍ନିଗ୍ଧା ବାରଣ କରିଥିବା ବେଳେ ମୁଖ୍ୟ ଫାଟକରେ ତାଲା ପକାଇ ଦିଆଯାଇଥିଲା। ବ୍ଲକ୍‌ ପରିସରରେ ୨ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଥିଲା। ସାଧାରଣ ଲୋକ ବ୍ଲକ୍‌ କାର୍ଯ୍ୟାଳୟକୁ ଯାଇନପାରିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂଚନା ପାଇବା ପରେ ପହଞ୍ଚିଥିଲେ ସହକାରୀ ଜିଲ୍ଲାପାଳ ସଚିନ୍ ପାୱାର। ସେ ବିଡିଓଙ୍କ ଏଭଳି ଆଭିମୁଖ୍ୟ ନେଇ ବିଗିଡ଼ିବା ସହ ତୁରନ୍ତ ମୁଖ୍ୟ ଫାଟକ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟାଳୟ ଫାଟକ ବନ୍ଦ ଥିବାରୁ ଆଜି ରାସନ କାର୍ଡ ଏବଂ ଆବାସ ପାଇଁ ଗୁହାରି କରିବାକୁ ଆସିଥିବା ସାଦକପୁର ଏବଂ ଗୋଳେଇପୁର ପଞ୍ଚାୟତର ଅନେକ ଲୋକ ନିରାଶ ହୋଇଥିଲେ।

ବୈଠକ ଆରମ୍ଭରେ ପଞ୍ଚାୟତ ସମିତିର ବିନା ଅନୁମୋଦନରେ କିପରି କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା ବୋଲି ସମିତିସଭ୍ୟମାନେ ପ୍ରଶ୍ନ ଉଠାଇ ବିଡିଓଙ୍କୁ ଘେରିଥିଲେ। ବ୍ଲକ୍ ଅଧ୍ୟକ୍ଷା ମାଳତୀ ଟୁଡୁଙ୍କୁ ବିଶ୍ବାସକୁ ନନେଇ ବିଡିଓ ବହୁ କାର୍ଯ୍ୟ ମନମୁଖୀଭାବେ କରୁଥିବା ସହ ପିଏସ୍‌ ସଭ୍ୟଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ସମିତିସଭ୍ୟମାନେ ଅଭିଯୋଗ ଉଠାଇଥିଲେ। ୨୦୧୧ ଜନଗଣନା ଅନୁସାରେ ହୋଇଥିବା ଏସ୍‌ଇସିସି ତାଲିକା ପ୍ରକାରେ ଆବାସ ହିତାଧିକାରୀ ଚିହ୍ନଟ କରିବାକୁ ସରକାରୀ ନିୟମ ଥିବାବେଳେ ଏହାକୁ ଅମାନ୍ୟ କରି ବହୁ ଅଯୋଗ୍ୟ ଲୋକଙ୍କୁ ଆବାସ ଘର ପ୍ରଦାନ କରାଯାଇଥିବା ଅଭିଯୋଗ ଉଠିଥିଲା। କରୋନା ପାଇଁ ପ୍ରବାସୀମାନଙ୍କୁ ମନରେଗା ଯୋଜନାରେ କାମ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୌଣସି ପ୍ରବାସୀଙ୍କୁ କାମ ନଦେଇ କୋରେଇ ବ୍ଲକ୍‌ରେ ମନରେଗାରେ ୪ କୋଟି ଖର୍ଚ୍ଚ ହୋଇଛି। ଏହା କିପରି ସମ୍ଭବ ହେଲା ବୋଲି ସଭ୍ୟମାନେ ପ୍ରଶ୍ନ ଉଠାଇଥିଲେ। ବଡବିରୁହାଁ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମେତ ଏକ ରାଜସ୍ବ ନିରୀକ୍ଷକଙ୍କ ଉପକେନ୍ଦ୍ର ଖୋଲିବା, ଗୋଳେଇପୁର ରାହାସ ପୋଖରୀର ପୁନଃରୁଦ୍ଧାର କରିବା, ଖରସ୍ରୋତା ନଦୀର ଉପକଣ୍ଠରେ ବସବାସ କରୁଥିବା ଗ୍ରାମବାସୀଙ୍କୁ ନଦୀବଢୀରୁ ରକ୍ଷା ପାଇଁ ବଡତ୍ରିଲୋଚନପୁର ଠାରୁ ସାହାପୁର ବ୍ରିଜ ପର୍ଯ୍ୟନ୍ତ ଏକ ଆଡ଼ିବନ୍ଧ ନିର୍ମାଣ କରିବା, ଖମଣ ପଞ୍ଚାୟତା ଶଙ୍ଖଚିଲା ଠାରେ ଏକ ଜାତୀୟକରଣ ବ୍ୟାଙ୍କ ସ୍ଥାପନ ପାଇଁ ଦାବି ହୋଇଥିଲା।କୋରେଇ ବ୍ଲକ୍ କାର୍ଯ୍ୟାଳୟର ସମସ୍ତ ନଥିପତ୍ରରେ ‘କୋରାଇ’ ବଦଳରେ ‘କୋରେଇ’ ଲେଖିବାକୁ ଜିଲ୍ଲାପାଳଙ୍କୁ ଏକ ସଂକଳ୍ପନାମା ପ୍ରଦାନ କରିବାକୁ ବଡ଼ବିରୁହାଁ ସମିତିସଭ୍ୟ ପ୍ରମୋଦ କୁମାର ସାହୁ ଦାବି କରିଥିଲେ। ଏହି ବୈଠକକୁ ଯାଜପୁର ସାଂସଦ, କୋରେଇ ବିଧାୟକ ଅଶୋକ ବଳଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିମନ୍ତ୍ରଣ ହୋଇଥିଲେ ମଧ୍ୟ ଅନୁପସ୍ଥିତ ଥିଲେ। କୋରେଇ ବ୍ଲକ୍ ଅଧ୍ୟକ୍ଷା ମାଳତୀ ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ଆରମ୍ଭରେ ଜିପିଓ ସାଗରୀକା ମହାପାତ୍ର ବିବରଣୀ ପାଠ କରିଥିବା ବେଳେ ଉପାଧ୍ୟକ୍ଷ ଅନିଲ ମହାପାତ୍ର ସଭା ପରିଚାଳନା କରିଥିଲେ। ବ୍ଲକ୍‌ର ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ଏବିଡିଓ ଜ୍ଞାନଦା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର