କୋଷାଗୁମୁଡ଼ା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ପୋଷ୍ଟମାର୍ଟମ ରିପୋର୍ଟ ନେଇ ପରିବାର ଅସନ୍ତୁଷ୍ଟ; ରିପୋର୍ଟ ଠିକ୍ ନାହିଁ ବୋଲି କହିଲେ

ନବରଙ୍ଗପୁର: କୋଷ‌ାଗୁମୁଡ଼ାରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ପୋଷ୍ଟମାର୍ଟମ ରିପୋର୍ଟ ଆସିବା ପରେ ତାହାକୁ ନେଇ ବିବାଦ ଦେଖା ଦେଇଛି। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। କିନ୍ତୁ ପୋଷ୍ଟମାର୍ଟମ ରିପୋର୍ଟରେ କୁହାଯାଇଛି କି, ନାବାଳିକାଙ୍କୁ କେବଳ ତଣ୍ଟିଚିିପି ହତ୍ୟା କରାଯାଇଛି, ତାଙ୍କ ସହ ଦୁଷ୍କର୍ମ ହୋଇନାହିଁ। ମାତ୍ର ଏହାକୁ ଗ୍ରହଣ କରିବାକୁ ପୀଡ଼ିତାଙ୍କ ପରିବାର ଲୋକେ ରାଜି ନାହାନ୍ତି। ଆଜି ପରିବାର ଲୋକଙ୍କୁ ଡ଼ାକି ପୁଲିସ ପକ୍ଷରୁ ପୋଷ୍ଟମାର୍ଟମ ରିପୋର୍ଟ ପଢ଼ାଇ ଶୁଣାଯାଇଥିଲା। ମାତ୍ର ପରିବାର ଲୋକ କେବଳ ତଣ୍ଟିଚିପି ହତ୍ୟା କରାଯାଇଥିବା କଥାକୁ ବିଶ୍ବାସ କରୁନାହାନ୍ତି। ସେମାନେ ପୀଡ଼ିତାଙ୍କ ମୃତଦେହକୁ କବରରୁ ବାହାର କରି ପୁଣି ଥରେ ପୋଷ୍ଟମାର୍ଟମ କରିବାକୁ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ୨୦୨୦ଜାନୁଆରି ୪ ତାରିଖ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଛନ୍ତି। ପୀଡ଼ିତାଙ୍କ ସଂପର୍କୀୟ କହିଛନ୍ତି ଯେ ପାରିପାର୍ଶ୍ବିକ ପରିସ୍ଥିତିରୁ ସ୍ପଷ୍ଟ ଜଣାପଡ଼ୁଥିଲା କି ନାବାଳିକାଙ୍କ ସହ ଦୁଷ୍କର୍ମ କରାଯାଇଛି। ମାତ୍ର ଏହା ପୋଷ୍ଟମାର୍ଟମରେ ସ୍ପଷ୍ଟ ହେଉ ନଥିବାରୁ ରିପୋର୍ଟ ଭୁଲ୍ ଅଛି।

ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ରାତିରେ ନାବାଳିକା ଜଣକ ପରିସ୍ରା କରିବାକୁ ଘର ବାହାରକୁ ଆସିଥିଲେ। ଏହାପରେ ସେ ନିଖୋଜ ହୋଇଯାଇଥିଲେ। ପରଦିନ ସକାଳୁ ଗାଁ ଠାରୁ ପ୍ରାୟ ୩ଶହ ମିଟର ଦୂରରେ ଗୋଟିଏ ଜମିରେ ନାବାଳିକା ଜଣକ ମୁହଁ ମାଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ ୨ଟି ପୁରୁଷ ଜିନ୍ ପ୍ୟାଣ୍ଟ ଓ ଗୋଟିଏ ହଳ ଚପଲ ପଡ଼ିଥିବାରୁ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ଘଟଣା ଦିନ ରାତି ପ୍ରାୟ ୨ଟାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବିଳମ୍ବିତ ରାତିରେ ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଉପଜିଲ୍ଲାପାଳ ଭାସ୍କର ରଇତ, ତହସିଲଦାର ସବ୍ୟସାଚୀ ଜେନା, ମା’ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ, କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ, ସଂଜୀବ ବି‌ଷୋୟୀ ପ୍ରମୁଖଙ୍କ ଉପସ୍ଥିତିରେ ଖ୍ରୀଷ୍ଟିଆନ ରୀତିନୀତିରେ ଶବକୁ କବର ଦିଆଯାଇଥିଲା।

ତେବେ ପୁଲିସ ପକ୍ଷରୁ ପରିବାରକୁ ପୋଷ୍ଟମର୍ଟମ୍ ରିପୋର୍ଟ ଦେବାରେ ବିଳମ୍ବ କରାଯାଇଥିଲା। ଏହାର ପ୍ରତିବାଦରେ ଏବଂ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବି ନେଇ  ଜିଲ୍ଲା କଂଗ୍ରେସ ପକ୍ଷରୁ ନବରଂଗପୁର ବନ୍ଦ ପାଳନ କରାଯାଇଥିଲା। ଏହି ଅବସରରେ କଂଗ୍ରେସ କର୍ମୀମାନେ ରାସ୍ତାରୋକ କରିବା ସହ ଏକ ଗାଡ଼ି ଜାଳି ଦେଇଥିଲେ। ଏ ନେଇ ପୁଲିସ ନିଜ ଆଡ଼ୁ ପୂର୍ବତନ ସାଂସଦ ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ସମେତ ୨୦ ଜଣ କଂଗ୍ରେସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର