ସମ୍ବଲପୁର: ସମ୍ବଲପୁରର ବହୁ ପ୍ରତୀକ୍ଷିତ ଫ୍ଲାଇଓଭର ଲୋକାର୍ପଣ ସମୟରେ ଆଜି ସ୍ବତନ୍ତ୍ର ରାଜ୍ୟ ଦାବି ଉଠିଥିଲା। ତେବେ, କୋଶଳ ଓ ହୀରାଖଣ୍ଡ ରାଜ୍ୟ ସମର୍ଥକମାନେ ମୁହାଁମୁହିଁ ସ୍ଥିତିକୁ ଆସିଯାଇଥିବା ଦେଖିବାକୁ ମିଳିଥିଲା।

Advertisment

ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଫ୍ଲାଇଓଭର୍‌ ଲୋକାର୍ପଣ ସ୍ଥଳରୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ଚାଲି ଚାଲି ନିଜ କାର୍ ଆଡ଼କୁ ଆସୁଥିଲେ।  ଏହି ସମୟରେ ଭିଡ଼ ଭିତରେ ଲୁଚି ରହିଥିବା କେତେକ କୋଶଳ ରାଜ୍ୟ ସମର୍ଥକ ଅଚାନକ ସ୍ଲୋଗାନ ଦେବା ଆରମ୍ଭ କରି ଦେଇଥିଲେ। ଲାଲ କପଡ଼ା, କୋଶଳ ରାଜ୍ୟ ମାନଚିତ୍ର ଥିବା ଛୋଟ ବ୍ୟାନର ଆଦି ଧରିଥିବା ଅଳ୍ପ କେଇଜଣ ଯୁବକ କୋଶଳ ରାଜ୍ୟ ଦାବି ସପକ୍ଷରେ ସ୍ଲୋଗାନ ଦେଇଥିଲେ। ସେଠାରେ ବହୁ ସଂଖ୍ୟାରେ ପୁଲିସ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଥିଲେ ହେଁ ଏ ସଂପର୍କରେ ଆଗୁଆ କେହି ସୁରାକ୍‌ ବି ପାଇପାରିନଥିଲେ। ଏଭଳି ସ୍ଥିତି ଦେଖି ପୁଲିସ ଅଧିକାରୀମାନେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ।

ତେବେ, ହୀରାଖଣ୍ଡ ସାମ୍ମୁଖ୍ୟର ମହିଳା ସଂଯୋଜିକା ସୁରେଖା ସାହୁ, ପୁଷ୍ପାଂଜଳି କେରକେଟା ପ୍ରମୁଖ ସେଠାରେ କୋଶଳ ରାଜ୍ୟ ସମର୍ଥକଙ୍କ ତୀବ୍ର ବିରୋଧ କରିଥିଲେ। କୋଶଳ ରାଜ୍ୟ ସମର୍ଥକଙ୍କ ହାତରୁ ବ୍ୟାନର, ଲାଲ କପଡ଼ା ଆଦି ଛଡ଼ାଇ ଆଣିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ମହିଳା ପୁଲିସ ଅଧିକାରୀମାନେ ସେଠାରେ ପହଂଚି ସେମାନଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ଆସିଥିଲେ। ଅନ୍ୟ ପଟେ ପୁରୁଷ ପୁଲିସ ଅଧିକାରୀମାନେ କୋଶଳ ସମର୍ଥକଙ୍କୁ ଅନ୍ୟ ଆଡ଼କୁ ନେଇ ଯାଇଥି‌ଲେ।