କୋଶଳ କବି ଶ୍ରୀନିବାସ ମିଶ୍ରଙ୍କ ଦେହାନ୍ତ

ସୁନ୍ଦରଗଡ଼: ‘ମୁଇଁ ଠିକ୍ ବୁଝି ପାରିଥିଲି ଯେ ନିଜର ସୁଖ, ଦୁଃଖ ସଙ୍ଗେ ସାମାଜିକ ବିଭ୍ରାଟମାନକର ବିଷୟ ଥି କିଛି କହେବାର ଲାଗି ହେଲେ ସାହିତ୍ଯ ହିଁ ସବୁଥିରୁ ବଢିଆଁ ମାଧ୍ଯମ ଆଏ”। ଏ କଥା କହିଥିଲେ ପଶ୍ଚିମ ଓଡିଶାର ଲୋକପ୍ରିୟ କୋଶଳ କବି ତଥା ବିଶିଷ୍ଟ ଔପନ୍ଯାସିକ ଶ୍ରୀନିବାସ ମିଶ୍ର।  ଶନିବାର ହେମଗିରସ୍ଥିତ କୋଶଳ କୁରିଆ (ତପୋବନ)ରେ  ୯୦ ବର୍ଷ ବୟସରେ ତାଙ୍କର

ଦେହାନ୍ତ ହୋଇଯାଇଛି। ଶ୍ରୀ ମିଶ୍ର ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ କୁସନପୁରି ଗାଁରେ ୧୯୩୨ ଫେବ୍ରୁଆରି ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। କର୍ମମୟ ଜୀବନ ଭିତରେ  କୋଶଳ ସାହିତ୍ଯ ରଚନାରେ ସେ ବ୍ରତୀ ହୋଇଥିଲେ। ତାଙ୍କ ଅମର ଲେଖନୀ ମଧ୍ଯରେ ‘ମାନସ ରାମାୟଣ ବିଚିତ୍ରା ଓ  କୋଶଳ ଗାରିମା (କାବ୍ଯ) ବନ୍ଦେ କୋଶଳ ଜନନୀ  ( ଉଦବୋଧନୀ ଗୀତିକା),  ଅକାଲ ଚଡ଼କ ଉପନ୍ଯାସ, ଅମୃତ ହିଁ ପ୍ରୀତି, ମାଷ୍ଟର ଦଦା, ଖାପଲଗଙ୍ଗା, ପଥରର ଅହଲ୍ଯା ଓ ସମିଆ ଆରୁ ଜୀବନ୍ (ଉପନ୍ଯାସ), ବୁଇନାନୀ (କଥାନୀ ସଂକଳନ), ପଦ୍ମାକଇଁ ଓ  ମିଥଲି  (ଖଣ୍ଡକାବ୍ଯ), ଠସକୁଡୁବରୁ (ଶିଶୁ ସାହିତ୍ଯ), ଦୁନ୍ଦୁଭି (ସମ୍ବଲପୁରୀ ଗୀତ ସଂକଳନ), ବାଡିପାରଜା (ଏକାଂକିକା) , ରାମଚରିତମାନସ (ଗୀତାଭିନୟ) ବେଶ ଲୋକପ୍ରିୟ ହୋଇରହିଛି। ତାଙ୍କ ଅମର କୃତୀ ପାଇଁ ସେ ବହୁ ଅନୁଷ୍ଠାନରୁ ସମ୍ମାନ ଓ ପୁରସ୍କାର ପାଇଛନ୍ତି।

ରାଜସ୍ବ ବିଭାଗରେ ଚାକିରି ପାଇବା ପରେ ସେ କୁସନପୁରିରୁ ସୁନ୍ଦରଗଡ଼ ଚାଲି ଆସିଥିଲେ। ହେମଗିର ତହସିଲରେ ରାଜସ୍ବ ନିରୀକ୍ଷକ ଭାବେ ଅବସର ନେବା ପରେ ହେମଗିର ବାସିନ୍ଦା ହୋଇଯାଇଥିଲେ। ବାର୍ଦ୍ଧକ୍ଯଜନିତ କାରଣରୁ ସେ ବହୁଦିନ ଧରି ଶଯ୍ଯାଶାୟୀ ହୋଇପଡିଥିଲେ। ତାଙ୍କ ମୃତ୍ଯୁରେ ସାହିତ୍ଯିକ ମହଲରେ ଶୋକର ଛାୟା ଖେଳିଯାଇଛି। ମୃତ୍ଯୁଶଯ୍ଯାରେ ଏକମାତ୍ର ପୁଅ ପ୍ରମୋଦ ମିଶ୍ର, ଝିଅ ପ୍ରଭାସିନୀ, ପ୍ରମିଳା, ପ୍ରତିମା, ଝରଣା  ଓ ଜ୍ବାଇଁ, ନାତିନାତୁଣୀମାନେ ଉପସ୍ଥିତ ଥିଲେ। ପୁଅ ପ୍ରମୋଦ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର