ଲୋକାର୍ପିତ ହେଲା କୋଶଳ କଳାମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’

ବଲାଙ୍ଗୀର : କୋଶଳ କଳାମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’ ଲୋକାର୍ପିତ ହୋଇଯାଇଛି। ସ୍ଥାନୀୟ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା ଏହାର ଲୋକାର୍ପଣ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ରାଣା ମୁଖ୍ୟଅତିଥି, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂହଲାଗୁରି, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସଂପାଦନା ମଣ୍ଡଳୀର ସଦସ୍ୟ ସନାତନ ଠାକୁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଗାମୀ ସମୟରେ କୋଶଳ କଳାମଣ୍ଡଳର ସର୍ବାଙ୍ଗୀନ ବିକାଶ ତଥା ‘ଚତୁରଙ୍ଗ’ ପ୍ରକାଶନ ଦିଗରେ ଜିଲ୍ଲା ପ୍ରଶାସନ ଆନ୍ତରିକ ସହଯୋଗ ରହିବ ବୋଲି ଜିଲ୍ଲାପାଳ କହିଥିଲେ। ଡ. ଶିବପ୍ରସାଦ ନନ୍ଦ, କବି ଭାଗୀରଥି ମିଶ୍ର, ପ୍ରଫେସର ରବିଚନ୍ଦ୍ର ପାଣ୍ଡିଆ ‘ଚତୁରଙ୍ଗ’ର ସ୍ୱର୍ଣ୍ଣିମ ଐତିହ୍ୟ ସଂପର୍କରେ ଆଲୋକପାତ କରିଥିଲେ। ସଂଦୀପ କୁଅଁର ସଭା ପରିଚାଳନା କରିଥିଲେ।

ସୂଚନାଯୋଗ୍ୟ ଯେ ୧୯୪୬ ମସିହା ପହିଲା ତାରିଖ ଦିନ ପାଟଣାର ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପୃଷ୍ଠପୋଷକତାରେ ବଲାଙ୍ଗୀରର କଳା, ସାହିତ୍ୟ ଓ ସଂସ୍କୃତିର କେନ୍ଦ୍ରସ୍ଥଳୀ ଭାବରେ ଜନ୍ମ ନେଇଥିଲା କୋଶଳ କଳାମଣ୍ଡଳ ଏବଂ କୋଶଳ କଳାମଣ୍ଡଳ ପ୍ରତିଷ୍ଠା ପରେ ପରେ ୧୪.୫.୧୯୪୬ ତାରିଖରେ କୋଶଳ କଳାମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’। ନୃତ୍ୟ, ସଂଗୀତ, କଳା ଓ ସାହିତ୍ୟର ପୁନରୁଦ୍ଧାର, ପ୍ରଚାର ପ୍ରସାର ତଥା ପ୍ରଗତି ପାଇଁ ‘ଚତୁରଙ୍ଗ’ ଅଗ୍ରଣୀ ଭୂମିକା ବହନ କରିଥିଲା। ସାରା ଓଡ଼ିଶାରେ କିଛିବର୍ଷ ଧରି ‘ଚତୁରଙ୍ଗ’ ତାର ବଳିଷ୍ଠତା ମାଧ୍ୟମରେ ନିଜକୁ ସମୃଦ୍ଧ ରଖିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାର ପ୍ରକାଶନ ବନ୍ଦ ହୋଇଯାଇଥିଲା। କୋଶଳ କଳାମଣ୍ଡଳର ୭୫ ବର୍ଷପୂର୍ତ୍ତି ଓ ପ୍ଲାଟିନମ୍ ଜୁବୁଲି ଅବସରରେ ‘ଚତୁରଙ୍ଗ’ର ନବପ୍ରକାଶ ପ୍ରଥମ ସଂଖ୍ୟା ଆତ୍ମପ୍ରକାଶ କରିଛି।

ନବପ୍ରକାଶ ‘ଚତୁରଙ୍ଗ’ର ସଂପାଦକ ଭାବେ ଡ. ସନ୍ତୋଷ ରଥ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ପରିଚାଳନା ସଂପାଦକ ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ ଶତପଥୀ ଦାୟିତ୍ୱ ନେଇଛନ୍ତି। ଏହାର ସଂପାଦନା ମଣ୍ଡଳୀରେ ଅଛନ୍ତି, ସନାତନ ଠାକୁର, ଡା. ମଂଜୁବାଳା ପଣ୍ଡା, ଭାଗୀରଥି ମିଶ୍ର, ସୁଷମା ମଂଜରୀ ନାୟକ, ଆନଂଦ ଚଂଦ୍ର ସାହୁ, ଡ. ସଂଜୟ ମିଶ୍ର, ସଂଦୀପ କୁଅଁର, ନିଗମାନନ୍ଦ ନାଥ, ବୀରେନ୍ଦ୍ର ଝାଙ୍କର ଓ ବିଭୁକଲ୍ୟାଣ ଗଡ଼ତ୍ୟା। ଚତୁରଙ୍ଗ ପ୍ରକାଶନ ଉପଦେଷ୍ଟା ମଣ୍ଡଳୀରେ ରହିଛନ୍ତି ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂହଲାଗୁରି, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା, ଡା. ଜ୍ୟୋତ୍ସ୍ନାମୟୀ ମହାପାତ୍ର, ପ୍ରଫେସର ମଧୁସୂଦନ ପତି, ଡ. ହରିଶଙ୍କର ବଡ଼ପଣ୍ଡା, ଗୋପବନ୍ଧୁ ରଥ, ଡ. ଶିବପ୍ରସାଦ ନନ୍ଦ, ଡା. ଜ୍ୟୋତିର୍ମୟୀ ସାହୁ, ସତ୍ୟନାରାୟଣ ବେହେରା ଓ ଦୟାନିଧି ଆଚାର୍ଯ୍ୟ। ପ୍ରଥମ ସଂଖ୍ୟାରେ ବହୁ ଉପାଦେୟ ଲେଖା ରହିଥିବା ବେଳେ ଏହା ଲୋକପ୍ରିୟତା ଅର୍ଜନ କରିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର