ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ମହାବନ୍ଦ ପାଳନ

ବଲାଙ୍ଗୀର: ଜୋର ଧରୁଛି ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି। ବୁଧବାର କୋଶଲ ସେନା ଏବଂ କୋଶଲ ମୁକ୍ତିମୋର୍ଚ୍ଚା ତରଫରୁ କୋଶଲାଞ୍ଚଳରେ କୋଶଲ ମହାବନ୍ଦ ଡାକରା ଦିଆଯାଇଛି। ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ୧୧ଟି ଜିଲ୍ଲାରେ ୧୨ ଘଣ୍ଟା ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି। ବଲାଙ୍ଗୀରରେ ସକାଳୁ ସକାଳୁ ପ୍ରଭାବ ଆରମ୍ଭ ହୋଇଯାଇଛି। ବିଭିନ୍ନ ଛକରେ ପିକେଟିଂ କରିଛନ୍ତି ଆନ୍ଦୋଳନକାରୀ। ପ୍ରଥମେ ଜିଲ୍ଲା ମୁଖ୍ୟ ଡାକଘରକୁ ବନ୍ଦ କରାଯାଇଥିଲା। ଏହାପରେ ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ପିକେଟିଂ ହୋଇଥିବା ଖବର ମିଳିଛି।

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ କୋଶଲ ସେନା ଓ କୋଶଲ ରାଜ୍ୟ ମୁକ୍ତିମୋର୍ଚ୍ଚା ପକ୍ଷରୁ ସୋନପୁରରେ ବି ବନ୍ଦ ପାଳନ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ବିନିକା‌ଠାରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ହୋଇଛି।

କୋଶଲ ମୁକ୍ତିମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଏହି ବନ୍ଦର ପ୍ରଭାବ କଳାହାଣ୍ଡିରେ ବି ଦେଖାଦେଇଛି। ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଭବାନୀପାଟଣା, ନକଟିଗୁଡା, ଘୋଡ଼ାଘାଟ ଛକ ଓ କଲେଜ ଛକରେ ଆନ୍ଦୋଳନକାରୀମାନେ ରାସ୍ତା ଜାମ କରି ଗାଡି ମଟର ବନ୍ଦ କରିଛନ୍ତି। କେସିଙ୍ଗାରେ ବି ବନ୍ଦ ପ୍ରଭାବ ଫଳରେ ସବୁ ଦୋକାନ ବଜାର, ଗାଡି ମଟର ବନ୍ଦ ରହିଛି। ବନ୍ଦ ଯୋଗୁଁ ଯାତ୍ରୀମାନେ ହଇରାଣ ହରକତ ହେବାର ଦେଖାଦେଇଛି। ଏହି ବନ୍ଦ ଧର୍ମଗଡ ଉପଖଣ୍ଡର ଧର୍ମଗଡ, ଜୁନାଗଡ, ଗୋଳାମୁଣ୍ଡ ଓ ଅନ୍ୟ ବ୍ଲକ ଅଞ୍ଚଳରେ ହୋଇଛି। ବନ୍ଦ ଲାଗି ଦୋକାନ ବଜାର ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି।ବହୁ ଦିନରୁ କୋଶଲ ରାଜ୍ୟ ସମନ୍ୱୟ ସମିତି ବିଭିନ୍ନ ଉପାୟରେ ଆନ୍ଦୋଳନ କରି ଆସୁଛି।

ବୀରମହାରାଜପୁର: ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବିରେ ଦିଆଯାଇଥିବା କୋଶଲ ମହାବନ୍ଦର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ପିପୁଳ ସମର୍ଥନ ମିଳିଛି। ଦୋକାନ ବଜାର, ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଲୋକେ ସ୍ବତଃପ୍ରବୃତ ଭାବେ ଏହି ମହାବନ୍ଦକୁ ସମର୍ଥନ କରିଛନ୍ତି। ବିଭିନ୍ନ ଛକରେ ଆନ୍ଦୋଳନକାରୀମାନେ ପିକେଟିଂ କରିଛନ୍ତି। ତା ସହ ସରକାରୀ ଓ ବେସରକାରୀ ସଂସ୍ଥା ମଧ୍ୟ ବନ୍ଦ ରହିଛି। ଯାନବାହନ ଚଳାଚଳ ବନ୍ଦ ଯୋଗୁଁ ରାସ୍ତା ଘାଟରେ ଶତାଧିକ ଗାଡ଼ି ମଟର ଅଟକି ରହିଛି। ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ବେଳେ ସରକାର ଯଦି ଆଗାମୀ ଦିନରେ ପଦକ୍ଷେପ ନ ନିଅନ୍ତି ତାହେଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକ‍ାରୀମାନେ।

କଣ୍ଟାବାଞ୍ଜିରେ କୋଶଲ ମହାବନ୍ଦର ପ୍ରଭାବ
କଣ୍ଟାବାଞ୍ଜି: ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବିରେ ଦିଆଯାଇଥିବା କୋଶଲ ମହାବନ୍ଦର ପ୍ରଭାବ କଣ୍ଟାବାଞ୍ଜିରେ ଦେଖିବାକୁ ମିଳିଛି। ଦୋକାନ ବଜାର, ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ବେଳେ ସରକାର ଯଦି ଆଗାମୀ ଦିନରେ ପଦକ୍ଷେପ ନ ନିଅନ୍ତି ତାହେଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକ‍ାରୀମାନେ।

ନୂଆପଡ଼ାରେ କୋଶଲ ମହାବନ୍ଦ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ମହକୁମାଠାରେ ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବିରେ କୋଶଲ ମୁକ୍ତିମୋର୍ଚ୍ଚା, କୋଶଲ ସେନା ମିଳିତ ଆନୁକୂଲ୍ୟରେ ବନ୍ଦ ପାଳନ କରାଯାଇଛି। ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହି ବନ୍ଦରେ ଦୋକାନ ବଜାର ବନ୍ଦ ହୋଇଥିବା ବେଳେ ସରକାରୀ କାର୍ଯ୍ୟାଳୟ, ବେସରକାରୀ ଅନୁଷ୍ଠାନ, ସ୍କୁଲ କଲେଜ ବନ୍ଦ ହୋଇଅଛି। ଯାନବାହାନ ଚଳାଚଳ ବନ୍ଦ ରହିଅଛି।

ବରଗଡ଼ରେ କୋଶଲ ମହାବନ୍ଦ
ବରଗଡ଼: ଜିଲ୍ଲା ସଦର ମହକୁମାଠାରେ ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବିରେ ମହାବନ୍ଦ ପାଳନ କରାଯାଇଛି। ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହି ବନ୍ଦରେ ଦୋକାନ ବଜାର ବନ୍ଦ ହୋଇଥିବା ବେଳେ ସରକାରୀ କାର୍ଯ୍ୟାଳୟ, ବେସରକାରୀ ଅନୁଷ୍ଠାନ, ସ୍କୁଲ କଲେଜ ବନ୍ଦ ହୋଇଅଛି। ଯାନବାହାନ ଚଳାଚଳ ବନ୍ଦ ରହିଅଛି।

 

ସମ୍ବନ୍ଧିତ ଖବର