କାମରେ ଆସୁନି କୋଟପା ଆଇନ; ଖୁଲମ ଖୁଲା ଚାଲିଛି ଗୁଟଖା ବିକ୍ରି

ଗୁଟଖା କବଳରେ ସ୍କୁଲ ଛାତ୍ର, ଜାଣିଶୁଣି ବିପଦକୁ ଡାକୁଛନ୍ତି

ବେତନଟୀ ସଦର: ତମାଖୁ ସେବନ ଦ୍ୱାରା କ୍ୟାନସର ଭଳି ଅଣସଂକ୍ରାମକ ରୋଗରେ ଅକାଳରେ ମଣିଷର ଜୀବନ ଚାଲିଯାଉଛି। ବହୁ ସମୟରେ ପରିବାର ରୋଜଗାରିଆଙ୍କ ଅକାଳ ବିୟୋଗ ପରେ ଗୋଟିଏ ଗୋଟିଏ ପରିବାର ତଳିତଳାନ୍ତ ହୋଇଯାଉଛି। ତମାଖୁ ବିଶେଷକରି ଗୁଟଖା ବିକ୍ରି ଉପରେ କଟକଣା କରାଯାଇଛି। ମାତ୍ର ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ଗଳିକନ୍ଦି ଠୁଁ ଆରମ୍ଭ କରି ଛୋଟବଡ ବଜାରରେ ଗୁଟଖା ବିକ୍ରି ଖୁଲମ ଖୁଲା ଚାଲିଥିବା ଦେଖିବାକୁ ମିଳୁଛି। ଏ ଦିଗରେ ବାରମ୍ବାର ସଚେତନତା ପରେ ବି ଅବସ୍ଥା ସୁଧୁରିବା ନାଁ ଧରୁନି। ଫଳରେ ତମାଖୁ ମୁକ୍ତ ଜିଲ୍ଲା ଗଠନ ଉପରେ ଏହା ବଡପ୍ରଶ୍ନବାଚୀ ସୃଷ୍ଟିକରିଛି।

ପ୍ରକାଶ ଯେ ୨୦୦୩ ମସିହାରେ କୋଟପା ଆଇନରେ ଗୁଟଖା ବିକ୍ରି ଉପରେ କେତେକ କଟକଣା ଲାଗୁ କରାଯାଇଥିଲା। ଏହି ନିୟମକୁ ୨୦୧୮ ମସିହାରେ କଡାକଡି ଭାବେ ପାଳନକରିବା ପାଇଁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଗଲା। ମାତ୍ର ଏହି ଆଇନ ମୟୂରଭଞ୍ଜ ଜିଲ୍ଲା ତଥା ବେତନଟୀ ବ୍ଲକ ଅଞ୍ଚଳରେ କଡାକଡି ଭାବେ ପାଳନ ହେଉ ନଥିବାରୁ ଗୁଟଖା ବିକ୍ରୀ ବୃଦ୍ଧି ପାଉଛି। ଗାଁ ,ଗହଳି, ହାଟ, ବଜାର, ସହର ଗଳି କନ୍ଦି ସାଙ୍ଗକୁ ବିଦ୍ୟାଳୟ ଓ ମନ୍ଦିର ସମ୍ମୁଖରେ ପାନ ଦୋକାନ ଠାରୁ ଆରମ୍ଭକରି ବିଭିନ୍ନ ଗ୍ରୋସରୀ ଦୋକାନଗୁଡିକରେ ଖୋଲମଖୁଲା ମାଳ ମାଳ ଗୁଟଖା ବିକ୍ରୀ ହେଉଛି। କମ୍ପାନିଗୁଡ଼ିକ ମଧ୍ୟ ଅବାଧରେ ଏହାକୁ ବିକ୍ରି କରିବାକୁ ସାହସ କରୁଛନ୍ତି। ବଜାରରେ ସହଜରେ ଗୁଟଖା ମିଳି ଯାଉଥିବାରୁ ସ୍କୁଲ ଛୋଟଛୁଆ, ଯୁବକ, ବୟସ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ପ୍ରାୟତଃ ସମସ୍ତେ ଗୁଟଖା ନିଶାରେ କବଳିତ ହୋଇପଡୁଛନ୍ତି। ଏମିତିକି ମ୍ୟାଟ୍ରିକ ପରୀକ୍ଷା ଚାଲିଥିବାବେଳେ ଗତକାଲି ବେତନଟୀ ଅଞ୍ଚଳର ସ୍କୁଲଛାତ୍ରମାନେ ପାଟିରେ ଗୁଟଖା ପକେଇ ପରୀକ୍ଷା ଦେବାକୁ ଯାଉଥିବାର ଦେଖିବାକୁ ମିଳିଥିଲା। ଏପରିକି କମ୍ପାନୀ, ଡିଲର, ହୋଲସେଲରଙ୍କ ଉପରେ ଅବକାରୀ, ପୁଲିସ, ସ୍ୱାସ୍ଥ୍ୟ ବିଭାଗ,ଖାଦ୍ୟ ସୁରକ୍ଷା ଓ ନିରାପତା ବିଭାଗ ପକ୍ଷରୁ ଚଢାଉ କରାଯିବା ତ ଦୂରର କଥା ନିୟମ ପାଳନ ଉଦେଶ୍ୟରେ ୬ ମାସରେ ଥରେ ହେଲେ ସଚେତନ ମଧ୍ୟ କରାଯାଉ ନାହିଁ।

କୋଟପା ଆଇନ କହୁଛି ଶିକ୍ଷାନୁଷ୍ଠାନ ଠାରୁ ଶହେ ଗଜ (୯୧ମିଟର) ଦୂର ମଧ୍ୟରେ କୌଣସି ତମାଖୁ ବିକ୍ରି କରିବାର ନିୟମ ନାହିଁ। ଏହା ଛଡା ୧୮ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ଏହା ବିକ୍ରୀ କରିବା ସମ୍ପୂର୍ଣ୍ଣ ବେଆଇନ ଅଟେ। ହେଲେ ବେତନଟୀ ବ୍ଲକ ଆନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଏହି ନିୟମକୁ ଖୁଲମଖୁଲା ଉଲ୍ଲଘଂନ କରୁଥିବା ବ୍ୟବସାୟିକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ନିଶ୍ଚିତଭାବେ ଚିନ୍ତାଜନକ। ଏହାଦ୍ୱାରା ଜିଲ୍ଲାରେ ଗୁଟଖାର ଖୁଲମ ଖୁଲା ବିକ୍ରୀକୁ ପରୋକ୍ଷରେ ପ୍ରୋତ୍ସାହନ ଯୋଗାଉ ଥିବା ବେଳେ ଢିଲା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହାର ବିକ୍ରି ଚାହିଦା ବୃଦ୍ଧି ପାଉଛି। ବେଳ ଥାଉ ଥାଉ ଏ ଦିଗରେ ସର୍ତକତାର ସହ କଡାକାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବି ମହଲରେ ଦାବୀହେଉଛି।

ଏ ସର୍ମ୍ପକରେ ବେତନଟୀ ଏସଡିପିଓ ସୁଦର୍ଶନ ଦାଶଙ୍କୁ ପଚାରିବାରୁ ସେ କହିଥିଲେ କି ଏନେଇ ଅବଗତ ହେଲାପରେ ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ଆଗକୁ ଉକ୍ତ ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ନିୟମାନୁଯାଇ କଡା କାର୍ଯ୍ୟାନୁଷ୍ଠାନ କରିବାକୁ ନିଜ ଅଧିନସ୍ଥ ଥାନା ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯିବ।

ସମ୍ବନ୍ଧିତ ଖବର