ବ୍ରହ୍ମଗିରି: ବୁଦାପେଷ୍ଟରେ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଜାଭଲିନ ଫିଙ୍ଗି ଓଡ଼ିଶା କ୍ରୀଡ଼ା ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛନ୍ତି ବ୍ରହ୍ମଗିରି କୋଠସାହିର ପୁଅ କିଶୋର କୁମାର ଜେନା। ରାତାରାତି ପ୍ରସିଦ୍ଧି ପାଲଟିଯାଇଥିବା କିଶୋର ନାଁ’କୁ ନେଇ ଆଜି ସାରା ଦେଶ ଗର୍ବିତ। ମାତ୍ର ଏହି ପ୍ରସିଦ୍ଧି ପଛରେ ରହିଛି ସଂଘର୍ଷର ଲମ୍ବା ଫର୍ଦ୍ଦ। ଚାଷୀକୂଳ‌ରେ ଜନ୍ମିତ କିଶୋର ଅଭାବବୋଧ ଭିତରେ ବଢ଼ିଥିଲେ ହେଁ ଲକ୍ଷ୍ୟ ଥିଲା ସୈନିକ ହେବେ। ସେଥିପାଇଁ ପଢ଼ା ସହ ଦୌଡ଼କୁଦ ଅଭ୍ୟାସ କରୁଥିଲେ। ସେନା ବାହିନୀରେ ଭର୍ତ୍ତି ହେବା ପାଇଁ ବାରମ୍ବାର ପରୀକ୍ଷା ଦେଇଥିଲେ ହେଁ ବିଫଳତାର ସ୍ବାଦ ଚାଖିଥିଲେ। ସେନାରେ ସିନା ଭର୍ତ୍ତି ହୋଇ ପାରିଲେନି, କିନ୍ତୁ ଏହି ଅଭ୍ୟାସ ତାଙ୍କୁ ସଫଳ କ୍ରୀଡ଼ାବିତ ସଜେଇଦେଲା।

Advertisment

କିଶୋରଙ୍କ ବାପା କେଶବ ଜେନା ଓ ମା’ ହରପ୍ରିୟା ଜେନା ପୁଅଟିଏ ପାଇବା ଆଶାରେ ୭ ଜଣ ଝିଅକୁ ଜନ୍ମ ଦେଇସାରିଥିଲେ। ଶେଷରେ କିଶୋର ଜନ୍ମ ନେଲେ। ଚାଷବାସ କରି ୧୦ ପ୍ରାଣୀ ପରିବାର ଚଳାଇବା କେଶବଙ୍କ ପକ୍ଷେ ସହଜ ନଥିଲା। ଧିରେଧିରେ ଝିଅମାନେ ବଡ଼ ହୋଇ ବାପାଙ୍କୁ ରୋଜଗାରରେ ସହଯୋଗର ହାତ ବଢ଼ାଇଲେ। କେଶବ ବାପାଙ୍କର ଅବସ୍ଥା ଦେଖି ପାଠ ପଢ଼ିବା ସହ ଚାକିରି ଖଣ୍ଡେ ପାଇଁ ଦୌଡ଼ ଅଭ୍ୟାସ କଲେ। ଦଶମ ପରୀକ୍ଷା ପରେ +୨ ବିଜ୍ଞାନ ପଢ଼ିଥିଲେ ହେଁ ଅର୍ଥାଭାବରୁ ସେ ବାଧ୍ୟ ହୋଇ ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟରେ କଳା ପଢ଼ିଲେ। ସେଇ କଲେଜ ପଡ଼ିଆରେ ସକାଳେ ସେନା ପାଇଁ ଅଭ୍ୟାସ କରିବା ବେଳେ ଭଲିବଲ ଖେଳୁଥିଲେ। କଲେଜର ଅଧ୍ୟାପକ ଭବାନୀ ଶଙ୍କର ଚକ୍ରବର୍ତ୍ତୀ କିଶୋରଙ୍କ ଫିଟନେସ୍‌ ଦେଖି ତାଙ୍କୁ କ୍ରୀଡ଼ା ହଷ୍ଟେଲରେ ଅଭ୍ୟାସ କରିବାକୁ ପରାମର୍ଶ ଦେଲେ। ଅଧ୍ୟାପକଙ୍କ ପରାମର୍ଶରେ ସେ କଳିଙ୍ଗ ଷ୍ଟାଡିୟମ ଯାଇ ସେଠାରେ ଭଲିବଲ ଅଭ୍ୟାସ କଲେ। ସେଠାରେ ମଧ୍ୟ ତାଙ୍କ ଫିଟନେସ୍‌ କୋଚଙ୍କୁ ଆକର୍ଷିତ କରିଥିଲା। ତେଣୁ ଦଳଗତ କ୍ରୀଡ଼ା ଅପେକ୍ଷା ତାଙ୍କୁ ବ୍ୟକ୍ତିଗତ କ୍ରୀଡ଼ାରେ ଧ୍ୟାନ ଦେବାକୁ ପରାମର୍ଶ ଦେଲେ। ସେଠାରେ ସେ ଜାଭଲିନ୍‌ ଥ୍ରୋ ଅଭ୍ୟାସ ଆରମ୍ଭ କଲେ। ମାତ୍ର ବାପା ଖର୍ଚ୍ଚ ବହନ କରିବା ପାଇଁ ଅକ୍ଷମତା ପ୍ରକାଶ କଲେ।

କିଶୋର ମଧ୍ୟ ବାପାଙ୍କ ଉପରେ ଆଉ ବୋଝ ହୋଇ ନିଜ କ୍ୟାରିୟରକୁ ପ୍ରାଧାନ୍ୟ ଦେବା ଉଚିତ ମନେ କଲେ ନାହିଁ। ବାଧ୍ୟ ହୋଇ ସେ ଚାକିରିଟିଏ ପାଇବା ପ୍ରଚେଷ୍ଟାରେ ଲାଗିପଡ଼ିଲେ। ସୌଭାଗ୍ୟକୁ ସିଆଇଏସ୍‌ଏଫ୍‌ରେ ଚାକିରି ପାଇବା ପରେ ଆର୍ଥିକ ସମସ୍ୟା ଦୂର ହୋଇଥିଲା। ନୀରଜ ଚୋପ୍ରାଙ୍କ ଦ୍ବାରା ପ୍ରଭାବିତ ହୋଇ ସେ ତାଙ୍କ ପଦାଙ୍କ ଅନୁସରଣ କରିଥିଲେ। ଚାକିରି ସହ ସମୟ ବାହାର କରି ସେ ଜାଭଲିନ୍‌ ଥ୍ରୋ ଅଭ୍ୟାସ ଜାରି ରଖିଥିଲେ। କିଶୋରଙ୍କ ଭଉଣୀ ଅଧ୍ୟାପିକା ଇତିଶ୍ରୀ ସୁନ୍ଦରାୟଙ୍କ କହିବା ମୁତାବକ, କଟକ ବାରବାଟୀ ଷ୍ଟାଡିୟମରେ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ସେ ରେକର୍ଡ ରଚିଥିଲେ। ଶ୍ରୀଲଙ୍କା ଜାତୀୟ ଆଥଲେଟିକ୍ସ ମିଟ୍‌ରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ହଙ୍ଗେରି ଯିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ହେଁ ଭିସା ମୁଖ୍ୟ ସମସ୍ୟା ହୋଇଥିଲା। ଏନେଇ ନିଜେ ନିରଜ ଚୋପ୍ରା ବୈଦେଶିକ ମନ୍ତ୍ରୀଙ୍କୁ ଟ୍ବିଟ କରିବା ପରେ ତାଙ୍କୁ ଭିସା ମିଳିଥିଲା ବୋଲି ଇତିଶ୍ରୀ କହିଛନ୍ତି। ଆଜି କିଶୋରଙ୍କ ସଫଳତାରେ ଘରେ କେକ୍‌ କଟାଯାଇଛି। ଗାଁ’ଲୋକେ ଦୀପଦାନ କରିଛନ୍ତି। ଜିଦ୍‌ଖୋର କିଶୋର କୋଠସାହି ଗାଁ’ ପାଇଁ କୋହିନୁର ପାଲଟିଯାଇଛି। କିଶୋରଙ୍କ ମା’ କହିଛନ୍ତି, ମୁଁ ସିନା ଜନ୍ମ ଦେଇଛି। ହେଲେ ସେ ଆଜି ଖାଲି ମୋ ପୁଅ ନୁହେଁ, ସାରା ଦେଶର ପୁଅ ହୋଇଯାଇଛି। ଦେଶକୁ ଓ ରାଜ୍ୟବାସୀଙ୍କୁ ଗର୍ବିତ କରିଛି। କିଶୋରଙ୍କ ବାପା କୁହନ୍ତି, ଆମେ ସିନା ଜନ୍ମ ଦେଇଛୁ, କିନ୍ତୁ ପରିଶ୍ରମ ସେ କରିଛି। କାଲି ଯାଏ ମୋ ନାଁରେ ସେ ପରିଚିତ ଥିଲା, କିନ୍ତୁ ଆଜି ତା ନାଁ'ରେ ମୁଁ ପରିଚିତ ହେଉଛି ବୋଲି କେଶବ କହିଛନ୍ତି।