ଭୁବନେଶ୍ବର : କୋଟିଆ ଏବଂ ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାର ସୀମା ଓ ସାର୍ବଭୌମତ୍ବର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଦ୍ଵିପାକ୍ଷିକ ଆଲୋଚନାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରନ୍ତୁ। ଏହି ଦାବିରେ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୋମବାର ଲୋୟର ପିଏମଜି୍ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରିଷଦର ସଭାପତି ସୁଶାନ୍ତ ପାଢ଼ୀଙ୍କ ନେତୃତ୍ବରେ ଅନେକ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।
ଏନେଇ ଶ୍ରୀ ପାଢ଼ୀ କହିଛନ୍ତି ଯେ, କୋଟିଆ ଏବଂ ପୋଲାଭରମ ହେଉଛି ରାଜ୍ୟର ସ୍ବାର୍ଥ ସମ୍ବଳିତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ। କୋଟିଆ ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରାଧୀନ ଥିଲେ ମଧ୍ୟ ଆନ୍ଧ୍ର ଏକଚାଟିଆ ଅଧିକାର ଜାହିର କରୁଛି। ଆନ୍ଧ୍ର ସରକାର ଲୋକଙ୍କୁ ପ୍ରଲୋଭନ ଦେଖାଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି। ଭାଷା ଭିତ୍ତିରେ ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ନୂତନ ରଣନୀତି ଆପଣାଇଛି। ଓଡ଼ିଶା ସୀମାରେ ଆନ୍ଧ୍ର ପୁଲିସ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀଙ୍କ ଫଟୋ ସହ ହୋର୍ଡିଂ ଲଗାଇବା ଅତ୍ୟନ୍ତ ଲଜ୍ଜାଜନକ। ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ, ପଡ଼ିଆ ଏବଂ କୋରକୁଣ୍ଡା ବ୍ଲକର ଅଧିକାଂଶ ଗ୍ରାମ ଜଳମଗ୍ନ ହେବ। ବସବାସ କରୁଥିବା ଲୋକ ଜୀବନ ଜୀବିକା ହରାଇବେ। ତେଣୁ ଓଡ଼ିଶା ପାଇଁ ପୋଲାଭରମ ପ୍ରକଳ୍ପ ଅଭିଶାପରେ ପରିଣତ ହୋଇଛି ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପସଭାପତି ହେମନ୍ତ କୁମାର ହାତୀ, ସମ୍ପାଦକ ମନ୍ମଥ ରାଉତ, ଦୀପକ କୁମାର ଗୌରବ, ଦେବାଶିଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/odisha-bikash-parisad.jpg)