କୋଟିଆରେ ଅଟକିଲା ବିକାଶ : ୨ ମାସ ହେଲା ସାପ୍ତାହିକ ହାଟ ବନ୍ଦ, ମୋବାଇଲ ଟାୱାର ଅଛି, ସେବା ନାହିଁ

ପଟ୍ଟାଙ୍ଗି : ଆନ୍ଧ୍ରର ଅନୁପ୍ରବେଶ ପରେ ପୁଣି ଚର୍ଚ୍ଚାକୁ ଆସିଥିଲା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ର କୋଟିଆ ଅଞ୍ଚଳ। ଆନ୍ଧ୍ର ସରକାର ଲୋକଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ପରେ ତତ୍ପରତା ପ୍ରକାଶ କରିଥିଲେ ଓଡ଼ିଶା ସରକାର। କୋଟିଆର ବିକାଶ ପାଇଁ ସରକାର ସର୍ବାଧିକ ଗୁରୁତ୍ବ ଦେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରି ପ୍ରଥମ ପର୍ଯ୍ୟାୟରେ ୫୦କୋଟି ଟଙ୍କାର ଅନୁଦାନ ଯୋଗାଇଦେଲେ। କିନ୍ତୁ ‌ବିକାଶର ଗତି ଏଠାରେ ଧିମେଇ ଯାଇଛି। ଦୁଇ ମାସ ହେଲା ସାପ୍ତାହିକ ହାଟ ବନ୍ଦ ରହିଥିବା ବେଳେ ମୋବାଇଲ ସେବା ଆଦୌ ଆରମ୍ଭ ହୋଇନି। ଗତବର୍ଷ ସରକାର ଅନୁଦାନ ଯୋଗାଇ ଦେବା ପରେ ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇଥିଲା। ନୂଆ ରାସ୍ତା ସହ କୋଟିଆରେ ବିଦ୍ୟାଳୟ, ୧୦ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, କ୍ଲଷ୍ଟର କୋଠା ଆଦି କାମ ନିର୍ମାଣ ଚାଲିଛି। ଲୋକଙ୍କ ଦୈନନ୍ଦିନ ଜୀବନ ପାଇଁ ଆବଶ୍ୟକ ସାମଗ୍ରୀ ନିମନ୍ତେ କୋଟିଆରେ ସାପ୍ତାହିକ ହାଟ ବି ସରକାର ଆରମ୍ଭ କରିଥିଲେ। ପ୍ରତି ବୁଧବାର ଦିନ ହାଟ ଖୋଲିବାକୁ ସରକାର ଏଠାରେ ପିଣ୍ଡି ବ୍ୟବସ୍ଥା ବି କରିଛନ୍ତି। ସେହିପରି ଟେଲି ଯୋଗାଯୋଗ ପାଇଁ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ନୂଆ ଟାୱାର ସ୍ଥାପନ କରାଯାଇଛି।

ହେଲେ ହାଟ ଏବଂ ମୋବାଇଲ ସେବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଆରମ୍ଭ ହେବାର କିଛି ମାସ ପରେ ପ୍ରାୟ ଦୁଇ ମାସ ହେଲା ହାଟ ବସୁନି। ତେଣୁ ଲୋକେ ପୂର୍ବ ଭଳି କୁନ୍ଦୁଲି କିମ୍ବା ଆନ୍ଧ୍ର ଉପରେ ଦୈନନ୍ଦିନ ସାମଗ୍ରୀ ପାଇଁ ନିର୍ଭର କରୁଛନ୍ତି। ସେହିପରି ବିଏସ୍‌ଏନ୍‌ଏଲ୍‌ ସେବା ଆରମ୍ଭ ହୋଇ ନଥିବାରୁ ବାହାରକୁ ଯୋଗାଯୋଗ ହୋଇପାରୁନି। ଏପରିକି ଦମକଳ ଏବଂ ଆମ୍ବୁଲାନ୍ସ ଭଳି ଜରୁରୀ ସେବା ପାଇବାରୁ ବି ଲୋକେ ବଞ୍ଚିତ ରହିଛନ୍ତି। ଲୋକଙ୍କ କହିବା ହେଲା ମୋବାଇଲ ଟାୱାର ସ୍ଥାପନ ପରେ ଜଣେ ବାବୁ ଆସିଥିଲେ। ଗଣମାଧ୍ୟମରେ ମୋବାଇଲ ସେବା ଆରମ୍ଭ ହେଲା ବୋଲି ରାଜ୍ୟ ସାରା ପ୍ରଚାର ହେଲା। କିନ୍ତୁ ଆଦୌ ସେବା ଆରମ୍ଭ ହୋଇନାହିଁ। କେବଳ ମୋବାଇଲ ଟାୱାର ଅଛି, ସେବା ମିଳୁନି। ପୂର୍ବଭଳି ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ନିରାଶା ମଧ୍ୟରେ ରହିଥିବା ଲୋକେ କହିଛନ୍ତି।

ସୂଚନାଯୋଗ୍ୟ, କୋଟିଆ ପଞ୍ଚାୟତର ସାତଖଣ୍ଡ ଗ୍ରାମ ପାଇଁ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଦୀର୍ଘ ବର୍ଷ ହେଲା ବିବାଦ ଲାଗି ରହିଛି। କୋର୍ଟରେ ଏ ନେଇ ମାମଲା ବିଚାରାଧୀନ ରହିଥିବା ବେଳେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ କୋଟିଆରେ ବିଭିନ୍ନ ଯୋଜନାରେ ସାମଗ୍ରୀ ବଣ୍ଟନ କରିଥିଲେ। ଏମିତି ଅନୁପ୍ରବେଶ ପରେ ଓଡ଼ିଶା ସରକାର କୋଟିଆ ପ୍ରତି ବିଶେଷ ଧ୍ୟାନ ଦେଇଥିଲେ। ବିକାଶକୁ ପ୍ରାଥମିକତା ଦେଇ ଅନୁଦାନ ଯୋଗାଇ ଦେଇଥିଲେ। କୋଟିଆବାସୀଙ୍କ ଘର ବାରଣ୍ଡାରେ ସରକାରୀ ଯୋଜନା ପହଞ୍ଚାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ଜିଲ୍ଲା ତଥା ରାଜ୍ୟସ୍ତରୀୟ ପ୍ରଶାସନିକ ଅଧିକାରୀ କୋଟିଆ ଆସି ବିକାଶ କାମ ବୁଲି ଦେଖିଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ସାପ୍ତାହିକ ହାଟ କିଛି ମାସ ପରେ ବନ୍ଦ ହୋଇଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ କୋଟିଆରେ ଥ୍ରି-ଫେଜ୍‌ ବିଦ୍ୟୁତ ନଥିବା କାରଣରୁ ବିଏସ୍‌ଏନ୍‌ଏଲ୍‌ ମୋବାଇଲ ଟାୱାର ଚାର୍ଜ ହୋଇପାରୁ ନଥିବା ଜଣାପଡ଼ିଛି। ତଥାପି ଫାଙ୍କା ପଡ଼ିଥିବା ସାପ୍ତାହିକ ହାଟକୁ ଆନ୍ଧ୍ରର ଜଣେ ବ୍ୟବସାୟୀ ଆସି ବିଭିନ୍ନ ମୋବାଇଲ ସାମଗ୍ରୀ ବିକ୍ରି କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର