ଜୟପୁର: ଦୀର୍ଘ ଦିନ ଧରି ଲାଗିରହିଥିବା କୋଟିଆ ଗ୍ରାମପୁଂଜ ସୀମାବିବାଦକୁ ତୁଟାଇବାକୁ ରାଜ୍ୟସରକାର ଚାହୁଁ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ଉପସଭାପତି ଇଂ.ବଳଭଦ୍ର ମାଝୀ ଓ ରାଜ୍ୟ ସ୍ଥାୟୀ ପରିଷଦ ସଭ୍ୟ ଗୌତମ ସାମନ୍ତରାୟ କହିଛନ୍ତି। ଯଦି ଚାହିଁଥାନ୍ତା ତେବେ ମୁଖ୍ୟମନ୍ତ୍ରୀ ସୀମାରେ କେତେ ଅଂଚଳ ଓ କେତେ ଗାଁରେ ଆନ୍ଧ୍ର ଅନୁ‌ପ୍ରବେଶ କରିଛି ତାହାର ସଂପୁର୍ଣ୍ଣ ତଥ୍ୟ ନିଜ ପାଖରେ ରଖିଥାନ୍ତେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ କେନ୍ଦ୍ରସରକାରଙ୍କ ପ୍ରତିନିଧି ଭାବେ କୋଟିଆ ଗସ୍ତ କରି ସୀମାନ୍ତ ପାଟୁସିନେରୀ ଗାଁରେ ଆନ୍ଧ୍ରର ପୁଲିସକୁ ‘ଗୋ ବ୍ୟାକ୍ ’’ ବୋଲି କହି ତଡିଥିଲେ। ‌ କୋଟିଆ ଓଡିଶାର ସ୍ବାଭିମାନ। ଏହାକୁ ବଂଚାଇବା ପାଇଁ‌ ସେ ସବୁବେଳେ ରହିଛନ୍ତି ଓରହିଥିବେ।

Advertisment

କେନ୍ଦ୍ରମନ୍ତ୍ରୀ ଏହି ବିବାଦକୁ ସମାଧାନ କରିବା ପାଇଁ ନିଜ ଆଡରୁ ୩ଥର ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିବା ସତ୍ବେ ରାଜ୍ୟସରକାର ଏହାର ପ୍ରତିଉତ୍ତର ଦେଇନାହାନ୍ତି  କିମ୍ବା କେନ୍ଦ୍ରସରକାରଙ୍କୁ ବିବାଦର ସମାଧାନ କରିବା ପାଇଁ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିନାହାନ୍ତି ବୋଲି ଏମାନେ ଅଭିଯୋଗ କରିଛନ୍ତି। ୨୦୧୮ମସିହା ଓ ୨୦୨୩ମସିହା ଦୁଇ ଥର ‌ଜଣେ କେନ୍ଦ୍ରମନ୍ତ୍ରୀ ଏଠାକୁ ଗସ୍ତ କରି ଅଂଚଳବାସୀଙ୍କ ଦୁଃଖ ଦୁର୍ଦ୍ଧଷା, ସେମାନଙ୍କର ସମସ୍ୟା, ଅନୁପ୍ରବେଶକାରୀ ଆନ୍ଧ୍ର କିଭଳି ଏମାନଙ୍କୁ ହଇରାଣ ହରକତ କରୁଛି ପଚାରି ବୁଝିଥିଲେ। ରାଜ୍ୟସରକାରଙ୍କ କୌଣସି କ୍ୟାବିନେଟ୍‌ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଏଠାକୁ ଗସ୍ତ କରି ସାଧାରଣଲୋକଙ୍କ ସମସ୍ୟା ସହ ଜଡ଼ିତ ହେବାକୁ ଚେଷ୍ଟା କରିଛନ୍ତି କି ବୋଲି ଏମାନେ ପ୍ରଶ୍ନ କରିଛନ୍ତି। ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଡାକି ସମସ୍ୟା ସଂପର୍କରେ ଆଲୋଚନା କରିବା ବଦଳରେ ସାମାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବା କେତେ ଦୁର ଠିକ। ଆନ୍ଧ୍ରସରକାରଙ୍କ ବିଭିନ୍ନ ଯୋଜନାର ବୋର୍ଡ ଉପରସେମ୍ବୀ, ତଳସେମ୍ବୀ, ଫଗୁ ‌ସିନେରୀ, ଫାଟୁ ସିନେରୀ, ପେଣ୍ଡାଜାମ ଆଦି ଗାଁରେ ଲାଗିଥିବା ବେଳେ ଏହି ବୋର୍ଡକୁ ହଟାଇବାକୁ ରାଜ୍ୟସରକାର କାହିଁକି କୁଣ୍ଟାବୋଧ କରୁଛନ୍ତି।

ଯଦି ସତସାହାସ ଥିଲା ତେବେ ବିଜେଡି ସୀମାନ୍ତ ଗାଁରେ ଉତ୍କଳ ଦିବସ ପାଳନ କରିବା ବଦଳରେ …ଗାଁରେ ପାଳନ କରି କେତେ ସାହାସୀ ତାହାର ପ୍ରମାଣ ଦେଇଛନ୍ତି  ବୋଲି ଉଭୟ ଅଭିଯୋଗ କରିଥିଲେ। ଏହି ଅଂଚଳର ଲୋକଙ୍କୁ ପେନସେନ୍ ଓ ଅନ୍ୟାନ୍ୟ ଯୋଜନାରେ ସାମିଲ ନାଁରେ ବାଟମାରଣା କରି ହରିଲୁଟ୍‌ କରାଯାଉଛି ବୋଲି ଅଭିଯୋଗ କରିଥିଲେ। କୋଟିଆ ଉତ୍କଳ ମା’ର ,ଏବଂ ଏହାର ସୁରକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି, ଯଦି ସତସାହସ ଅଛି ତେବେ ରାଜ୍ୟସରକାର ଏବଂ ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରନ୍ତୁ ବୋଲି କହିଛନ୍ତି। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ କରିବା ଲକ୍ଷ୍ୟ କେନ୍ଦ୍ର ମନ୍ତ୍ରୀ ରଖିଛନ୍ତି, ମିତ୍ୟା ଆରୋପ ଲଗାଇ ବଦନାମ କରିବା ଠିକ୍ ନୁହେଁ ବୋଲି ଏମାନେ କହିଛନ୍ତି।

ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ତତ୍କାଳୀନ ଶିକ୍ଷାରାଷ୍ଟ୍ରମନ୍ତ୍ରୀ ଓ  ବର୍ତ୍ତମାନର ବିଧାୟକ  କେତେ ଦୁର ପ୍ରୟାସ କରିଛନ୍ତି ବୋଲି ଓଲଟି ପ୍ରଶ୍ନ କରିଥିଲେ। ଯଦି ପରିସୀମା (କ୍ରାଇଟେରିଆ)ରେ ଥିଲେ ନିଶ୍ଚିତ ରୁପେ ହେବ ବୋଲି କହିଛନ୍ତି। କେନ୍ଦ୍ରସରକାର ପାନୀୟ ଜଳ ଠାରୁ ଆରମ୍ଭ କରି ଗରିବ କଲ୍ୟାଣ ଅନ୍ନ ଯୋଜନା, ଭାରତମାଳା ପ୍ରକଳ୍ପ ଠାରୁ ଆରମ୍ଭ କରି ‌ଆମୃତ ଧାରା ପ୍ରକଳ୍ପରେ ରେଳଷ୍ଟେସନ ଗୁଡିକର ବିକାଶ , ଅଧିକା ରେଳ ଚଳାଇବା ଆଦି ଯୋଜନା କରିଛନ୍ତି। ରାଜ୍ୟସରକାର ଜମି ଅଧିଗ୍ରହଣ କରିବା ସହ ସ୍ଥାୟୀ ଜମି ଭୁବନ୍ଦୋବସ୍ତ ଅଧିକାରୀ, କର୍ମଚାରୀ ନିଯୁକ୍ତି  କରି ନ ପାରିଲେ କେନ୍ଦ୍ର ସରକାର କଣ କରିବ ବୋଲି ପ୍ରଶ୍ନ କରିଛନ୍ତି।  ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ କଂଗ୍ରେସରେ ଥିବା ବେଳେ ଭିନ୍ନ ରୁପରେ ଥିଲେ ରାଜ୍ୟସରକାରଙ୍କ ଅବହେଳାକୁ ଖୁଲମଖୁଲ୍ଲା ଭାବେ କହୁଥିଲେ। ଏବେ ବିଜୁଜନତା ଦଳକୁ ଯାଇ ଦଳର ଗୁଣଗାନ କିଭଳି କରି ପାରୁଛନ୍ତି , ନିଜର ଆର୍ଥିକଓ ରାଜନୈତିକ ଥଇଥାନ ପାଇଁ ସେ ଏଭଳି କହୁଛନ୍ତି କି ବୋଲି ଏମାନେ ପ୍ରଶ୍ନ କରିଥିଲେ।