କୋଟିଆ ମାମଲା : ଜଷ୍ଟିସ୍ ଅନଙ୍ଗ ପଟ୍ଟନାୟକ ଦେବେ ଆଇନ ପରାମର୍ଶ

ସୀମାନ୍ତ ଅଞ୍ଚଳ ଉପରେ ନଜର ରଖିବେ ଜିଲ୍ଲାପାଳ
ପ୍ରତି ୧୫ ଦିନରେ ଦେବେ ଗୁପ୍ତ ରିପୋର୍ଟ, ଖୁଣ୍ଟି ଜଗିବେ ତହସିଲଦାର

ଭୁବନେଶ୍ବର : କୋଟିଆ ଅଞ୍ଚଳକୁ ସମ୍ପୂର୍ଣ୍ଣ ଅକ୍ତିଆରକୁ ଆଣିବା ଲାଗି ରାଜ୍ୟ ସରକାର ଏବେ ବିଶେଷ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। କୋଟିଆ ମାମଲାରେ ସରକାର ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କଠାରୁ ଆଇନଗତ ପରାମର୍ଶ ନେବେ। ଆଡ଼ଭୋକେଟ୍ ଜେନେରାଲଙ୍କ ପରାମର୍ଶ ଭିତ୍ତିରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି।

ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କୋରାପୁଟ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ଯେ ସେ କୋଟିଆ ସଂପର୍କିତ ସମସ୍ତ କାଗଜପତ୍ର, ତଥ୍ୟ, ଦଲିଲ ଧରି ନୂଆଦିଲ୍ଲୀ ଯାନ୍ତୁ। ଶ୍ରୀ ପଟ୍ଟନାୟକଙ୍କୁ ଏସବୁ ପ୍ରଦାନ ସହିତ ବିଶଦ ତଥ୍ୟ ଜଣାଇବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ବରିଷ୍ଠ ଆଡ଼ଭୋକେଟ୍ ସୁମନ ପଟ୍ଟନାୟକଙ୍କୁ ମଧ୍ୟ ସାଙ୍ଗରେ ନେବା ଲାଗି ଜିଲ୍ଲାପାଳଙ୍କୁ କୁହାଯାଇଛି।

ଉଲ୍ଲେଖଥାଉକି, କୋଟିଆ ମାମଲାକୁ ସରକାର ଗମ୍ଭୀରତାର ସହିତ ନେଇଛନ୍ତି। କେବଳ ସେତିକି ନୁହେଁ, ସୀମାବର୍ତ୍ତୀ ଅଞ୍ଚଳର ସୁରକ୍ଷା ନେଇ ରାଜସ୍ବ ବିଭାଗ ପାଗ ଭିଡ଼ିଛି। ନିଜେ ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାନ୍ତ ୧୪ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। ଏକ ଚିଠି ଲେଖି ସେମାନଙ୍କୁ ଜଣାଇଛନ୍ତି ଯେ ସେମାନେ ମାସକୁ ଦୁଇଥର ଅର୍ଥାତ୍ ପ୍ରତି ୧୫ ଦିନରେ ସୀମାନ୍ତ ଅଞ୍ଚଳ ସଂପର୍କରେ ଏକ ଗୁପ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। କେବଳ ସେତିକି ନୁହେଁ, ସୀମାନ୍ତ ଅଞ୍ଚଳର ତହସିଲଦାରମାନେ ସୀମା ଖୁଣ୍ଟି ଠିକ୍ ଅଛି କି ନାହିଁ, ସେ ସଂପର୍କରେ ମଧ୍ୟ ନଜର ରଖିବେ ଓ ଆବଶ୍ୟକ ତଥ୍ୟ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର