କୋଟିଆ ମାମଲା: ମେ ୧୦କୁ ଶୁଣାଣି ଘୁଞ୍ଚିଲା

କଟକ : କୋଟିଆ ସଂପର୍କିତ ଜନସ୍ବାର୍ଥ ମାମଲାର ହାଇକୋର୍ଟରେ ଶୁଣାଣି ଘୁଞ୍ଚିଛି। କୋଟିଆ ପ୍ରସଂଗ ନେଇ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିବା ଦୃଷ୍ଟିରୁ ହାଇକୋର୍ଟ ଆଜି ଏ ସଂପର୍କିତ ଦୁଇ ଜନସ୍ବାର୍ଥ ଆବେଦନର ଶୁଣାଣି ଘୁଞ୍ଚାଇ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇଟି ମାମଲାର ପରବର୍ତ୍ତୀ ଶୁଣାଣି ମେ୧୦ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶାରେ ଆନ୍ଧ୍ରର ଅନୁପ୍ରବେଶ ରୋକିବା ପାଇଁ ତଥା ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକର ସୁରକ୍ଷା ପାଇଁ ଉପଯୁକ୍ତ ନିର୍ଦ୍ଦେଶ ପ୍ରାର୍ଥନା କରି ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏହି ଜନସ୍ବାର୍ଥ ମାମଲା ଗତ ଫେବ୍ରୁଆରି ୧୦ରେ ଦାୟର କରିଥିଲେ। ଆବେଦନରେ ଦର୍ଶାଯାଇଛି, କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଳଗଞ୍ଜେଇପଦର, ପଟୁସିନେରୀ ଓ ଫଗୁଣସିନୋରୀ ଗାଁକୁ ଆନ୍ଧ୍ର ପୃଥକ ପଞ୍ଚାୟତ ମାନ୍ୟତା ଦେଇ ନିର୍ବାଚନ କରିବାକୁ ଘୋଷଣା କରିଥିଲା। ସେହିଭଳି ଭାବେ ପାତ୍ରପୁର ବ୍ଲକରେ ଲୋକଙ୍କ ଦୁଇଟି ‌ଭୋଟର ପରିଚୟପତ୍ର ରହିଛି। ଗୋଟିଏ ଆନ୍ଧ୍ର ପ୍ରଦେଶର ହୋଇଥିବାବେଳେ ଓ ଅନ୍ୟଟି ଓଡ଼ିଶାର ଭୋଟର ପରିଚୟପତ୍ର। ସୀମାନ୍ତବର୍ତ୍ତୀ ଅଞ୍ଚଳର ଅଧିକାଂଶ ଗାଁର ଲୋକଙ୍କୁ ଆନ୍ଧ୍ର ସରକାର ଭୋଟର ପରିଚୟପତ୍ର ପ୍ରଦାନ କରିଛନ୍ତି। ଗଞ୍ଜାମ, କୋରାପୁଟ ଓ ଗଜପତିର ମୋଟ ୫୮ଟି ଗାଁରେ ଆନ୍ଧ୍ର ସରକାରଙ୍କ ତରଫରୁ ପଞ୍ଚାୟତ ନିର୍ବଚନ ପାଇଁ ଯୋଜନା ଚୂଡାନ୍ତ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ କରିଛି ଆନ୍ଧ୍ର। ସୀମନ୍ତବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ର ସରକାର କେବଳ ଭୋଟର ପରିଚୟପତ୍ର ପ୍ରଦାନ କରିନାହାନ୍ତି, ବିଭିନ୍ନ ସରକାରୀ ଯୋଜନାରେ ମଧ୍ୟ ଲୋକମାନଙ୍କୁ ସାମିଲ କରିଛନ୍ତି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ସେହିଭଳି ଭାବେ ହାଇକୋର୍ଟର ଆଇନଜୀବୀ ଦେବଦତ୍ତ କବି ଶତପଥୀଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ କୋରାପୁଟର କୋଟିଆ ଗ୍ରାମସମୂହ ଓ ଗଞ୍ଜାମର ପାତ୍ରପୁର ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ଉତ୍କଟ ଦାରିଦ୍ର, ନିରକ୍ଷରତା ଓ ଅନଗ୍ରସର ସ୍ଥିତିର ସୁଯୋଗ ନେଇ ଆନ୍ଧ୍ର ପ୍ରଶାସନ ଏହି ସବୁ ଅଞ୍ଚଳକୁ ନିଜ ନିଯନ୍ତ୍ରଣାଧୀନ କରିବା ପାଇଁ ବର୍ଷ ବର୍ଷ ଧରି ଉଦ୍ୟମ ଜାରି ରଖିଛି। ଓଡ଼ିଶା ସୀମାରେ ବାରମ୍ବାର ଅନୁପ୍ରବେଶ କରୁଥିବା ଆନ୍ଧ୍ର ପ୍ରଶାସନ କୌଣସି ଦଣ୍ଡବିଧାନର ସମ୍ମୁଖୀନ ନ ହେବା ବିଡ଼ମ୍ବନାର ବିଷୟ ବୋଲି ଆବେଦନରେ ଦର୍ଶାଯାଇଛି। ଏହିସବୁ ଅଞ୍ଚଳ ଓଡ଼ିଶାର ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଚିରସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ଭାରତୀୟ ବିକାଶ ପରିଷଦ ତରଫରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା, ଆର.ଆର.ଦାସ ଏବଂ ଶ୍ରୀ କବି ଶତପଥୀ ନିଜେ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର