ରାଜନୈତିକ ପ୍ରସଙ୍ଗ ଆଡ଼କୁ ମୁହାଁଉଛି କୋଟିଆ: ଓଡ଼ିଶା ସରକାରଙ୍କୁ ସମାଲୋଚନା କଲେ ଆନ୍ଧ୍ରର ୩ ସିପିଏମ୍‌ ନେତା

ପଟାଙ୍ଗି: କୋରାପୁଟ ଜିଲ୍ଲା କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଏଥିରୁ ରାଜନୈତିକ ଫାଇଦା ନେବାକୁ ଆନ୍ଧ୍ର ଉଦ୍ୟମ ଆରମ୍ଭ କରିଛି। ଆନ୍ଧ୍ରର ୩ଜଣ ସିପିଏମ୍‌ ନେତା ଓ ସେଠାକାର ଦଳୀୟ କର୍ମୀ ଆଜି ସୀମାନ୍ତ ଗାଁ ନେରେଡିବାଲାସା ଆସି ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବା ଘଟଣାରୁ ଏହା ଜଣାପଡ଼ିଛି। ଫଳରେ, ଆଗାମୀଦିନରେ କୋଟିଆ ଏକ ରାଜ‌ନୈତିକ ପ୍ରସଙ୍ଗ ଭାବେ ଉଭାହେବାକୁ ଯାଉଛି। ଗତ କିଛିଦିନ ହେଲା ପଟାଙ୍ଗି ବ୍ଲକ୍‌ର ସୀମାନ୍ତ ଗାଁଗୁଡ଼ିକରେ ଆନ୍ଧ୍ରର ସନ୍ଦେହଜନକ ଗତିବିଧି ଏବଂ ଅନୁପ୍ରବେଶ ବଢ଼ିଛି। ବାରମ୍ବାର ଓଡ଼ିଶାରେ ପଶି ନିଜ ରାଜ୍ୟର ପ୍ରଚାର କରିଯାଉଛନ୍ତି। କେତେବେଳେ ପ୍ରଶାସନିକ ଅଧିକାରୀ ତ ଆଉ କେତେବେଳେ ଜନପ୍ରତିନିଧି କୋଟିଆ ଆସି ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସିପିଏମ୍‌ ସାଲୁର ଜୋନାଲ କମିଟି ନେତା ଚେଦାଲା ପାରାୟା, ତାମାଲ ଏଣ୍ଡୁ, କାନ୍ଦୁଲ ପ୍ରସାଦ ନେରେଡିବାଲାସା ଗାଁକୁ ଆସିଥିଲେ। ସେମାନଙ୍କ ସହିତ କେତେଜଣ ଦଳୀୟ କର୍ମୀ ବି ଆସି ନେରେଡିବାଲାସାରେ ଏକ ଶୋଭାଯାତ୍ରା କରିଥିଲେ। ଏହି ସିପିଏମ୍‌ ନେତାମାନେ ଓଡ଼ିଶା ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ ସରକାରଙ୍କ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହିତ, ମାନ୍ତ ଗାଁ ଗୁଡ଼ିକ ଆନ୍ଧ୍ରର ବୋଲି ଘୋଷଣା କରାଯାଉ ବୋଲି ଦାବି କରିଥିଲେ। ଆହୁରି ମଧ୍ୟ ଦାବି କରିଥିଲେ ଯେ ଓଡ଼ିଶା ପକ୍ଷରୁ ସୀମାନ୍ତ ଗାଁ ଗୁଡ଼ିକର ଜମି ସର୍ଭେ କରାଯାଉ । ଏଥିସହିତ, ନୂଆବର୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗଣତନ୍ତ୍ର ବିରୋଧୀ ନୀତି ପାଇଁ ଏକାଠି ହେବାକୁ ଲୋକଙ୍କୁ ଆହ୍ବାନ ଦେଇଥିଲେ। ସୀମାନ୍ତ ଗ୍ରାମବାସୀ ଦୁଇ ରାଜ୍ୟର ବିବାଦ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଯଥାଶୀଘ୍ର ସୀମା ବିବାଦ ସମାଧାନ କରିବାପାଇଁ ବି ଦାବି କରିଥିଲେ।

କିଛିଦିନ ଧରି ଆନ୍ଧ୍ରର ଅଣ-ଶାସକ ଦଳ ନେତା କୋଟିଆକୁ ଆସି ଶୋଭାଯାତ୍ରା କରିବା ଏବଂ ଓଡ଼ିଶା ସରକାରଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଆନ୍ଧ୍ରର ଅଣଶାସକ ଦଳ ନେତାମ‌ାନେ ଶୋଭାଯାତ୍ରା କରିବା ସହ ଘର ଘର ବୁଲି ସ୍ଥାନୀୟ ଲୋକଙ୍କ ଠାରୁ ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରିଥିଲେ। ଯେମିତି ‌ପରିବାର ସଦସ୍ୟ ସଂଖ୍ୟା, ସମସ୍ତଙ୍କ ନାମ ଓ ବୟସ ସହ କେଉଁ ପ୍ରକାର ସୁବିଧା ସୁଯୋଗ ମିଳୁଛି, ସେ ସମ୍ପର୍କରେ ପଚାରି ବୁଝିଥିଲେ। ଏହାପୂର୍ବରୁ କିନ୍ତୁ ଶାସକ ୱାଇଏସ୍‌ଆର କଂଗ୍ରେସ କୋଟିଆକୁ ଆସି ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମର ଆୟୋଜନ କରୁଥିବାର ନଜିର୍‌ ରହିଛି। ଗତବର୍ଷ ମଧ୍ୟ ପଞ୍ଚାୟତ ନିର୍ବାଚନ ସରିବା ପରେ ଶାସକ ଦଳ ୱାଇଏସ୍‌ଆର କଂଗ୍ରେସ ପକ୍ଷରୁ ବଡ଼ଧରଣର ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା। ସାଲୁରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶାସକ ଦଳ ପକ୍ଷରୁ କୋଟିଆରେ ଆନ୍ଧ୍ର ପକ୍ଷରୁ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏବେ ପଡ଼ୋଶୀ ରାଜ୍ୟର ଅଣଶାସକ ଦଳ ନେତାଙ୍କ ପ୍ରବେଶ ସହ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବା ଘଟଣା ଆଗାମୀଦିନରେ କୋଟିଆକୁ ରାଜନୈତିକ ପ୍ରସଙ୍ଗ ଭାବେ ଠିଆ କରିବାର ଯଥେଷ୍ଟ ସମ୍ଭବନା ରହିଛି।

ସମ୍ବନ୍ଧିତ ଖବର