କେମିତି ହେବ କୋଟିଆର ବିକାଶ ? ବନ୍ଦ ହେଇଗଲା ହାଟ, ବସ ଥରେ ଅଧେ ଆସୁଛି

କୋରାପୁଟ : କୋଟିଆ ପାଇଁ ଟଙ୍କା ଅଜାଡି ଦେଇଛନ୍ତି ସରକାର। ପାଖାପାଖି ଦେଢ ଶହ କୋଟିର କାମ ଚାଲିଛି। ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ବ ଦେଇ ଥାନାରୁ ଡାକ୍ତରଖାନା ପର୍ଯ୍ୟନ୍ତ ବହୁ କୋଠା ନିର୍ମାଣ କରାଯାଉଛି। ଏହା ଭିତରେ କିନ୍ତୁ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ହୋଇ ପାରୁନି। ଲୋକଙ୍କ ସୁବିଧା ପାଇଁ କୋଟିଆରେ ବସା ଯାଇଥିବା ହାଟ କିଛି ଦିନ ହେଲା ବନ୍ଦ ହୋଇ ଯାଇଛି। ଏପଟେ କୋଟିଆକୁ ଯିବା ଆସିବା କରୁଥିବା ବସ ମଧ୍ୟ ନିୟମିତ ଯାଉନି। ଫଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲାବେଳେ ସେମାନଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୨୧ଟି ଗାଁକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଥିଲାବେଳେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। କିନ୍ତୁ ଉଭୟ ରାଜ୍ୟ ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଦୁଇ ବର୍ଷ ତଳେ ଆନ୍ଧ୍ରର ଅନୁପ୍ରବେଶ ପରେ ଓଡ଼ିଶା ସରକାର ଅଧିକ ତତ୍ପର ହୋଇ ଉଠିଥିଲେ। କୋଟିଆର ବିକାଶ ପାଇଁ ଓଡ଼ିଶା ସରକାର ପାଖାପାଖି ୧୫୦ କୋଟି ଟଙ୍କା ବ୍ୟୟ ବରାଦ କରି କାମ ଆରମ୍ଭ କରି ଦେଇଛନ୍ତି। ବିଭିନ୍ନ କାର୍ଯ୍ୟାଳୟ, ଥାନା, ଡାକ୍ତରଖାନା, ସରକାରୀ କ୍ବାଟର୍ସ ଆଦି ନିର୍ମାଣ ଚାଲିଛି। ତେବେ ଲୋକଙ୍କ ସୁବିଧା ପ୍ରତି ଯେମିତି ଯତ୍ନବାନ ହେବା କଥା ଏ ପର୍ଯ୍ୟନ୍ତ ତାହା ଦେଖିବାକୁ ମିଳିନି। ବିଭିନ୍ନ ଗାଁକୁ ରାସ୍ତା ଯୋଗାଯୋଗ ହୋଇ ପାରିଥିଲେ ମଧ୍ୟ ଗାଡି ଗଡୁନି। ଏପଟେ ଲୋକଙ୍କ ସୁବିଧା ପାଇଁ କୋଟିଆରେ ବସୁଥିବା ହାଟ କିଛି ଦିନ ହେଲା ବନ୍ଦ ହୋଇଯାଇଛି। କୋଟିଆରେ ହାଟ ବସିବା ପରେ ଅଂଚଳବାସୀ ଏଠାକୁ ଆସି କିଣାବିକା କରୁଥିଲେ। ହାତ ପାଖରେ ବିଭିନ୍ନ ସାମଗ୍ରୀ ପାଉଥିଲେ ଲୋକେ। ନିଜର ଉତ୍ପାଦିତ ସାମଗ୍ରୀ ମଧ୍ୟ ଠିକଣା ଭାବେ ବିକ୍ରି କରି ପାରୁଥିଲେ। କିନ୍ତୁ ହାଟରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଆଳ ଦେଖାଇ ଏହାକୁ ବନ୍ଦ କରି ଦିଆଯାଇଛି। ଫଳରେ ଲୋକମାନେ ପୁଣି ଥରେ କୁନ୍ଦୁଲି ହାଟ ଉପରେ ନିର୍ଭର ହେବାକୁ ବାଧ୍ୟ ହେଉଛନ୍ତି।

ଅପରପକ୍ଷରେ କୋଟିଆକୁ ଯିବା ଆସିବା କରୁଥିବା ଏକମାତ୍ର ବସ୍ ମଧ୍ୟ ନିୟମିତ ଯାତାୟତ କରୁନି। ଏହି ବସ ଯାଉଥିବାରୁ ଲୋକମାନେ କୋଟିଆରୁ କୁନ୍ଦୁଲି, କୋରାପୁଟ, ଜୟପୁର ଆଦି ସ୍ଥାନକୁ ସହଜରେ ଯିବା ଆସିବା କରି ପାରୁଥିଲେ। କିନ୍ତୁ ବସ ଦିନେ ଚାଲିଲେ, ଦୁଇ ଦିନ ବନ୍ଦ। ଫଳରେ ଲୋକମାନେ ଯିବା ଆସିବାରେ ଅସୁବିଧା ହେଉଛି। ଜରୁରୀ କାମରେ ଯିବାକୁ ଚାହିଁଲେ କମାଣ୍ଡର ଓ ଅଟୋ ଉପରେ ନିର୍ଭର କରିବାକୁ ପଡୁଛି। କେବଳ ଏତିକି ନୁହେଁ, କୋଟିଆକୁ ୩ ଫେଜ ବିଜୁଳି ଯାଉଥିବା କୁହାଯାଇଥିଲେ ମଧ୍ୟ ସାଂଘାତିକ ବିଦ୍ୟୁତ ବିଭ୍ରାଟ ଦେଖା ଦେଉଛି। ଥରେ ଥରେ ଲାଇନ ଗଲେ ଦୁଇ ଦିନ ପର୍ଯ୍ୟନ୍ତ ଆସୁନି। ପୁଣି ଅଧିକାଂଶ ସମୟରେ ବିଦ୍ୟୁତ କାଟ। ଫଳରେ ଗାଁରେ ଗାଁରେ ଷ୍ଟ୍ରିଟ ଲାଇଟ ଲଗା ଯାଇଥିଲେ ମଧ୍ୟ ଏହା ଅନ୍ଧାରରେ ରହୁଛି। ପୁଣି ବିଦ୍ୟୁତ ବିଭ୍ରାଟ ହେଉଥିବାରୁ କୋଟିଆରେ ନିର୍ମାଣ କରାଯାଇଥିବା ମୋବାଇଲ ଟାୱାର ଠିକ ଭାବେ କାର୍ଯ୍ୟ କରୁନି। କେତେବେଳେ କେମିତି ମୋବାଇଲ ଲାଗୁଥିଲାବେଳେ ପ୍ରାୟ ସମୟରେ ନେଟୱାର୍କ ରହୁ ନ ଥିବା ଲୋକମାନେ ଅଭିଯୋଗ କରିଛନ୍ତି।

ଏମିତି ମାଣ ମାଣ ଅଭିଯୋଗ ଆଜି କୋଟିଆବାସୀ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି। ରାସ୍ତାଘାଟ ଓ କାର୍ଯ୍ୟାଳୟ ନିର୍ମାଣ ନେଇ ପ୍ରଶାସନକୁ ଧନ୍ୟବାଦ ଦେଇଥିଲାବେଳେ ଲୋକମାନଙ୍କର ମୌଳିକ ସୁବିଧା ଓ ଜୀବନଜୀବିକାର ବିକାଶ ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଛନ୍ତି। ନିୟମିତ ବସ ଚଳାଚଳ, ବିଜୁଳି ଯୋଗାଣ, ହାଟ ଚଲାଇବାକୁ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର