କୋଟିଆ ବିବାଦ: ସାମ୍ନାକୁ ଆସିଲା ଆନ୍ଧ୍ରର ବଡ଼ ଷଡ଼୍‌ଯନ୍ତ୍ର‌; ସମର୍ଥନ ପତ୍ର ସହ ଦିଲ୍ଲୀରେ ଏଜେଣ୍ଟ

ପୂର୍ବରୁ କୋଟିଆବାସୀଙ୍କ ଦସ୍ତଖତ କରାଇଥିଲେ, ସୁପ୍ରିମ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବା ଆଶଙ୍କା

କୋରାପୁଟ : କୋଟିଆ ବିବାଦର ସମାଧାନ ବଦଳରେ ବଢ଼ାଇବାକୁ ଚାହୁଛି ଆନ୍ଧ୍ର। ଦୁଇ ଏଜେଣ୍ଟଙ୍କ ଦିଲ୍ଲୀ ଗସ୍ତ ପରେ ଏହା ସ୍ପଷ୍ଟ ହୋଇଛି। ଏଥର ଆନ୍ଧ୍ର ପାଇଁ ସୁପ୍ରିମ କୋର୍ଟରେ ମାମଲା ଦୁଇ ଏଜେଣ୍ଟ ଲଢ଼ିବେ ବୋଲି ସୂଚନା ମିଳିଛି। ଏଥିପାଇଁ ଦୁହେଁ କିଛି ମାସ ତଳେ କୋଟିଆବାସୀଙ୍କ ଠାରୁ ସଂଗ୍ରହ କରିଥିବା ସମର୍ଥନ ପତ୍ର ସାଥୀରେ ନେଇ ଯାଇଛନ୍ତି। ଦିନେ କିମ୍ବା ଦୁଇ ଦିନ ପରେ ଦୁଇ ଏଜେଣ୍ଟଙ୍କ ଅସଲି କାରନାମା ସାମ୍ନାକୁ ଆସିଯିବ ବୋଲି ଜଣାପଡ଼ିଛି। ଯାହାଫଳରେ ସୁପ୍ରିମ କୋର୍ଟରେ ମାମଲାର ଶୁଣାଣି ଆହୁରି ଲମ୍ବା ହେବ ବୋଲି କୁହାଯାଉଛି।

ସୁପ୍ରିମ‌ କୋର୍ଟ କୋଟିଆ ବିବାଦର ରାଜନୈତିକ ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ତେଣୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। କିନ୍ତୁ ରାଜନୈତିକ ସମାଧାନ ପାଇଁ ବିସ୍ତୃତ ଆଲୋଚନା ହେବା ପୂର୍ବରୁ ଆନ୍ଧ୍ର ନୂଆ ‌ଚାଲ୍‌ ଖେଳିଛି। ଓଡ଼ିଶାରେ ରହି ଓଡ଼ିଶା ବିରୋଧରେ କାମ କରୁଥିବା ନିଜର ଦୁଇ ଏଜେଣ୍ଟ ତଥା ‌କୋଟିଆରେ ଆନ୍ଧ୍ରର ଜେଡ୍‌ପିଟିସି ବିଶୁ ପାଙ୍ଗୀ ଏବଂ ପୂର୍ବତନ ସରପଞ୍ଚ ବିଶୁ ଗେମେଲଙ୍କୁ ମଇଦାନକୁ ଓହ୍ଲାଇଛି। ଏଜେଣ୍ଟ ଦ୍ବୟ କୋଟିଆ ଗ୍ରାମପୁଞ୍ଚର ଅଧିକାଂଶ ଗାଁରୁ ଲୋକଙ୍କ ସମର୍ଥନ ପତ୍ର ହାସଲ କରିଛନ୍ତି। ଯେଉଁଥିରେ ସେମାନେ ଆନ୍ଧ୍ରକୁ ସମର୍ଥନ କରୁଥିବା ଉଲ୍ଲେଖ ହୋଇଛି। ଏହି ସମର୍ଥନ ଆଧାରରେ କୋଟିଆକୁ ନିଜ ମାନଚିତ୍ରରେ ସାମିଲ କରିବାକୁ ଆନ୍ଧ୍ର ଯୋଜନା କରିଛି।

କୋଟିଆବାସୀଙ୍କ ସମର୍ଥନ ପତ୍ର ସୁପ୍ରିମ କୋର୍ଟରେ ଦାଖଲ ପାଇଁ ଇତି ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ଖବର ମିଳିଛି। ପୂର୍ବରୁ ବିଜୟନଗର ଜିଲ୍ଲାପାଳ, ସାଲୁର ମଣ୍ଡଳ ଅଧିକାରୀ ଓ ପିଓ ଆଇଟିଡିଏଙ୍କୁ ମଧ୍ୟ ଗାଁ ଗୁଡିକର ଲୋକେ ଆନ୍ଧ୍ରରେ ରହିବାକୁ ଲିଖିତ ଦେଇଥିଲେ। ଏ ନେଇ ବିସ୍ତୃତ ଭାବେ ସାଲୁର ବିଧାୟକ ସାମାଜିକ ଗଣମାଧ୍ୟମରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ। କିନ୍ତୁ ସେତେବେଳେ ଏହାକୁ ସେତେଟା ଗୁରୁତ୍ବ ଦିଆଯାଇ ନଥିଲା।

ଦୁଇ ଏଜେଣ୍ଟଙ୍କ ବିଶାଖାପାଟଣାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବିମାନ ଯାତ୍ରା ଏବେ ଚର୍ଚ୍ଚାକୁ ଆସିଛି। ଏପରିକି ଦୁହେଁ ସୁପ୍ରିମ କୋର୍ଟ ଯାଇଥିବା ଜଣାପଡ଼ିଛି। କାହା ନିର୍ଦ୍ଦେଶରେ ଏମାନେ ସୁପ୍ରିମ କୋର୍ଟ ଗଲେ। ନିଜ ନିଜ ଗାଁରୁ ଦୁହେଁ ସ୍ବତନ୍ତ୍ର ଗାଡ଼ିରେ ପ୍ରଥମେ ବିଶାଖାପାଟଣା ଯାଇଥିଲେ। ସେଠାରୁ ବିମାନ ଯୋଗେ ଦିଲ୍ଲୀ ଯାଇଥିବାରୁ ଏହି ବାବଦରେ ଯାହା ଖର୍ଚ୍ଚ ହୋଇଛି ତାହା ସାଲୁର ବିଧାୟକ ଯୋଗାଇ ଦେଇଥିବା ଶୁଣିବାକୁ ମିଳୁଛି। ଏବେ ଦେଖିବାକୁ ବାକି ରହିଲା ଓଡ଼ିଶା ସରକାର ଏହାର କେଉଁ ଭଳି ଜବାବ ଦେଉଛନ୍ତି।

ସମ୍ବନ୍ଧିତ ଖବର