ପଟାଙ୍ଗି : ଯେତେଯାହା କଲେ ବି ଓଡ଼ିଶା କଥା ଟିକିଏ ବି କର୍ଣ୍ଣପାତ କରୁନି ପଡ଼ୋଶୀ ଆନ୍ଧ୍ର। ନିଜର ଏଜେଣ୍ଟଙ୍କ ଦ୍ବାରା କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ର କୋଟିଆରେ ଲୋକଙ୍କୁ ମତାଇ ‌ମତଦାନରୁ ଦୂରେଇ ରଖିବାକୁ ପୂରା ଜୋର୍‌ ଲଗାଇ ଦେଇଛି।

Advertisment

ଗତକାଲି ଆନ୍ଧ୍ର ସୀମାନ୍ତ ଗାଁ ମାଡ଼କାରରେ ଆନ୍ଧ୍ରର ସ୍ବାସ୍ଥ୍ୟ ଅଧିକାରୀ ପହଞ୍ଚିଥିଲେ। ଜନସଭାର ଆୟୋଜନ କରି ସ୍ବାସ୍ଥ୍ୟକାର୍ଡ ବଣ୍ଟନ ନିମନ୍ତେ ସର୍ଭେ ଆରମ୍ଭ କରିଥିଲେ। ତେବେ ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ପ୍ରଲୋଭିତ କରିବା ଏବଂ ଓଡ଼ିଶା ବିରୋଧରେ ମତାଇବା। ଏ ନେଇ ଖବର ପାଇ କୋଟିଆ ପୁଲିସ ଏସ୍‌ଆଇ ପହଞ୍ଚି ଯାଇଥିଲେ। ତାଗିଦ୍‌ କରି ତୁରନ୍ତ ସ୍ଥାନ ଛାଡ଼ିବାକୁ ଆନ୍ଧ୍ରର ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ। କଡ଼ା ପ୍ରତିବାଦର ସମ୍ମୁଖୀନ ହୋଇ ଚାଲି ଯାଇଥିଲେ ଆନ୍ଧ୍ରର ଅଧିକାରୀ। କିନ୍ତୁ ୨୪ଘଣ୍ଟା ପୂରିବା ପୂର୍ବରୁ ଆନ୍ଧ୍ର ପୁଣି ଓଡ଼ିଶାରେ ଆଜି ଅନୁପ୍ରବେଶ କରିଥିଲା। ଏଥର କିନ୍ତୁ ନୂଆ ରଣନୀତି ଏବଂ ନୂଆ ଲୋକଙ୍କ ସହ ଓଡ଼ିଶାରେ ପଶିଥିଲେ। ସଲପଗୁଡାରେ ଜନସଭାର ଆୟୋଜନ କରି ଲୋକଙ୍କୁ ଘରୁ ଡକାଇ ଆଣିଥିଲେ। ଫାଟୁସିନେରୀ, ଡୋଲିଆମ୍ବା, କୋନାଦୋରା, ସଲପଗୁଡା, ଆଡୁଗୁଡା, ବିନ୍ଦପାଇ, କୋଟିଆ, ମୁଦାକୁରୁ, ଉପରମାଣ୍ଡାଙ୍ଗି, ବର୍ଣ୍ଣାପାଡୁ ଆଦି ଅଞ୍ଚଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଥିବା କହିଥିଲେ। ତଥାପି ଆନ୍ଧ୍ର ଏହି ଅଞ୍ଚଳର ଲୋକଙ୍କ ବିକାଶ ପାଇ ସବୁବେଳେ ଚିନ୍ତିତ ବୋଲି କୁହାଯାଇଥିଲା।

ମହେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଟିଡିଏ ପକ୍ଷରୁ ଆରଓଏମ୍‌ଆର ପତିତପାବନ ଜମି ପଣ୍ଟା ବଣ୍ଟନ କରାଯାଇଥିଲା। ଏହାପରେ ଯେଉଁ ୨୧ଖଣ୍ଡ ଗାଁ ପାଇଁ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଛି ସେହି ଗାଁର ଗ୍ରାମବାସୀ ଓଡ଼ିଶାକୁ ସିଧାସଳଖ ବିରୋଧ କରନ୍ତୁ ବୋଲି ଆହ୍ବାନ ଦିଆଯାଇଥିଲା। ଓଡ଼ିଶାର ପଞ୍ଚାୟତର ନିର୍ବାଚନକୁ ଆଦୌ ସହଯୋଗ ନ କରିବାକୁ ପରାମର୍ଶ ଦିଆଯାଇଥିଲା। ଏପରିକି ଏଠାରେ ଆନ୍ଧ୍ର ଯାହା କରିପାରିବ ତାହା ଓଡ଼ିଶା କରିପାରିବ ନାହିଁ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଆନ୍ଧ୍ର ଦ୍ବାରା ନିର୍ବାଚିତ ସରପଞ୍ଚ ଏବଂ ୨ଶହରୁ ଊର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ।