କୋଟିଆରେ ଓଡ଼ିଶା-ଆନ୍ଧ୍ର ଛକାପଞ୍ଝା, ସୀମାନ୍ତ ଗାଁରେ ପାର୍ବତୀପୁରମ ମାନ୍ୟମ ଜିଲ୍ଲାପାଳ

ମାଡ଼କାର ଗାଁରେ ସୀମା ଜଗିଲା ଓଡ଼ିଶା ପୁଲିସ, ଅନୁପ୍ରବେଶର ତଦନ୍ତ ହେବ: କୋରାପୁଟ ଜିଲ୍ଲାପାଳ

କୋରାପୁଟ/ପଟାଙ୍ଗି : ଆନ୍ଧ୍ର ସରକାର ନୂଆ ଜିଲ୍ଲା ପାର୍ବତୀପୁରମ ମାନ୍ୟମ ଗଠନ କରିବା ପରେ ଓଡ଼ିଶାରେ ବଢ଼ିଛି ଅନୁପ୍ରବେଶ। ବାରମ୍ବାର ଆନ୍ଧ୍ର ଅଧିକାରୀ କୋଟିଆରେ ପ୍ରବେଶ କରୁଛନ୍ତି ଏବଂ ଉନ୍ନୟନ କାର୍ଯ୍ୟର ତଦାରଖ କରୁଛନ୍ତି। ଜନସଂପର୍କକୁ ବଢ଼ାଇବା ପାଇଁ ପୂରା ଜୋର୍‌ ଲଗାଇ ଦେଇଥିବା ଦେଖିବାକୁ ମିଳିଛି। ତେବେ ନିଜେ ମାନ୍ୟମ ଜିଲ୍ଲାପାଳ କୋଟିଆ ଆସି ଲୋକଙ୍କୁ ଭେଟିବା ବଡ଼ ଆଶଙ୍କା ସୃଷ୍ଟି କରିଛି। ଆଗକୁ କିଛି ବଡ଼ଧରଣର ଗତିବିଧି ଏହି ବିବାଦୀୟ ଭୂଖଣ୍ଡରେ ହେବାକୁ ଯାଉଥିବା ସଂକେତ ମିଳୁଛି।

ବୁଧବାର ଅପରାହ୍ନ ପ୍ରାୟ ଗୋଟାଏ ବେଳେ ପାର୍ବତୀପୁରମ ମାନ୍ୟମ ଜିଲ୍ଲାପାଳ ନିଶାନ୍ତ କୁମାର କୋଟିଆ ପଞ୍ଚାୟତର ନେରେଡିବାଲସା ଗାଁକୁ ଆସିଥିଲେ। ସେହିପରି ସାଲୁର ମଣ୍ଡଳ ଅଧିକାରୀ ଜି. ପାର୍ବତୀ, ତହସିଲଦାର ଭି.ରାମା ରାଓ, ସାଲୁର ସିଆଇ ରୋହିଣୀ ପାଥିଙ୍କ ସହ କିଛି ପ୍ରଶାସନିକ ଅଧିକାରୀ ମଧ୍ୟ ଅନୁପ୍ରବେଶ କରିଥିଲେ। ତେବେ ଏହି ଅନୁପ୍ରବେଶ ସଂପୂର୍ଣ୍ଣ ଯୋଜନାବଦ୍ଧ ଥିଲା। କାରଣ ଜିଲ୍ଲାପାଳ ବିବାଦୀୟ ଅଞ୍ଚଳରେ ପଶିବା ପୂର୍ବରୁ ଆନ୍ଧ୍ର ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା। ଦୁଇଟି ଗାଡ଼ିରେ ୧୪ରୁ ଅଧିକ ପୁଲିସ କର୍ମଚାରୀ ସାଦା ପୋଷାକରେ ଆସି ପ୍ରଥମେ ସ୍ଥିତି ଅନୁଧ୍ୟାନ କରିଥିଲେ। ବିରୋଧର କୌଣସି ସମ୍ଭାବନା ନଥିବା ନେଇ ସୂଚନା ଦେବା ପରେ ଜିଲ୍ଲାପାଳ ଟିମ୍‌ ନେଇ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କୁ ସିଧାସଳଖ ଭେଟି ଜିଲ୍ଲାପାଳ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏଠାରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ସମୀକ୍ଷା କରିଥିଲେ। ପ୍ରାୟ ଦୁଇ ଘଣ୍ଟା ରହିବା ପରେ ଅପରାହ୍ନ ପ୍ରାୟ ୩ଟାରେ ଜିଲ୍ଲାପାଳ ଏଠାରୁ ଚାଲି ଯାଇଥିବା ସୂଚନା ମିଳିଛି।

କୋରାପୁଟ ପ୍ରଶାସନ ଏ ନେଇ ଖବର ପହଞ୍ଚିବା ପରେ ତତ୍ପରତା ପ୍ରକାଶ କରିଥିଲା। ଅନୁପ୍ରବେଶକୁ ରୋକିବା ପାଇଁ ଆରମ୍ଭ ହୋଇଥିଲା ଅଭିଯାନ। ପଟାଙ୍ଗି ବିଡିଓ ସୌମ୍ୟ ସାର୍ଥକ ମିଶ୍ର, ତହସିଲଦାର ବିରେନ୍ଦ୍ର ବାହାଦୁର ସିଂ ଧାରୁଆ, ସୁନାବେଡ଼ା ଏସ୍‌ଡିପିଓ ମନୋଜ କୁମାର ବେହେରା ଏବଂ ପଟାଙ୍ଗି ଥାନା ଆଇଆଇ କୈବଲ୍ୟ ସେଠୀ ପ୍ରମୁଖ କୋଟିଆରେ ପହଞ୍ଚିଥିଲେ। ମାଡ଼କାର ଗାଁରେ ଆନ୍ଧ୍ର ସୀମାକୁ ଦୁଇ ପ୍ଲାଟୁନ୍‌ ଫୋର୍ସ ସିଲ୍‌ କରିଥିଲେ। କୋଟିଆରେ ଅନୁପ୍ରବେଶ ରୋକିବା ନିମନ୍ତେ ଏଠାରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ଯାଞ୍ଚ ଚାଲିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏ ନେଇ କୋରାପୁଟ ଜିଲ୍ଲା ଅବଦଲ ଏମ୍‌. ଅଖତରଙ୍କୁ ଯୋଗାଯୋଗ କରିବାରୁ ରାଜ୍ୟସ୍ତରୀୟ ପ୍ରଶାସନିକ ଅଧିକାରୀ ଅନ୍ୟ ରାଜ୍ୟକୁ ଯିବାରେ କୌଣସି କଟକଣା ନାହିଁ। ତେବେ ଅନ୍ୟ ରାଜ୍ୟର ଉନ୍ନୟନ କାମରେ କୌଣସି ପ୍ରକାର ହସ୍ତକ୍ଷେପ କରିପାରିବେ ନାହିଁ। ଯଦି ଆନ୍ଧ୍ର ଅଧିକାରୀ କୋଟିଆରେ ଅନୁପ୍ରବେଶ କରିଛନ୍ତି, ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି। କିନ୍ତୁ ଆଜିର ଘଟଣା ଦୁଇ ରାଜ୍ୟ ମଧ୍ୟରେ ଛକାପଞ୍ଝାକୁ ବଢ଼ାଇ ଦେଇଛି। ବିଧାନସଭା ଚାଲିଥିବା ସମୟରେ ଆନ୍ଧ୍ରର ଏଭଳି ଅନୁପ୍ରବେଶ ପଛରରେ ବଡ଼ ଯୋଜନା ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର