ଆନ୍ଧ୍ରର ନୂଆ ଜିଲ୍ଲାରେ କୋଟିଆ: ସାଲୁର ମାନଚିତ୍ରରୁ ମିଳିଲା ପ୍ରମାଣ, ଓଡ଼ିଶା ଭିତରେ ନୂଆ ସୀମାରେଖା

ପଟାଙ୍ଗି: ନୂଆ ଜିଲ୍ଲା ଗଠନ ସହ ଓଡ଼ିଶା ଭିତରକୁ ମାଡ଼ି ଆସିଛି ଆନ୍ଧ୍ର। ସରକାରୀ ବିଜ୍ଞପ୍ତିରେ ନୂଆ ସୀମାରେଖା ଟାଣି କୋଟିଆ ପଞ୍ଚାୟତକୁ ବି ନିଜ ବୋଲି ଦର୍ଶାଇ ସାଲୁର ବ୍ଲକ୍‌ରେ ସାମିଲ କରିଛି। ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପୂର୍ବରୁ ନିଜ ରାୟ ଓଡ଼ିଶା ସରକାରଙ୍କୁ ସରକାରୀ ଭାବେ ଜଣାଇଛନ୍ତି ଆନ୍ଧ୍ର ସରକାର। କୌଣସି ପରିସ୍ଥିତିରେ ବି କୋଟିଆକୁ ଛାଡ଼ିବା ପାଇଁ ପ୍ରସ୍ତୁତ ନଥିବା ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ପୂର୍ବରୁ ରହିଥିବା ୧୩ଟି ଜିଲ୍ଲାକୁ ୨୬ଟି ଜିଲ୍ଲାରେ ବିଭକ୍ତ କରାଯାଇଥିବା ବେଳେ ନୂଆ ସୀମାରେଖା ବି ଟଣା ଯାଇଛି। ତେବେ ଏହି ନୂଆ ଜିଲ୍ଲା ଗଠନ ନୂଆ ବିବାଦ ସୃଷ୍ଟି କରିଛି। ଓଡ଼ିଶା ପାଇଁ ଚିନ୍ତା ମଧ୍ୟ ବଢ଼ାଇ ଦେଇଛି। କାରଣ କୋରାପୁଟ ଜିଲ୍ଲାର ସୀମାନ୍ତ ପଞ୍ଚାୟତ କୋଟିଆକୁ ନିଜ ରାଜ୍ୟରେ ଅନ୍ତର୍ଭୁକ୍ତ କରିଛି ଆନ୍ଧ୍ର। ପୂର୍ବରୁ ଓଡ଼ିଶା ସୀମାରେ ରହିଥିବା ବିଜୟନଗର ଜିଲ୍ଲାକୁ ବିଭକ୍ତ କରାଯାଇ ଏବଂ ଶ୍ରୀକାକୁଲମ ଜିଲ୍ଲାର କିଛି ଅଂଶକୁ ମିଶାଇ ନୂଆ ଜିଲ୍ଲା ‘ପାର୍ବତୀପୁରମ ମାନ୍ୟମ’ ବୋଲି ନାମକରଣ କରାଯାଇଛି। ଏହି ଜିଲ୍ଲାର ସାଲୁର ମଣ୍ଡଳରେ ସଂପୂର୍ଣ୍ଣ କୋଟିଆ ପଞ୍ଚାୟତକୁ ମିଶ୍ରଣ କରାଯାଇଛି।

ଆନ୍ଧ୍ର ସରକାର ‘ପାର୍ବତୀପୁରମ ମାନ୍ୟମ’ ଜିଲ୍ଲା ପାଇଁ କରିଥିବା ସ୍ବତନ୍ତ୍ର ୱେବ୍‌ସାଇଟ୍‌ରେ ସଂପୂର୍ଣ୍ଣ ବିବରଣୀ ଦେଇଛନ୍ତି। ଏହି ସରକାରୀ ୱେବ୍‌ସାଇଟ୍‌ର ବିବରଣୀ ଅନୁସାରେ କୋଟିଆ ପଞ୍ଚାୟତକୁ ତିନୋଟି ଭାଗରେ ବିଭକ୍ତ କରି ପଞ୍ଚାୟତର ମାନ୍ୟତା ଦିଆଯାଇଛି। ଓଡ଼ିଆର ଗାଁ ଗୁଡ଼ିକର ନାମକୁ ତେଲୁଗୁ ଉଚ୍ଚାରଣ ଅନୁସାରେ ତଥା ସାମାନ୍ୟ ପରିବର୍ତ୍ତନ କରି ନିଜର ବୋଲି ଦର୍ଶାଯାଇଛି। ଗଞ୍ଜେଇପଦର, ନେରେଡିବାଲସା, କୋଟିଆ, ଫଗୁଣସିନେରୀ ଆଦି ଆନ୍ଧ୍ରର ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି। ସାଲୁର ବ୍ଲକ୍‌ର ମାନଚିତ୍ରରେ ଓଡ଼ିଶାର କିଛି ଗାଁର ନାଁ ରହିଥିବା ବେଳେ ସାଲୁର ବିଧାନସଭା ନିର୍ବାଚନ ମଣ୍ଡଳୀର ମାନଚିତ୍ରରେ କିଛି ଗାଁର ନାମ ରହିଛି। ପୂର୍ବରୁ ବି ବିଜୟନଗର ଜିଲ୍ଲା ଅଧୀନରେ ଏହି ଗାଁ ଗୁଡ଼ିକ ରହିଥିଲା। ତେବେ ଏ ସବୁ ସୁଚିନ୍ତିତ ରଣନୀତି ଅନୁସାରେ ଆନ୍ଧ୍ର ସରକାର କରିଛନ୍ତି।

ସମ୍ବନ୍ଧିତ ଖବର