ଭୁବନେଶ୍ବର: କୋଟିଆ ହେଉଛି ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। କୋଟିଆକୁ ନେଇ କେବେ ବି ସାଲିସ କରାଯିବନାହିଁ। ୧୦୦ବର୍ଷ ଧରି ଓଡ଼ିଶା ଓ ଆନ୍ଧ୍ର ଭିତରେ ଏହି ସମସ୍ୟା ଲାଗି ରହିଛି। କୋଟିଆ ପାଇଁ ଆସନ୍ତା ୧ମାସ ଭିତରେ ସ୍ୱତନ୍ତ୍ର ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ ହେବ। ସୁପ୍ରିମକୋର୍ଟରେ ମଧ୍ୟ ସରକାର ହାରିଥିବା ମାମଲାକୁ ପୁନଃଜୀବିତ କରାଯିବ ବୋଲି ବିକଶିତ କୋଟିଆ ପାଇଁ ଗଠନ ହୋଇଥିବା ସ୍ବତନ୍ତ୍ର କମିଟିର ପ୍ରଥମ ବୈଠକରେ ଏଭଳି ଆଭିମୁଖ୍ୟ ଦେଖାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। 

Advertisment

ଶ୍ରୀ ପୂଜାରୀ କହିଛନ୍ତି ଯେ ବିଭାଗୀୟ ସଚିବମାନେ ଜିଲ୍ଲାପାଳଙ୍କ ସହ ଆଲୋଚନ କରି ନିଜ ନିଜ ବିଭାଗର ଯୋଜନା ଓ ରୋଡ୍‌ ମ୍ୟାପ୍‌ ପ୍ରଦାନ କରିବେ। କୋଟିଆ ପାଇଁ ଆର୍ଥିକ, ସାମାଜିକ, ସାଂସ୍କୃତିକ ବିକାଶ ପାଇଁ ଯୋଜନା ହାତକୁ ନିଆଯିବ। ରାସ୍ତାଘାଟ ସହ ଭିତ୍ତିଭୂମିର ବିକାଶ, ଚାଷୀଙ୍କ ପାଇଁ ବଜାର ସୁବିଧା, ଯୁବକଙ୍କ ପାଇଁ ପର୍ଯ୍ୟାପ୍ତ କାମ ଆଦି ଆଖି ଆଗରେ ରଖି ବିଭାଗଗୁଡ଼ିକ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବେ। କ୍ଷେତ୍ରସ୍ତରରେ ସମସ୍ତ ସମସ୍ୟାକୁ ଚିହ୍ନଟ କରାଯିବ। ଲୋକଙ୍କ ଦ୍ୱାରଦେଶରେ ସବୁ ସୁବିଧା କିଭଳି ପହଞ୍ଚିବ, ତାହା ଉପରେ ଗୁରୁତ୍ୱ ଦିଆଯିବ। ମାଲିମକଦ୍ଦମା ଠିକ୍‌ ଭାବେ ପରିଚାଳନା ନ ହେବା କାରଣରୁ ଓଡ଼ିଶା କ୍ଷତିଗ୍ରସ୍ତ ହେଲା। ପୂର୍ବ ସରକାର ଠିକ୍‌ ଭାବେ ତଥ୍ୟ ରଖି ପାରିଲେନି। ସୁପ୍ରିମକୋର୍ଟରେ ଅନ୍ୟ ଏକ ମାମଲାରେ ହାରିବା ପରେ ତାକୁ ପୁନଃଜୀବିତ ପାଇଁ ଉଦ୍ୟମ କରାଯାଇଛି। ଆଇନଜୀବୀଙ୍କ ସହ ପରାମର୍ଶ କରାଯାଉଛି। ଏହି ବୈଠକରେ କମିଟିର ସଦସ୍ୟ, ବିଭିନ୍ନ ବିଭାଗର ସଚିବ, କୋରାପୁଟ ଜିଲ୍ଲପାଳ, ଏସ୍‌ପି ଓ ପୂର୍ବତନ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ।