ରାଜ୍ୟ ପ୍ରଶାସନ ଓ ଗୁଇନ୍ଦା ବିଭାଗ ବିଫଳ : ଗଭୀର ଭାବଗତ ସମ୍ପର୍କ ସତ୍ତ୍ବେ ବାଧ୍ୟବାଧକତାରେ ଓଡ଼ିଆ ଲୋକେ ଆନ୍ଧ୍ର ମୁହାଁ : ସମୀର ମହାନ୍ତି

ବିଜେପି ପକ୍ଷରୁ ସୀମାନ୍ତ ସୁରକ୍ଷା ସେଲ୍ ଗଠନ କରାଯିବ

ଭୁବନେଶ୍ୱର : ୨୦୦୬ ମସିହାରେ ସୁପ୍ରିମକୋର୍ଟ କୋଟିଆ ଉପରେ ସ୍ଥିତାବସ୍ଥା ରକ୍ଷା କରିବା ପାଇଁ ଆଦେଶ ଦେଇଛନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶ ସରକାର ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ଅବମାନନାନ କରି ବିଗତ କିଛି ବର୍ଷ ଧରି ମନୋନୟନ ପ୍ରକ୍ରିୟାରେ ନିର୍ବାଚନ କରୁଥିବା ବେଳେ ଚଳିତ ବର୍ଷ ପ୍ରତ୍ୟକ୍ଷ ନିର୍ବାଚନ କରୁଛନ୍ତି। ବିଳମ୍ବରେ ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ଅବୈଧ ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରିପାରିଲେ ନାହିଁ। ଓଡ଼ିଶା ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଗୁଇନ୍ଦା ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଗଭୀର ଭାବଗତ ସମ୍ପର୍କ ସତ୍ତ୍ବେ ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳବାସୀ ବାଧ୍ୟବାଧକତାରେ ଆନ୍ଧ୍ର ମୁହାଁ ହୋଇଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ତେବେ ବିଜେପି ଆଉ ଗୋଟିଏ ଷଢ଼େଇକଳା-ଖରସୁଆଁ ଘଟଣାର ପୁନରାବୃତି ହେବାକୁ ଦେବ ନାହିଁ। ଏଥି ପାଇଁ ବିଜେପି ପକ୍ଷରୁ ସୀମାନ୍ତ ସୁରକ୍ଷା ସେଲ୍ ଗଠନ କରାଯିବ ବୋଲି ଶ୍ରୀ ମହାନ୍ତି ଘୋଷଣା କରିଛନ୍ତି ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଲେ ଯେ ବିଜେପିର ଏକ ପ୍ରତିନିଧି ଦଳ ୪ ଦିନିଆ ଗସ୍ତରେ ଅବିଭକ୍ତ କୋରାପୁଟ ଓ ଗଞ୍ଜାମ ଜିଲ୍ଲାର ସୀମା ଅଞ୍ଚଳ ବୁଲିଥିଲେ। ଆନ୍ଧ୍ର ଅବୈଧ ନିର୍ବାଚନ କରାଉଥିବା ଗାଁ ଗୁଡିକରେ ଗ୍ରାମବାସୀଙ୍କୁ ଏହି ବେଆଇନ ନିର୍ବାଚନରେ ସାମିଲ ନ ହେବା ପାଇଁ ଅନୁରୋଧ କରିଥିଲେ। ବହୁ ଗ୍ରାମବାସୀ ଅନୁରୋଧ ରକ୍ଷା କରି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ସହ ନିର୍ବାଚନକୁ ବର୍ଜନ କରିଛନ୍ତି। ପ୍ରତିନିଧି ଦଳ ଏହି ଗସ୍ତ ସମୟରେ ଜାଣିବାକୁ ପାଇଥିଲା ଯେ ସେଠାକାର ଲୋକମାନଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା, ବାସଗୃହ, ପାନୀୟ ଜଳ ଓ ରୋଜଗାରର ସୁବିଧା ଓଡ଼ିଶାରୁ ମିଳୁ ନାହିଁ। କେନ୍ଦ୍ର ସରକାରଙ୍କର ଚତୁର୍ଦ୍ଦଶ ଅର୍ଥ କମିସନ୍‌ରେ ଆସିଥିବା ଅର୍ଥ ବିନିଯୋଗ ହୋଇ ନାହିଁ। ଅବୈଧ ନିର୍ବାଚନ ପ୍ରକ୍ରିୟାକୁ ଆନ୍ଧ୍ରର ପ୍ରଶାସନିକ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଥିବା ବେଳେ ଓଡ଼ିଶା ସରକାର କିମ୍ବା କୋରାପୁଟ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଆଦୌ ଆସୁ ନ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିଲେ। ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା, ଓ ସମ୍ବେଦନହୀନତା କାରଣରୁ କୋଟିଆ ଗ୍ରାମପୁଞ୍ଜର ୨୧ଟି ବିବାଦୀୟ ଗାଁର ଜନସାଧାରଣ ଆନ୍ଧ୍ର ମୁହାଁ ହେବାକୁ ବାଧ୍ୟ ହେଉଛନ୍ତି।

ବିଜେପି ରାଜ୍ୟ ସଭାପତି ଆହୁରି କହିଛନ୍ତି ଯେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ବହୁ ସୀମାନ୍ତବର୍ତୀ ଗାଁଗୁଡ଼ିକରେ ଆନ୍ଧ୍ର ବେଆଇନ ଭାବେ ପଞ୍ଚାୟତ ନିର୍ବାଚନ କରୁଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର ଏହି ସବୁ ତଥ୍ୟକୁ ରାଜ୍ୟବାସୀଙ୍କ ଠାରୁ ଲୁଚାଇ ରଖିବା ପରିତାପର ବିଷୟ। ଗଞ୍ଜାମ ଜିଲ୍ଲାରେ ଆନ୍ଧ୍ର ନିର୍ବାଚନ କରୁଥିବା ବିଷୟରେ ଗଞ୍ଜଜାମ ଜିଲ୍ଲାପାଳ ଅବଗତ ନ ଥିବା ରାଜ୍ୟ ପ୍ରଶାସନର ଅପାରଗତାକୁ ଦର୍ଶାଇଛି। କୋରାପୁଟ ଜିଲ୍ଲାର କୋଟିଆ ବ୍ୟତୀତ ମାନକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳ, ରାୟଗଡ଼ା ଜିଲ୍ଲାର କେରେଡ଼ା ପଞ୍ଚାୟତ, ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତ ଓ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର ତୁମ୍ବା ଓ ବୁରାତାଲ ପଞ୍ଚାୟତରେ ଆନ୍ଧ୍ର ବେଆଇନ ଭାବେ ପଞ୍ଚାୟତ ନିର୍ବାଚନ କରିବାର ଅପଚେଷ୍ଟା କରିଛି। ଏହି ସବୁ ଅଞ୍ଚଳର ଅଧିବାସୀମାନଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ଯଥା- ପାନୀୟ ଜଳ, ପାଇଖାନା, ବିଦ୍ୟୁତ, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଇତ୍ୟାଦି ଓଡ଼ିଶା ସରକାର ପହଞ୍ଚାଇବାରେ ବିଫଳ ହୋଇଥିବା କାରଣରୁ ଆଜି ସେ ଅଞ୍ଚଳର ଲୋକେ ବାଧ୍ୟ ହୋଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ମିଳୁଥିବା ସୁବିଧା ସୁଯୋଗକୁ ଆପଣାଇବା ପାଇଁ ବାଧ୍ୟ ହେଉଛନ୍ତି। ଅନ୍ୟ ପକ୍ଷରେ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ଗୁଡିଖୁଡ଼ି ଗାଁକୁ ଗଞ୍ଜାମ ଜିଲ୍ଲାର ବୁରାତାଲ ପଞ୍ଚାୟତର ଗୁଡ଼ିଖଲା ଗ୍ରାମ ବୋଲି ଉଭୟ ଜିଲ୍ଲା ପ୍ରଶାସନ ନିଜର ଦର୍ଶାଉଛନ୍ତି। ରାଜ୍ୟ ସରକାର ଏ ସଂପର୍କରେ ଆଦୌ ଅବଗତ ନ ଥିବା ସ୍ପଷ୍ଟ ଜଣାପଡୁଛି । ଏହି କାରଣରୁ ଗ୍ରାମବାସୀମାନେ ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ରହୁଛନ୍ତି। ମୁଖ୍ୟ ଶାସନ ସଚିବ ଏବଂ ରାଜସ୍ୱ ସଚିବଙ୍କୁ ତୁରନ୍ତ ଏସଂପର୍କରେ ସ୍ପଷ୍ଟୀକରଣ ଦେଇ ଆନ୍ତଃ ଜିଲ୍ଲା ବିବାଦକୁ ପ୍ରଥମିକତା ଦେଇ ତୁରନ୍ତ ସମାଧାନ କରିବା ପାଇଁ ଶ୍ରୀ ମହାନ୍ତି ଆହ୍ୱାନ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ବିରଞ୍ଚି ତ୍ରିପାଠୀ ଓ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର