କୋଟିଆ ଦଖଲ ପାଇଁ ବାହାରିଲେ ସାଲୁର ବିଧାୟକ

୧୬ରେ ସରକାରୀ କୋଠାର ଭିତ୍ତିପ୍ରସ୍ତର କରିବାକୁ ଯୋଜନା
ଓଡ଼ିଶା ସୀମାରେ ଆନ୍ଧ୍ରକୁ ପଶିବାକୁ ଦିଆଯିବନି: ଜିଲ୍ଲାପାଳ

କୋରାପୁଟ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ର ବିବାଦୀୟ କୋଟିଆ ଗ୍ରାମପୁଞ୍ଜକୁ ନେଇ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି। ଏଭଳି ସ୍ଥିତିରେ ବିବାଦୀୟ କୋଟିଆ ଗ୍ରାମପୁଞ୍ଜକୁ ଦଖଲ କରିବାକୁ ପଣ କରିଛନ୍ତି ସାଲୁର ବିଧାୟକ ରାଜାନ୍ନା ଦୋରା ପିଡ୍ଡିକା। ଆସନ୍ତା ଅଗଷ୍ଟ ୧୬ ତାରିଖରେ ସେ ଫଗୁଣ ସିନେରି ଓ ଫାଟୁ ସିନେରିରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଥିବା ବିଶ୍ବସ୍ଥ ସୂତ୍ରରୁ ଜଣାପଡ଼ିଛି। ଏହି ଅବସରରେ ରାସ୍ତାକଡ଼ରେ ବୃକ୍ଷରୋପଣ, ପ୍ରାଥମିକ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଓ କମ୍ୟୁନିଟି କେନ୍ଦ୍ରର ଭିତ୍ତିପ୍ରସ୍ତର ପକାଇବେ ସାଲୁର ବିଧାୟକ। ଏହି କାର୍ଯ୍ୟକ୍ରମରେ ପାର୍ବତୀପୁରମର ପିଓ ଆଇଟିଡିଏ, ଉପଜିଲ୍ଲାପାଳ ଓ ଡିଏସ୍‌ପି ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ସେହିପରି ଅଗଷ୍ଟ ୧୫ ଦିନ କୋଟିଆର ୨୨ଟି ଗାଁରେ ତେଲୁଗୁ ଭାଷାରେ ଫଳକ ମାରିବାକୁ ଆନ୍ଧ୍ର ଯୋଜନା କରିଛି।

ଅପରପକ୍ଷେ କୋରାପୁଟ ଜିଲ୍ଲାପାଳ ଅବଦଲ ଏମ୍ ଅଖତର କହିଛନ୍ତି, କୌଣସି ପରିସ୍ଥିତିରେ ଓଡ଼ିଶା ସୀମାରେ ଆନ୍ଧ୍ର ପ୍ରବେଶ କରିପାରିବ ନାହିଁ। ଯଦି କଲେ ନିୟମ ଅନୁସାରେ ପ୍ରତିରୋଧ କରାଯିବ ।ଏହି ଗାଁ ଗୁଡ଼ିକରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୭୫ତମ ସ୍ବାଧୀନତା ଦିବସ ପାଳନ କରାଯିବାକୁ ଯୋଜନା ହୋଇଛି। ଏଥିପାଇଁ ୧୪ ତାରିଖ ରାତିରୁ ଜିଲ୍ଲାରୁ ପ୍ରତି ଗାଁକୁ ଦାୟିତ୍ବରେ ରହିଥିବା ସରକାରୀ କର୍ମଚାରୀ ଯାଇ ପତାକା ଉତ୍ତୋଳନ କରିବେ ବୋଲି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

କୋଟିଆକୁ କବ୍‌ଜା କରିବା ପାଇଁ ଦୁଇ ରାଜ୍ୟ ମଧୢରେ ଅର୍ଦ୍ଧ ଶତାବ୍ଦୀ ହେଲା ଲାଗି ରହିଛି ବିବାଦ। ଆଉ ବିବାଦରେ ଫସି ଯାଇଛନ୍ତି କୋଟିଆ ଗ୍ରାମପୁଞ୍ଜର ୮ ହଜାର ଲୋକ। ଏପଟେ ଦୁଇ ରାଜ୍ୟ ଆଇନଗତ ଯୁଦ୍ଧରେ ଲାଗିଥିଲେ ମଧୢ କୋଟିଆକୁ ମୌଳିକ ସୁବିଧା ସୁଯୋଗ ପହଞ୍ଚାଇବାକୁ ଗୁରୁତ୍ବ ଦେଇଚାଲିଛନ୍ତି। ଡାକ୍ତରଖାନା, ଥାନା, ରାସ୍ତାଘାଟ ଓ ହାଇଲେବୁଲ ବ୍ରିଜ କରାଇଥିବା ବେଳେ ହେଲିପ୍ୟାଡ୍ କରାଇବାକୁ ଚାଲିଛି ପ୍ରସ୍ତୁତି। ଗତ ମେ ୮ରେ କୋଟିଆରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଇଥିଲା ଆନ୍ଧ୍ର। କିନ୍ତୁ ନିର୍ବାଚନକୁ ନେଇ ନୀତି ନିୟମ ମାନି ନଥିବାରୁ ଆନ୍ଧ୍ର ହାଇକୋର୍ଟ ଭୋଟକୁ ନାକଚ କରିଥିଲେ।

ସୀମାନ୍ତରେ ଥିବା ୨୨ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧୢରେ ୧୯୬୮ ମସିହାରୁ ବିବାଦ ଚାଲିଛି। ଓଡ଼ିଶା ସରକାରଙ୍କ ହିସାବ ଅନୁଯାୟୀ, କୋଟିଆ ପଞ୍ଚାୟତରେ ୨୮ଟି ରାଜସ୍ବ ଗାଁ ଓ ୧୨ଟି ପଡ଼ାଗ୍ରାମ ରହିଛି। ଏମିତି ମୋଟ ୪୦ଟି ଗ୍ରାମକୁ ନେଇ ଗଠିତ ଏହି ପଞ୍ଚାୟତରେ ୮୭୬୪ ଲୋକ ବାସ କରୁଛନ୍ତି। ପଞ୍ଚାୟତର ଏହି ୪୦ଟି ଗ୍ରାମରୁ ୨୭ଟି ଗାଁ ବିବାଦୀୟ ହୋଇ ରହିଛି। ସେଥିରୁ ୨୧ଟି ରାଜସ୍ବ ଗ୍ରାମ ଓ ୬ଟି ପଡ଼ା ଗ୍ରାମ ରହିଛି। ଏଗୁଡିକ ହେଲା କୋଟିଆ, ଗ˚ଜେଇପଦର, ମାଡ଼କାର, ବାର୍ଣ୍ଣପାଡୁ, ଡୋଲିଆମ୍ବା, ଫଗୁଣ ସିନେରି, ଫାଟୁ ସିନେରି, ସଲପଗୁଡ଼ା, କନାଦୋରା, ହର ମାଣ୍ତିଙ୍ଗି, ସିଡ଼ିବାଲସା, ମହିପାଣି, ଉପର ସେମ୍ବି, ତଳ ସେମ୍ବି, ଧୂଳିପଦର, ଆରଜୁବାଲସା, ତାଡ଼ିବାଲସା, ନେରେଡ଼ିବାଲସା, ପନିକି, ରଣାସି˚ ଓ ସୀମାଗାଡ଼ା। ବିବାଦୀୟ ହୋଇ ରହିଥିବା ପଡ଼ା ଗ୍ରାମଗୁଡ଼ିକ ହେଲା ତଳ ଗ˚ଜେଇପଦର, କୁରୁଡ଼ିପଦର, ଜାନିଗୁଡ଼ା, ପାନକୁବାଲସା, ଟାଙ୍କରବାଲସା ଓ ଉପର ପନିକି।

ସମ୍ବନ୍ଧିତ ଖବର