କୋଟିଆ ତାତି : ସରଗରମ ବଜେଟ୍‌ ଅଧିବେଶନ

ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କକ୍ଷତ୍ୟାଗ
ଗର୍ଜିଲେ ନେତା, ଗୃହକୁ ଫେରିଲେନି କଂଗ୍ରେସ ସଭ୍ୟ

ଭୁବନେଶ୍ବର : ‘ଓଡ଼ିଶା ହାତରୁ ଗଲାଣି କୋଟିଆ। ସରକାରଙ୍କ ଉଦାସୀନତା ପାଇଁ ଆନ୍ଧ୍ର ଏବେ କୋଟିଆରେ ନିର୍ବାଚନ କରି ନିଜର ଆଧିପତ୍ୟ ଜାହିର କରିଛି। କୋଟିଆ ଗ୍ରାମପୁଞ୍ଜକୁ ସୁରକ୍ଷା ଦେଇପାରିଲେ ନାହିଁ ରାଜ୍ୟ ସରକାର। କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ମୋଦୀ-ନବୀନ ହାଏ ହାଏ।’ ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ ଦିନରୁ କଂଗ୍ରେସ ସଦସ୍ୟମାନେ କୋଟିଆକୁ ନେଇ ଆଜି ଗୃହରେ ଏମିତି ହଙ୍ଗାମା କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନିଜର ଅଭିଭାଷଣ ଆରମ୍ଭ କରିବା ମାତ୍ରେ ଏହି ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ନାରାବାଜି କରି କକ୍ଷତ୍ୟାଗ କରିଥିଲେ। ଆଉ ଗୃହକୁ ଫେରି ନ ଥିଲେ। ପରେ ରାଜ୍ୟପାଳଙ୍କ ଅଭିଭାଷଣ ରଖିବାର ୧୦ ମିନିଟ୍‌ ପରେ ବିଜେପି ସଦସ୍ୟମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ।

କୋଭିଡ୍‌ ମହାମାରୀ ପାଇଁ ସାମାଜିକ ଦୂରତା ରକ୍ଷା ପୂର୍ବକ ଗୁରୁବାର ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଛି। ସକାଳ ୧୦ଟା ୫୮ ମିନିଟ୍‌ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ବିଧାନସଭା ପରିସରରେ ପହଞ୍ଚିବା ମାତ୍ରେ ଗାର୍ଡ଼ ଅଫ୍‌ ଅନର୍‌ ଦିଆଯାଇଥିଲା। ୧୧ଟାରେ ରାଜ୍ୟପାଳ ବିଧାନସଭା କକ୍ଷରେ ପହଞ୍ଚିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟପାଳ ପ୍ରଫେସର୍‌ ଲାଲ୍‌ ନିଜର ଅଭିଭାଷଣ ଆରମ୍ଭ କରିବା ମାତ୍ରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ଆସନରେ ଠିଆ ହୋଇ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅବହେଳା ନେଇ ପାଟି କରିଥିଲେ। ତାରାଙ୍କ ପାଟିରେ କିଛି ସମୟ ପାଇଁ ରାଜ୍ୟପାଳ ନିଜର ଅଭିଭାଷଣରେ ବିରାମ ଲଗାଇଥିଲେ ବି ବାକି ସମସ୍ତ କଂଗ୍ରେସ ସଦସ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି ନାରାବାଜି ଆରମ୍ଭ କରିଦେବା ପରେ ସ୍ଥିତି ବଦଳିଥିଲା। ରାଜ୍ୟପାଳ ତାଙ୍କର ଅଭିଭାଷଣ ଜାରି ରଖିଲେ ଓ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରି ଚାଲି ଯାଇଥିଲେ। ପରେ ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବି ସରକାରଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟପାଳ ଅଭିଭାଷଣ ଜାରି ରଖିଥିବା ବେଳେ ବିରୋଧୀ ଦଳ ନେତା ଶ୍ରୀ ନାଏକ ନିଜ ଆସନରେ ଠିଆ ହୋଇ କହିଥିଲେ, ସୀମା ବିବାଦ ଏବେ ଚରମ ସୀମାରେ ପହଞ୍ଚିଲାଣି। ସରକାରଙ୍କ ସ୍ଥାଣୁତା ପାଇଁ ପଡ଼ୋଶୀ ରାଜ୍ୟମାନେ ଏବେ ଓଡ଼ିଶାର ସୀମାନ୍ତ ଅଞ୍ଚଳକୁ ମାଡ଼ିଆସିଲେଣି। ଏସବୁ ସମସ୍ୟାର ସମାଧାନ ନେଇ ରାଜ୍ୟପାଳଙ୍କ ଅଭିଭାଷଣରେ କିଛି ବି ସ୍ଥାନ ପାଇନାହିଁ।

ଏତିକିରେ ଏହି ପ୍ରସଙ୍ଗ ଅଟକିନଥିଲା। ଗୃହ ଭିତରେ ବିଶେଷ ସୁଯୋଗ ନଥିବାରୁ ଗୃହ ବାହାରେ କମ୍ପିଥିଲେ ବିରୋଧୀ ବିଧାୟକ। ସରକାରଙ୍କୁ ସମାଲୋଚନା କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ରାଜ୍ୟପାଳଙ୍କ ଅଭିଭାଷଣ ଜନ ବିରୋଧୀ। ରାଜ୍ୟପାଳଙ୍କ ଜରିଆରେ ସରକାର ଅସତ୍ୟ କୁହାଇଛନ୍ତି। ସମ୍ବେଦନଶୀଳ ପ୍ରସଙ୍ଗ ଅଭିଭାଷଣରେ ସ୍ଥାନ ପାଇନାହିଁ। ଏପରି ଫମ୍ପା ଅଭିଭାଷଣ ଶୁଣି କିଛି ଲାଭ ନାହିଁ। ଓଡ଼ିଶାର କିଛି ଅଞ୍ଚଳ ଏବେ ଆନ୍ଧ୍ର କବ୍‌ଜାରେ ରହିଲାଣି। ଜବରଦଖଲ କରି ଆନ୍ଧ୍ର ସରକାର ସେଠାରେ ନିଜର ଆଧିପତ୍ୟ ଜାହିର କରିଛନ୍ତି। ଏପରିକି ସାରା ଭାରତରେ ଯାହା ଦେଖା ଦେଇ ନ ଥିଲା ତାହା ମଧ୍ୟ ଓଡ଼ିଶା ମାଟିରେ ଆନ୍ଧ୍ର ସରକାର କରିସାରିଲେଣି। ଜବରଦଖଲ ଅଞ୍ଚଳରେ ନିର୍ବାଚନ କରି ସରପଞ୍ଚ ଓ ଓ୍ବାର୍ଡ ମେମ୍ବର ନିର୍ବାଚିତ କରାଇଛନ୍ତି। ସମ୍ପୃକ୍ତ ଅଞ୍ଚଳର ସ୍ଥାନୀୟ ଲୋକେ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ନିର୍ବାଚିତ ହୋଇଛନ୍ତି। ଏହା ସବୁଠୁ ଦୁର୍ଭାଗ୍ୟଜନକ। ଏହି ପ୍ରସଙ୍ଗ ରାଜ୍ୟପାଳଙ୍କ ଅଭିଭାଷଣରେ ଦେଖିବାକୁ ମିଳି ନାହିଁ।

ସେହିପରି କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି ଅଭିଯୋଗ କରିଥିଲେ ଯେ ଆନ୍ଧ୍ରପ୍ରଦେଶ ସୀମାକୁ ଓଡ଼ିଶାର ଯେଉଁ ସବୁ ଅଞ୍ଚଳ ଲାଗିରହିଛି, ଏବେ ସେସବୁ ଅଞ୍ଚଳ ଆନ୍ଧ୍ର ସରକାର ନିଜ କବଜାକୁ ନେଇ ସାରିଲେଣି। କିନ୍ତୁ ଆମ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। କେବଳ କୋଟିଆ ନୁହେଁ ଆନ୍ଧ୍ର ସରକାର ନାରାୟଣ ପାଟଣା ବନ୍ଧୁଗାଁ, ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ବି ମାଡ଼ିଆସିଲାଣି କିନ୍ତୁ ଏ ରାଜ୍ୟ ସରକାର ଚୁପ ବସିଛନ୍ତି। କେନ୍ଦ୍ର ସରକାର ବି ଏ ନେଇ କିଛି ପଦକ୍ଷେପ ନେଉନାହାନ୍ତି। ପରିସ୍ଥିତ ଏମିତି ହେଲାଣି ଯେ, ଓଡ଼ିଶାର ସୀମା ଆଉ ସୁରକ୍ଷିତ ନୁହେଁ। ସେହିପରି ଛତିଶଗଡ଼, ଝାଡ଼ଖଣ୍ଡ ମଧ୍ୟ ଓଡ଼ିଶା ଭିତରକୁ ପଶିଆସିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିରେ ରାଜ୍ୟ ସରକାର ଯେତିକି ଦାୟୀ କେନ୍ଦ୍ର ସରକାର ବି ସମାନ ଦାୟୀ। ଓଡ଼ିଶା ଉପରେ ଆନ୍ଧ୍ରର ଦାଦାଗିରି ଚାଲିଛି। କିନ୍ତୁ କେନ୍ଦ୍ର ସରକାର ହସ୍ତକ୍ଷେପ କରୁନାହାନ୍ତି।

 

ସମ୍ବନ୍ଧିତ ଖବର