ବିବାଦୀୟ କୋଟିଆରେ ଆନ୍ଧ୍ରର ହସ୍ତକ୍ଷେପ ଉଦ୍ୟମକୁ ବିରୋଧ : ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ବିଭିନ୍ନ ଗାଁରେ ପଡୋଶୀ ଆନ୍ଧ୍ର ପ୍ରଦେଶର ହସ୍ତକ୍ଷେପକୁ ବିରୋଧ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

ସମାଜସେବୀ ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ କୋଟିଆ ପଞ୍ଚାୟତର ୨୮ଟି ଗ୍ରାମରେ ଆନ୍ଧ୍ରପ୍ରଦେଶ ନିଜ ଅଧିକାର ସାବ୍ୟସ୍ତ କରିବାକୁ ହୀନ ଉଦ୍ୟମ କରୁଛି। ନିକଟରେ ପ୍ରକାଶିତ ଖବରରୁ ସ୍ପଷ୍ଟ ହୋଇଥିଲା ଯେ ଗତ ଜାନୁଆରି ୯ରେ ବିଜୟନଗରମ ଜିଲ୍ଲାପାଳଙ୍କ ସହିତ ବହୁ ଅଧିକାରୀ ତଳ ଗଂଜେଇପଦର ଗ୍ରାମରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ସ୍ଥାନୀୟ ଅଧିବାସୀଙ୍କୁ କମ୍ବଳ ବାଣ୍ଟିଥିଲେ। ଲୋକମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯିବା ସହିତ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା। ସେମାନେ ନିରୀହ ଆଦିବାସୀଙ୍କୁ ବିଭିନ୍ନ ଭାବେ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ। ଏଭଳି ଉଦ୍ୟମ ଅତୀତରେ ମଧ୍ୟ ଆନ୍ଧ୍ରପ୍ରଦେଶ କରିଥିଲା। କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପଞ୍ଚାୟତ ଆନ୍ଧ୍ର ସୀମାରେ ରହିଥିବା ବେଳେ ସୀମାନ୍ତର ୨୮ଟି ଗାଁକୁ ନେଇ ଆନ୍ଧ୍ରପ୍ରଦେଶ ବିବାଦ ସୃଷ୍ଟି କରୁଛି।

କୋଟିଆ ଓଡ଼ିଶାର ହୋଇଥିବା ବେଳେ ଆନ୍ଧ୍ର ଏହାର କିଛି ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ପାଇଁ ଉଦ୍ୟମ ଜାରି ରଖିଛି। ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ହୋଇଥିବା ବେଳେ କୋଟିଆ ଏହାର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରହିଛି। ଓଡ଼ିଶା ସରକାରଙ୍କ ଶାସନାଧୀନ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ହସ୍ତକ୍ଷେପ ସଂପୂର୍ଣ୍ଣ ଭାବେ ଆସାମ୍ବିଧାନିକ। କିନ୍ତୁ ଏହି ପ୍ରସଂଗରେ ରାଜ୍ୟ ସରକାର ନିରବ ରହିଛନ୍ତି। କୋରାପୁଟ ଜିଲ୍ଲା ପ୍ରଶାସନ ମଧ୍ୟ ଆନ୍ଧ୍ରର ସରକାରୀ ଅଧିକାରୀଙ୍କ ଏପରି କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଏଭଳି ଗରୁତର ପ୍ରସଂଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଓଡ଼ିଶାର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଛି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏହି ପ୍ରସଂଗରେ ଉପଯୁକ୍ତ ପଦକ୍ଷେପ ନେଇ କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ପ୍ରବେଶ ଉପରେ ରୋକ ଲଗାଇବା ସହିତ ଅଞ୍ଚଳର ବିକାଶ ପାଇଁ ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ଵିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ଗୃହ ସଚିବ, ରାଜସ୍ୱ ସଚିବ, ପୁଲିସ ଡିଜି, କୋରାପୁଟ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସ୍‌ପି, ପଟାଙ୍ଗି ବ୍ଲକ ବଡିଓଙ୍କୁ ପକ୍ଷୁଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର