କୋଟିଆରେ ଓଡ଼ିଶା ସରକାରଙ୍କ ସବୁ ସୁବିଧା ପହଞ୍ଚୁଛି

ସଚିବାଳୟରେ ସମୀକ୍ଷାର ନିର୍ଯ୍ୟାସ

ଆନ୍ଧ୍ର ପ୍ରଲୋଭନ ଦେଖାଇ ପ୍ରଭାବିତ କରୁଛି

ଭୁବନେଶ୍ୱର : କୋଟିଆ ଗ୍ରାମପଞ୍ଚାୟତର ୨୮ଟି ଗ୍ରାମରେ ରାସ୍ତା ନିର୍ମାଣ କରାଯାଇଛି। ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଏହି ଅଞ୍ଚଳରେ ୧୮୨ଟି ପ୍ରକଳ୍ପ କାର୍ଯ୍ୟ କରାଯାଉଛି ଓ ୧୦୪୭ ଜବ୍‌ କାର୍ଡ ଦିଆଯାଇଛି। ହିତାଧିକାରୀଙ୍କୁ ଇନ୍ଦିରା ଆବାସ, ବିଜୁ ପକ୍କା ଘର ମିଳୁଛି। ୧୧୧୭ ଜଣଙ୍କୁ ରେସନ୍‌ କାର୍ଡ ଦିଆଯାଇ ୩୯୫୩ ଜଣଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସମସ୍ତ ସାମଗ୍ରୀ ଦିଆଯାଉଛି। ସାମାଜିକ ନିରାପତ୍ତା ଯୋଜନାରେ ୫୬୮ ଜଣଙ୍କୁ ଭତ୍ତା ଯୋଗାଇ ଦିଆଯାଉଛି। ଓଡ଼ିଶା ସୀମାରେ କୋଟିଆ ପଞ୍ଚାୟତକୁ ଓଡ଼ିଶା ସରକାରଙ୍କ ଏମିତି ସବୁ ସୁବିଧା ପହଞ୍ଚୁଛି।

ଆଜି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ହୋଇଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏମିତି ନିର୍ଯ୍ୟାସ ବାହାରିଛି। ସରକାର ସ୍ପଷ୍ଟ କରିଛନ୍ତି, କୋଟିଆ ପଞ୍ଚାୟତରେ ପ୍ରତିଟି କୋଣ ଅନୁକୋଣରେ ଓଡ଼ିଶା ସରକାରଙ୍କ ଛାପ ରହିଛି। କେଉଁଥିରେ ବି ଏହି ଅଞ୍ଚଳକୁ ଅବହେଳା କରାଯାଉ ନାହିଁ। ତେବେ ଆନ୍ଧ୍ରପ୍ରଦେଶ ଅଧିକାରୀମାନେ ଏଠାରେ କିପରି ସରକାରୀ ସାମଗ୍ରୀ ବାଣ୍ଟୁଛନ୍ତି? ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଆନ୍ଧ୍ରପ୍ରଦେଶ ପକ୍ଷରୁ ସେଠାକାର ଅଧିବାସୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପ୍ରଭାବିତ କରାଯାଉଛି। ଏ ନେଇ ଆସିଥିବା ଅଭିଯୋଗର ଆଇନଗତ ଦିଗ ତର୍ଜମା କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ।

ସମୀକ୍ଷା ବୈଠକରେ ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ରାଜସ୍ୱ, ଗଣଶିକ୍ଷା, ଶକ୍ତି, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ, ଦକ୍ଷିଣାଞ୍ଚଳ ଆର୍‌ଡିସି, କୋରାପୁଟ ଜିଲ୍ଲାପାଳ ଉପସ୍ଥିତ ଥିଲେ।

ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ ପଞ୍ଚାୟତର ୨୮ଟି ଗ୍ରାମରେ ଯୋଗାଯୋଗ ନିମନ୍ତେ ରାସ୍ତା ନିର୍ମାଣ କରାଯାଇଛି ଓ କୋଟିଆ ପଞ୍ଚାୟତର ସଦର ମହକୁମାକୁ ଜାତୀୟ ରାଜପଥ-୨୬ ସହ ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୮୯୨.୨୬ ଲକ୍ଷ ମଞ୍ଜୁର କରାଯାଇ ଟେଣ୍ଡର୍‌ ପ୍ରକ୍ରିୟା ଚାଲୁ ରହିଛି। ବର୍ତ୍ତମାନ ସୁଦ୍ଧା ପକ୍କା ରାସ୍ତା ଦ୍ୱାରା ସଂଯୋଗ ହୋଇ ନ ଥିବା ଅଞ୍ଚଳଗୁଡ଼ିକୁ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ରାସ୍ତା ବାଦ୍‌ ୨୧ଟି ଗ୍ରାମରେ ନଳକୂପ, କୂପ ଓ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ବିଜୁ ଗ୍ରାମ ଜ୍ୟୋତି ଓ ରାଜୀବ ଗାନ୍ଧୀ ଗ୍ରାମୀଣ ଯୋଜନାରେ ସବୁ ଗ୍ରାମକୁ ବିଦ୍ୟୁତକରଣ ନିମନ୍ତେ ଅନ୍ତର୍ଭୁକ୍ତ କରାଯାଇଛି। କୋଟିଆରେ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଦୁଇଟି ଉପକେନ୍ଦ୍ର ଖୋଲାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଏହି ଅଞ୍ଚଳରେ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ସମେତ ଆବାସିକ ଆଶ୍ରମ ବିଦ୍ୟାଳୟ ଖୋଲାଯାଇଛି ଓ ଏଥିରେ ୧୫୦୦ରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ସମନ୍ଵିତ ଶିଶୁ ବିକାଶ ଯୋଜନାରେ ୧୦ଟି ଅଙ୍ଗନବାଡ଼ି କେନ୍ଦ୍ର ଓ ୩ଟି ମିନି ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇଛି। କୋଟିଆ ଥାନା ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଏବଂ ଆବଶ୍ୟକତା ଅନୁସାରେ ବସ୍‌ ସେବା ବୃଦ୍ଧି କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସୀମାନ୍ତ ଗାଁକୁ ଗଲେ ବିଡିଓ

ଉମରକୋଟ : ଓଡିଶା-ଛତିଶଗଡ଼ ସୀମାନ୍ତର ଦୁର୍ଗମ ତଥା ଅବହେଳିତ ଆଟିଗୟାଗୁଡ଼ା ଓ ରତାଖଣ୍ଡିଗୁଡ଼ା ଗାଁକୁ ଆଜି ଉମରକୋଟ ବିଡିଓ ତରଣୀ ସୁନା ଗସ୍ତ କରିଛନ୍ତି। ଏହି ଗସ୍ତରେ ବିଡିଓ ଶ୍ରୀ ସୁନା ଉଭୟ ଗ୍ରାମବାସୀଙ୍କ ସହ ଗ୍ରାମର ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ଏହି ୨ଟି ଗାଁ ସଂରକ୍ଷିତ ଜଙ୍ଗଲରେ ରହିଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ଗାଁ ନିକଟରେ ଥିବା ନଦୀ ଉପରେ ପୋଲ ନିର୍ମାଣ କରିହେବ ନାହିଁ ବୋଲି ବିଡିଓ ସୂଚନା ଦେଇଛନ୍ତି। ତେଣୁ ପୋଲ ନିର୍ମାଣ ପାଇଁ ଉମରକୋଟ ଜଙ୍ଗଲ ବିଭାଗ ଓ ଡିଏଫଓଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯିବ ବୋଲି ଶ୍ରୀ ସୁନା ସମ୍ବାଦକୁ ଜଣାଇଛନ୍ତି। ସେହିପରି ଗାଁରେ ନଳକୂପ ଖନନ ପାଇଁ ଆରଡବ୍ଲୁଏସଏସର ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି। ଉଭୟ ଗାଁରେ ଶହେରୁ କମ୍‌ ପରିବାର ବସବାସ କରୁଥିବାରୁ ସେଠାରେ ଅଙ୍ଗନଓ୍ଵାଡି କେନ୍ଦ୍ର, ସ୍ୱାସ୍ଥ୍ୟକେନ୍ଦ୍ର, ସ୍କୁଲ ସ୍ଥାପନ ସହ ଆଶାକର୍ମୀ ମଧ୍ୟ ଯୋଗାଇବା ସମ୍ଭବ ନୁହେଁ ବୋଲି ବିଡିଓ ସୂଚନା ଦେଇଛନ୍ତି। ଏନେଇ ଏକ ବିସ୍ତତ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର