କୋରାପୁଟ: ଆନ୍ଧ୍ର ଜନତା ପ୍ରତି ୫ବର୍ଷରେ କ୍ଷମତା ପରିବର୍ତ୍ତନରେ ବିଶ୍ବାସ ରଖୁଥିବା ନଜିର ରହିଛି। ତେଣୁ ଆସନ୍ତାକାଲି ରାଜ୍ୟରେ ପୁଣି କ୍ଷମତା ପରିବର୍ତ୍ତନ ହେବ ନା ୱାଏସ୍ଆର୍ କଂଗ୍ରେସ୍ ପୁନର୍ବାର କ୍ଷମତା ଦଖଲ କରିବ ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ। ତେବେ ବୁଥ୍ ବାହୁଡ଼ା ମତ ଆଦୌ ୱାଇଏସ୍ଆର୍ କଂଗ୍ରେସ ସପକ୍ଷରେ ନାହିଁ। ଯଦି ଟିଡିପି-ବିଜେପି-ଜେଏସ୍ପି କ୍ଷମତାକୁ ଆସିବ ତେବେ କୋଟିଆର ଭାଗ୍ୟ ଓ ଭବିଷ୍ୟତକୁ ନେଇ ନୂଆ ଆକଳନ ଆରମ୍ଭ ହୋଇଛି। ସେହିପରି ୱାଇଏସ୍ଆର୍ କଂଗ୍ରେସ କ୍ଷମତାରେ ରହିଲେ ଓଡ଼ିଶା ସହ ଛକାପଞ୍ଝା ଓ ଲଢ଼େଇ ଜୋର୍ଦାର ହେବ ବୋଲି ଅନୁମାନ କରାଯାଉଛି।
କୋଟିଆ ଦଖଲ ଅଭିଯାନରେ ବଡ଼ ଭୂମିକା ଗ୍ରହଣ କରିଥିଲେ ସାଲୁର ବିଧାୟକ ତଥା ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପି. ରାଜନ ଦୋରା। ୫ବର୍ଷ ଧରି ବାରମ୍ବାର ଅନୁପ୍ରବେଶ କରିବା ସହ ବିବାଦୀୟ ମନ୍ତବ୍ୟ ଦେଇ ପରିସ୍ଥିତି ବିଗାଡ଼ିବା ପାଇଁ ପ୍ରୟାସ କରିଥିଲେ। ତେଣୁ ଏଥର ନିର୍ବାଚନ ଫଳାଫଳ କୋଟିଆ ପାଇଁ ଗୁରୁତ୍ବ ବହନ କରୁଛି। ସାଲୁର ବିଧାନସଭା ନିର୍ବାଚନରେ କୋଟିଆ ପଞ୍ଚାୟତକୁ ଆନ୍ଧ୍ର ଅନ୍ତର୍ଭୁକ୍ତ କରିଛି। ଏଥର ନିର୍ବାଚନରେ ବି କୋଟିଆ ଭୋଟର ଆନ୍ଧ୍ରକୁ ଭୋଟ ଦେବା ପାଇଁ ଯାଇଥିଲେ। ସାଲୁର ବ୍ଲକ ପ୍ରଶାସନ ପକ୍ଷରୁ କୋଟିଆର ୨୨୮୦ଜଣ ଭୋଟରଙ୍କ ନିମନ୍ତେ ତିନିଟି ବୁଥ୍ କରାଯାଇଥିଲା। ମୋଟ ୧୬୯୯ ଜଣ ଭୋଟର ମତାଦାନ କରିଥିଲେ। ଦୁଇ ଦିନ ହେଲା ଆନ୍ଧ୍ରର ବିଭିନ୍ନ ଗଣମାଧ୍ୟମରେ ଯେଉଁ ଆଲୋଚନା ଚାଲିଛି ସେଥିରେ ସାଲୁର ନିର୍ବାଚନ ମଣ୍ଡଳୀରେ ଲଗାତାର ୩ଥର ବିଜୟୀ ହୋଇଥିବା ପି. ରାଜନ ଦୋରା ଏଥର କଡ଼ା ଟକ୍କରର ସମ୍ମୁଖୀନ ହୋଇଛନ୍ତି। ମେଣ୍ଟ ପ୍ରାର୍ଥୀ ଜି. ସନ୍ଧ୍ୟାରାଣୀ ଭୋଟ୍ ହାର ବୃଦ୍ଧି କରିବାରେ ସକ୍ଷମ ହୋଇଥିବା କୁହାଯାଉଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଏମ୍.ପୁଷ୍ପ ରାଓ ଭୋଟ୍ ବିଭାଜନ କରିପାରନ୍ତି ବୋଲି ଅନୁମାନ କରାଯାଉଛି।
ଫଳାଫଳ ଯାହା ବି ହେଉ କୋଟିଆ ପାଇଁ ଆନ୍ଧ୍ରର ଆଭିମୁଖ୍ୟରେ ବିଶେଷ ପରିବର୍ତ୍ତନ ନ ହୋଇପାରେ ବୋଲି ଗୋଟିଏ ମହଲ ଆଶଙ୍କା ବ୍ୟକ୍ତ କରିଛି। ଆନ୍ଧ୍ରର ବହୁ ବର୍ଷର ପରିଶ୍ରମରେ କିଛି ଦିନ ପାଇଁ ଅବଶ୍ୟ ବିରାମ ଲାଗିପାରେ। କିନ୍ତୁ ଯେ କେହି ବି କ୍ଷମତାକୁ ଆସିଲେ ଅସ୍ମିତାର ଦ୍ବାହି ଦେଇ ଦୀର୍ଘ ବର୍ଷର ଲଢ଼େଇକୁ ଆଉ ପାଦେ ଆଗେଇ ନେବା ନିଶ୍ଚିତ।