କୋଟିଆ ବିଭାଜନ ଷଡ଼୍‌ଯନ୍ତ୍ର, ଭାଷା ଭିତ୍ତିରେ ଦୁଇ ଭାଗ କରିବାକୁ ଆନ୍ଧ୍ରର ଗୁପ୍ତ ଯୋଜନା

ସ୍ବାଧୀନତା ଦିବସରେ ତେଲୁଗୁ ଫଳକ ଲଗାଇବ, ବିଜୟନଗର ଜିଲ୍ଲାପାଳଙ୍କ ନିକଟରେ ଫାଇଲ

କୋରାପୁଟ : ପ୍ରଥମେ ଓଡ଼ିଶା ସରକାରଙ୍କ ବିରୋଧରେ ମତାଇଲେ। ଏହାପରେ ପ୍ରଲୋଭିତ କରି ଅକ୍ତିଆର ପାଇଁ ଉଦ୍ୟମ କଲେ। ତଥାପି ବିଶେଷ ସଫଳତା ମିଳିଲା ନାହିଁ। ଏବେ ଆଭିମୁଖ୍ୟରେ ପରିବର୍ତ୍ତନ କରି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ହାତେଇବା ଲାଗି ନୂଆ ଷଡ଼୍‌ଯନ୍ତ୍ର ଚଳାଇଛନ୍ତି ଆନ୍ଧ୍ର ସରକାର। ଭାଷା ଭିତ୍ତିରେ ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା ଲାଗି ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। କୋଟିଆରେ ବହୁ ଲୋକ ତେଲୁଗୁରେ କଥାବାର୍ତ୍ତା ହେବା ସହ କାମ ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି। ଏହାକୁ ହିଁ ନୂଆ ରଣନୀତିରେ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଆନ୍ଧ୍ର ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ଆଜି ବିଜୟନଗର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ଏକ ବୈଠକରେ ଏହା ଉପରେ ବିଚାରବିମର୍ଶ ହୋଇଥିବାର ଖବର ମିଳିଛି।

ସୂଚନା ଅନୁଯାୟୀ ଦୁଇ ଦିନ ତଳେ ଲୋକସତ୍ତା ପାର୍ଟିର କାର୍ଯ୍ୟକାରୀ ସଭାପତି ବି. ବାବାଜୀ ଏବଂ କିଛି କର୍ମୀ କୋଟିଆ ଗ୍ରାମପୁଞ୍ଜକୁ ଆସିଥିଲେ। ଲୋକଙ୍କୁ ପ୍ରଲୋଭିତ କରିବା ସହ ଆନ୍ଧ୍ରରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଆଜି ଏହି ଦଳ ପକ୍ଷରୁ ଗୋଟିଏ ଟିମ୍ ପାର୍ବତୀପୁରମ ପିଓ ଆଇଟିଡିଏ ଆର. କୁର୍ମନାଥଙ୍କୁ ଭେଟିଥିଲା। କାର୍ଯ୍ୟକାରୀ ସଭାପତି ବି. ବାବାଜୀଙ୍କ ନେତୃତ୍ବରେ ଭେଟିଥିବା ଏହି ଟିମ୍ ବିବାଦୀୟ ଗ୍ରାମପୁଞ୍ଜରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ତେଲୁଗୁ ଭାଷାର ପ୍ରଚାର ତଥା ପ୍ରସାର ପାଇଁ ପ୍ରସ୍ତାବ ଦେଇଥିଲା। ଏଥି ସହ ଗ୍ରାମପୁଞ୍ଜର ୨୨ଟି ଗାଁରେ ତେଲୁଗୁ ଭାଷାରେ ଫଳକ ଲଗାଇବା ପାଇଁ ବି ପରାମର୍ଶ ଦେଇଥିଲା। ଆନ୍ଧ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ତୁରନ୍ତ ଏହି ପ୍ରସ୍ତାବ ଉପରେ ଆଲୋଚନା କରି ପିଓ ଆଇଟିଡିଏ ଏକ ଫାଇଲ୍ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏଥିରେ କୋଟିଆରେ ଫଳକ ଲଗାଯିବା ସହ ତେଲୁଗୁ ଭାଷାର ପ୍ରଚାର, ପ୍ରସାର ପାଇଁ ନିର୍ଦ୍ଦିଷ୍ଟ କିଛି ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ ରହିଛି। ଫାଇଲ୍ ପ୍ରସ୍ତୁତ ହେବାର କିଛି ଘଣ୍ଟା ମଧ୍ୟରେ ହିଁ ବିଜୟନଗର ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥିଲା। ରବିବାର ଛୁଟି କାରଣରୁ ଜିଲ୍ଲାପାଳ କୌଣସି ନିଷ୍ପତ୍ତି ନେଇପାରି ନାହାନ୍ତି। ଆସନ୍ତାକାଲି ଜିଲ୍ଲାପାଳ ଏହି ପ୍ରସ୍ତାବକୁ ଅନୁମୋଦନ ଦେଲେ ସ୍ବାଧୀନତା ଦିବସରେ କୋଟିଆର ବିଭିନ୍ନ ଗାଁରେ ଆନ୍ଧ୍ର ସରକାରଙ୍କ ତେଲୁଗୁ ଭାଷାରେ ଉଲ୍ଲେଖ ଫଳକ ଲାଗିବ ବୋଲି ସୂଚନା ମିଳିଛି। ଏହି ଫଳକରୁ ହିଁ ଭାଷା ଭିତ୍ତିରେ କୋଟିଆକୁ ଭାଗ କରିବାର ଭିତ୍ତି ପଡ଼ିବ। ଯେଉଁପରି ରକେଟ୍‌ ବେଗରେ କୋଟିଆକୁ ନେଇ ଆନ୍ଧ୍ର ପଦକ୍ଷେପ ନେଉଛି, ଯେ କୌଣସି ମୁହୂର୍ତରେ ସେଠାରେ କିଛି ବି ଅଘଟଣର ଆଶଙ୍କା ରହିଛି।

newindianexpress.com

ଭାଷା ଭଳି ସମ୍ବେଦନଶୀଳ ବିଷୟକୁ ନେଇ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ପାଇଁ ଏଭଳି ଷଡ଼ଯନ୍ତ୍ର ଚାଲିଥିବା ବେଳେ ଆହୁରି ସାଂଘାତିକ ତଥ୍ୟ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। କୋଟିଆର ଏକାଧିକ ଗାଁରେ ଆନ୍ଧ୍ର ପ୍ରଶାସନ ସ୍ବାଧୀନତା ଦିବସ ଧୁମଧାମରେ ପାଳନ କରିବାକୁ ଯୋଜନା କରିଛି। ଏପରିକି ଆନ୍ଧ୍ର ସରକାରଙ୍କ କିଛି ଯୋଜନାକୁ ବି କାର୍ଯ୍ୟକାରୀ କରିବାର ସମ୍ଭାବନା ରହିଛି। ଆସନ୍ତାକାଲି ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ବିଜୟନଗର ଜିଲ୍ଲା ପ୍ରଶାସନ ନେଇପାରେ। ଅନ୍ୟ ପଟେ ଓଡ଼ିଶା ପକ୍ଷରୁ କୋରାପୁଟ ଜିଲ୍ଲା ପ୍ରଶାସନ କ’ଣ ପଦକ୍ଷେପ ନେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୌଣସି ପରିସ୍ଥିତିରେ ବି ଆନ୍ଧ୍ରର ଏହି ଯୋଜନାକୁ ପଣ୍ଡ କରିବାକୁ ପଡ଼ିବ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ ଗତକାଲି କୋଟିଆ ଗ୍ରାମପୁଞ୍ଜରେ ଜଙ୍ଗଲ ଜମିପଟ୍ଟା ବିତରଣ କରିବାକୁ ସାଲୁର ବିଧାୟକଙ୍କ ସହ କିଛି ପ୍ରଶାସନିକ ଅଧିକାରୀ ଓଡ଼ିଶା ଅଭିମୁଖେ ବାହାରିଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ କୌଣସି ସୂତ୍ରରୁ ଏ ନେଇ ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ଜାଣିବା ପରେ କୋଟିଆରେ ପହଞ୍ଚିଥିଲେ। ପ୍ରଶାସନିକ ଅଧିକାରୀ ଏବଂ ପୁଲିସ ସହ କୋଟିଆରେ ଡେରା ପକାଇ ଆନ୍ଧ୍ରର ବିଧାୟକ ଏବଂ ସରକାରୀ କର୍ମଚାରୀଙ୍କୁ ଅପେକ୍ଷା କରିଥିଲେ। ଆନ୍ଧ୍ରର ସରକାରୀ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ଚେତାବନୀ ଦେବାରୁ ଅଧା ରାସ୍ତାରୁ ବିଧାୟକ ଏବଂ ଅନ୍ୟମାନେ ପଳାୟନ କରିଥିଲେ।

ସମ୍ବନ୍ଧିତ ଖବର