ଦୁଇଟି ରାଜ୍ୟ ପାଇଁ ଭୋଟ ଦେଲେ କୋଟିଆବାସୀ

କୋରାପୁଟ : ଗୋଟିଏ ଦିନରେ ଦୁଇଥର ଭୋଟ ଦେଇଛନ୍ତି କୋଟିଆ‌ବାସୀ। ଗୋଟିଏ ଭୋଟ୍‌ ଓଡ଼ିଶାରେ ଅନୁଷ୍ଠିତ ନିର୍ବାଚନ ପାଇଁ ଦେଇଥିବାବେଳେ ଅନ୍ୟ ଭୋଟ୍‌ଟି ଆନ୍ଧ୍ରପ୍ରଦେଶ ପାଇଁ ଦେଇଥିଲେ। ନିର୍ବାଚନ ଦୃଷ୍ଟିକୋଣରୁ ଏହି ଭୋଟ୍‌ କେତେଦୂର ବୈଧ, ତାହା ନିର୍ବାଚନ କମିସନଙ୍କ ବିଚାର ପରିସରଭୁକ୍ତ। ମାତ୍ର, ଏହି ଘଟଣାରୁ କୋଟିଆ ବାସୀଙ୍କର ଦୁଇ ରାଜ୍ୟ ପ୍ରତି ପ୍ରୀତି ପ୍ରତିଫଳିତ ହୋଇଛି। କିମ୍ବା, କୋଟିଆବାସୀ କାହାର ହେବେ ଏଯାଏଁ ମନ ସ୍ଥିର କରିପାରି ନାହାନ୍ତି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୨୧ଟି ଗାଁ ଓ ୭ଟି ପଡାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି।

କୋଟିଆର ବିବାଦୀୟ ଗ୍ରାମ ପୁଞ୍ଜର ଭୋଟରଙ୍କ ନିମନ୍ତେ ଓଡ଼ିଶା ପକ୍ଷରୁ କୋଟିଆ, ଫଗୁଣ ସିନେରୀ, ମାଡକାର, ରଣାସିଂହ, ଗଂଜେଇ ପଦରରେ ଗୋଟିଏ ଲେଖାଏଁ ବୁଥ୍‌ କରାଯାଇଥିଲା। ଲୋକମାନେ ଆଜି ସକାଳୁ ସେଠାରେ ଭୋଟ ଦେଇଥିଲେ। ଏପରିକି ମଧ୍ୟାହ୍ନ ସୁଦ୍ଧା ୪୦ ପ୍ରତିଶତ ମତଦାନ ହୋଇଥିଲା। ଶେଷ ଖବର ସୁଦ୍ଧା କୋଟିଆ ବୁଥରେ ୬୫.୯୨ ପ୍ରତିଶତ, ଫଗୁଣ ସିନେରୀ ବୁଥରେ ୭୧.୭୨ ପ୍ରତିଶତ, ମାଡକାରରେ ୬୫.୭୪, ରଣାସିଂହରେ ୧୮.୨୧ ଓ ଗଂଜେଇ ପଦର ବୁଥରେ ୬୮.୨୧ ପ୍ରତିଶତ ଭୋଟ ଗ୍ରହଣ କରଯାଇଛି। କୋଟିଆରେ ୩୮୫, ଫଗୁଣ ସିନେରୀରେ ୪୮୨, ମାଡକାରରେ ୨୩୮, ରଣାସିଂହରେ ୧୧୬ ଓ ଗଂଜେଇ ପଦରରେ ୪୯୮ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି।

ଅପରପକ୍ଷ‌‌ରେ ଆନ୍ଧ୍ର ପକ୍ଷରୁ ନେରେଡିବାଲସାରେ ଏକ ବୁଥ କରାଯାଇଥିଲା। ଓଡ଼ିଶାରେ ଭୋଟ ଦେଇ ଯାଇଥିବା ଲୋକମାନେ ସେଠାରେ ମଧ୍ୟ ଭୋଟ ଦେଇଥିଲେ। ଆନ୍ଧ୍ର ପକ୍ଷରୁ ଭୋଟରମାନଙ୍କ ପାଇଁ ଗାଡିର ବ୍ୟବସ୍ଥା କରାଯାଇଥିବାରୁ ସେମାନେ ସୁବିଧା‌ରେ ଯାଇ ଭୋଟ ଦେଇ ପାରିଥିଲେ। ଅପରପକ୍ଷରେ ନେରେଡିବାଲସାରେ ଭୋଟ ଦେବା ପରେ ମଧ୍ୟ କିଛି ଭୋଟର ଓଡ଼ିଶାର ବୁଥରେ ସେମାନଙ୍କ ଭୋଟ ଦେଇଥିଲେ। ଏହି ଭୋଟ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା।

ସୂଚନା ଯୋଗ୍ୟ ଯେ, କୋଟିଆର ଏହି ଗ୍ରାମ ଗୁଡିକ ଓଡ଼ିଶାର ପଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀରେ ରହିଥିଲାବେଳେ ଆନ୍ଧ୍ରର ସାଲୁର ବିଧାନସଭା ନିର୍ବ‌ାଚନ ମଣ୍ଡଳୀରେ ଏହି ବିବାଦୀୟ ଗାଁ ଗୁଡିକ ରହିଛି।

ସମ୍ବନ୍ଧିତ ଖବର