ପୁଣି ଆନ୍ଧ୍ରାର ଦାଦାଗିରି: ଉପର ସେମ୍ବିରେ ପଶି କଲା ଗ୍ରାମ ସଭା‌, ସଚିବାଳୟ ଷ୍ଟାଫଙ୍କ ସହ ଗ୍ରାମବାସୀଙ୍କ ବୈଠକ

କୋରାପୁଟ: ଓଡ଼ିଶା ଭିତରେ ପଶି ପୁଣି ଆନ୍ଧ୍ରର ଦାଦାଗିରି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉପର ସେମ୍ବିରେ ଆନ୍ଧ୍ର ସଚିବାଳୟ ଷ୍ଟାପ୍‌, ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ପାର୍ବତୀପୂରମ ଡିଏସପି, ସାଲୁର ସିଆଇ, ଆଦିବାସୀ ଉନ୍ନୟନ ଡିଇ ପ୍ରମୁଖ ପଶି ଗ୍ରାମ ସଭା କରିଛନ୍ତି। ଏହାସହ ହିତାଧିକାରୀଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ କହି ପ୍ରଲୋଭିତ କରିଛନ୍ତି। ଏହାସହ କୋଟିଆରେ ଏକ ସ୍କୁଲ କରିବାକୁ ପ୍ରସ୍ତାବ ପାରିତ କରିଥିବା ଜଣାପଡିଛି।

ଆନ୍ଧ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ସଚିବାଳୟର ଷ୍ଟାଫଙ୍କ ସହ ବହୁ ଉଚ୍ଚସ୍ତରୀୟ କର୍ମଚାରୀ ଆଜି ଏହି ବୈଠକ କରିଥିବା ଜଣାପଡିଛି। ଏହାସହ ଉପର ସେମ୍ବୀ, ତଳ ସେମ୍ବୀ, ଗଞ୍ଜେଇ ପଦର, ତଳ ଗଞ୍ଜେଇ ପଦର, ଧୂଳି ପଦର ଗାଁରେ ରହିଥିବା ୪୦୦ରୁ ଅଧିକ ଲୋକଙ୍କୁ ମାସେ ମଧ୍ୟରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଏହାସହ ପ୍ରତି ପରିବାରକୁ କାଜୁ ଚାଷ କରିବାକୁ ପ୍ରୋତ୍ସାହନ ପ୍ରଦାନ, ଉଗଭା ସେମ୍ବୀରେ ଅଙ୍ଗନ ବାଡିକେନ୍ଦ୍ର ଓ ସାନ୍ତା ସେଲ୍ଟର ହୋମ ତିଆରି କରିବାକୁ ପ୍ରସ୍ତାବରେ ପାରିତ ହୋଇଛି।

କୋଟିଆ ଗ୍ରାମପଞ୍ଚାୟତ ଅଧୀନରେ ସ୍କୁଲ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କୁ ଆବେଦନ କରିବାକୁ ଏହି ବୈଠକରେ କୁହାଯାଇଛି। ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ କୁର୍ମାନାଥଙ୍କ ସହ ବହୁ ଅଧିକାରୀ ଗାଁକୁ ଗାଁ ବୁଲି ଲୋକଙ୍କୁ ଭେଟିବା ସହ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନାର ଲାଭ‌ ନେବାକୁ ଲୋକଙ୍କୁ ପ୍ରଲୋଭିତ କରିଥିବା ଦେଖିବାକୁ ମିଳିଛି।

ପୂର୍ବରୁ ଆନ୍ଧ୍ର ସରକାର ମେ ମାସରେ ପଶି ପଞ୍ଚାୟତ ନିର୍ବାଚନ କରାଇଥିବାବେଳେ ଏବେ ପ୍ରବେଶ କରି ସ୍ଥାନୀୟ ଲୋକଙ୍କୁ ପ୍ରାଲୋଭିତ କରିଥିବା ଦେଖିବାକୁ ମିଳିଛି। ଏହାସହ ଏଠାରେ ଦୁଇଦିନ ତଳେ ଏକ ଜଗନ୍ନାଥ ମନ୍ଦିର ଓ ଗ୍ରାମଦେବତୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଏହାକୁ ଗତକାଲି ଆନ୍ଧ୍ରର ସରକାରୀ କର୍ମଚାରୀ ଆସି ବିରୋଧ କରିଥିଲେ। ଆଜି ଗ୍ରାମସଭା କରାଇ ଲୋକଙ୍କ ମନ ଜିଣିବାକୁ ପ୍ରୟାସ କରିଥିବା ଦେଖିବାକୁ ମିଳିଛି। ଏହାସହ ପୂର୍ବରୁ ଲୋକଙ୍କୁ ବୋହି ନେଇ ଟିକାକରଣରେ ସାମିଲ କରାଇଥିବା ଜଣାପଡିଛି। ଓଡ଼ିଶାର ଦାବି ଅନୁସାରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତରେ ରହିଛି ଏହି ଗ୍ରାମ ପୁ˚ଜ। କିନ୍ତୁ ପଡୋଶୀ ଆନ୍ଧ୍ରର ଦାବି ଅଲଗା।

ଆନ୍ଧ୍ର ପ୍ରଶାସନର କହିବା ଅନୁଯାୟୀ, ବିଜୟନଗରମ ଜିଲ୍ଲା ସାଲୁର ମଣ୍ତଳରେ ରହିଛି ଏହି ବିବାଦୀୟ କୋଟିଆ ଅଞ୍ଚଳ। ସୀମାନ୍ତରେ ଥିବା ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ୧୯୬୮ ମସିହାରୁ ବିବାଦ ଚାଲିଛି। ଏଥିନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଉଭୟ ଓଡ଼ିଶା ଓ ଆନ୍ଧ୍ର ବାରମ୍ବାର ଉଦ୍ୟମ କରୁଛନ୍ତି। ତେବେ ଏହି କିଛି ଦିନ ହେଲା ଏଥିନେଇ ଏକ ବଡ ଧରଣର ଯୋଜନା ଚଳାଇଛି ଆନ୍ଧ୍ର। ଆଉ ଏହାକୁ ପ୍ରତିହତ କରିବା ପାଇଁ ଓଡ଼ିଶା ବି ପାଲଟା ଯୋଜନା ତିଆରି କରୁଛି। ଫଳରେ ପୁଣି କୋଟିଆକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର