କଟକର ଏସସିବି ଡେଣ୍ଟାଲ୍ କଲେଜର ଜଣେ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ

କଟକ : କଟକର ଏସସିବି ଡେଣ୍ଟାଲ୍ କଲେଜର ଜଣେ ଡାକ୍ତର କରୋନା ସଂକ୍ରମିତ ବୋଲି ଜଣାଯାଇଛି। ସେ ଜଣେ ଇଣ୍ଟର୍ଣ୍ଣ ବୋଲି ଜଣାଯାଇଛି। ତାଙ୍କର ବୟସ ୨୬ ବର୍ଷ ବୋଲି ଜଣାଯାଇଛି। କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଉକ୍ତ ଡାକ୍ତରଙ୍କୁ କୋଭିଡ ଆଇସୋଲେସନ୍ ଓ୍ବାର୍ଡରେ ରଖାଯାଇଥିବା ନେଇ ଏସସିବି ମେଡିକାଲ୍ କଲେଜ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ପୂର୍ବରୁ କଟକର ସିଟି ହସ୍ପିଟାଲରେ କାର୍ଯ୍ୟରତ ଜଣେ ଶିଶୁ ବିଭାଗର ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ରାଜ୍ୟର ସ୍ବାସ୍ଥ୍ୟ କର୍ମୀ ତଥା କରୋନା ଯୋଦ୍ଧାମାନେ କରୋନା ସଂକ୍ରମଣର ଶିକାର ହେଉଥିବା ହେତୁ ଚିନ୍ତା ବଢିଯାଇଛି ରାଜ୍ୟ ସରକାରଙ୍କର।

ଏଣେ କରୋନା କବଳରେ ରାଜଧାନୀର ଏକାଧିକ ଘରୋଇ ହସ୍ପିଟାଲ। ଏ ପର୍ଯ୍ୟନ୍ତ ରାଜଧାନୀର ୩ଟି ଘରୋଇ ହସ୍ପିଟାଲରେ ୧୪ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେଲେଣି। ଦିନକୁ ଦିନ ଏହି ସଂଖ୍ୟାରେ ଉଦ୍‌ବେଗଜନକ ଭାବେ ବୃଦ୍ଧି ଘଟୁଛି। ରାଜଧାନୀରେ ଥିବା କୋଭିଡ ହସ୍ପିଟାଲ ଓ ଏମ୍‌ସରେ ମଧ୍ୟ ଡାକ୍ତରଙ୍କଠୁ ନେଇ ନର୍ସ ପର୍ଯ୍ୟନ୍ତ ଏକାଧିକ କୋଭିଡ୍‌ ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

କୋଭିଡ୍‌ ମୁକାବିଲା ନେଇ ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକ ସ୍ବତନ୍ତ୍ର ଭାବେ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। ଜରୁରୀକାଳୀନ ପରିସ୍ଥିତିରେ ଆସୁଥିବା ରୋଗୀମାନଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖି ଚିକିତ୍ସା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଥିଲା। ଏହାଛଡ଼ା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ବି କୋଭିଡ ଡାକ୍ତରଖାନାର ବନ୍ଦୋବସ୍ତ କରାଯାଇଛି।

ସମ୍ବନ୍ଧିତ ଖବର