ଝାରସୁଗୁଡ଼ାରେ ଶେଷ ପର୍ଯ୍ୟାୟରେ କୋଭିଡ୍ ହସପିଟାଲ କାର୍ଯ୍ୟ

ଝାରସୁଗୁଡ଼ା: ଝାରସୁଗୁଡ଼ା ମଙ୍ଗଲବଜାର ମୁଖ୍ୟ ଚିକତ୍ସାଳୟ ପୁରୁଣା କୋଠାରେ ନିର୍ମାଣ ହେଉଥିବା କୋଭିଡ୍ ହସପିଟାଲର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପୁରୁଣା କୋଠାରେ ଅର୍ବାନ ପିଏଚ୍ସି ପାଇଁ ପୂର୍ବରୁ ସରକାର ଘୋଷଣା କରିଥିଲେ। ପରେ ଏଠାରେ ପିପିପି ମୋଡ଼୍‌ରେ ଏଫୋର୍ଡେ ବୁଲ ହସପିଟାଲ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ସିଙ୍ଗଲ ଟେଣ୍ଡର ଯୋଗୁଁ ଏଫୋର୍ଡେ ବୁଲ ହସପିଟାଲ କାର୍ଯ୍ୟ ଅଧାରେ ଅଟକି ଥିଲା। ତେବେ ସଂପ୍ରତି କରୋନା ମହାମାରୀ ସଂକମଣକୁ ଆଖି ଆଗରେ ରଖି ଏହି କୋଠାରେ କୋଭିଡ୍ ହସପିଟାଲ ପାଇଁ ଗତ ୩ ତାରିଖ ଦିନ ନିଷ୍ପତ୍ତି ନିଆଯାଇଥିଲା ଓ ତୁରନ୍ତ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ହସପିଟାଲ ପରିଚାଳନା ପାଇଁ ଭୁବନେଶ୍ବର ହାଇଟେକ୍ ମେଡିକାଲ କଲେଜକୁ ଦାୟିତ୍ବ ଦିଆଯାଇଥିଲା। ଗତ ୧୩ ତାରିଖ ଦିନ ଏ ନେଇ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୁବନେଶ୍ବର ହାଇଟେକ୍ ମେଡିକାଲ କଲେଜ ସହିତ ଜିଲ୍ଲା ପ୍ରଶାସନର ଚୁକ୍ତିନାମା ସ୍ବାକ୍ଷରିତ ହୋଇଯାଇଛି। ଏହି ହସପିଟାଲ ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରାଯାଉଥିବା ବେଳେ ବେଦାନ୍ତ ସିଏସ୍ଆର୍ ପାଣ୍ଠି ଦ୍ବାରା ମଧ୍ୟ ୨ କୋଟି ଟଙ୍କାର ସହାୟତା ଦିଆଯାଉଥିବା ଜଣାଯାଇଛି। ହାଇଟେକ୍ ମେଡିକାଲ କଲେଜ କର୍ତ୍ତୃପକ୍ଷ ହେବାକୁ ହସପିଟାଲ ପାଇଁ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ଯନ୍ତ୍ରପାତି, ଡାକ୍ତର ଓ କର୍ମଚାରୀ ଯୋଗାଇ ଦେବେ ବୋଲି ଜଣାପଡ଼ିଛି। ଏଠାରେ ୧୦ ଗୋଟି ଆଇସିୟୁ ଓ ୧୦୦ ଗୋଟି ଶଯ୍ୟା ରହିବ।

ଏହି ହସପିଟାଲ ଆସନ୍ତା ୨୪ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଓ ଏଥିପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ପୂର୍ତ୍ତ ବିଭାଗ, ଜିଇଡ଼ି, ପିଏଚ୍ଡି ସହିତ ବିଭିନ୍ନ ଠିକାସଂସ୍ଥାର ଶତାଧିକ ଶ୍ରମିକ ଦିନରାତି କାମରେ ଲାଗିଛନ୍ତି। ସିମେଣ୍ଟ, ରଙ୍ଗ, ପାନୀୟ ଜଳ ଯୋଗାଣ, ବିଦ୍ୟୁତିକରଣ, ଶିତତାପ ନିୟନ୍ତ୍ରିତ କାର୍ଯ୍ୟ ସହିତ ଶଯ୍ୟା, କାର୍ପେଟ, ବିଭିନ୍ନ ମେସିନ, ଭେନ୍ଟିଲେଟର ଲଗାଯାଉଥିବା ଜଣାଯାଇଛି। ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟ ୨୨ ତାରିଖ ସୁଦ୍ଧା ସଂପୂର୍ଣ୍ଣ ରାଯିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଏହାର ତଦାରଖ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏହି ହସପିଟାଲର ଲୋକାର୍ପଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି । ସମସ୍ତ କାର୍ଯ୍ୟ ପରିଚାଳନା ପାଇଁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁଙ୍କୁ ଅଧିକୃତ ଅଧିକାରୀ ଭାବରେ ମନୋନୀତ କରାଯାଇଛି। ଚିକିତ୍ସା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଜଗଦୀଶ ବାରିକଙ୍କୁ କାର୍ଯ୍ୟରେ ସହାୟତା ପାଇଁ ଜିଲ୍ଲା ଚିକତ୍ସା ଅଧିକାରୀ ଡୋଲାମଣି ପଟେଲଙ୍କୁ ଏଥିପାଇଁ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର