ଭୁବନେଶ୍ୱର : ଲଗାତାର ତିନି ଦିନ ଧରି ଓଡ଼ିଶାରେ ୫୦ହଜାରରୁ ଅଧିକ ନମୁନା ପରୀକ୍ଷା ହୋଇଛି। ଆଜି ରାଜ୍ୟରେ ୫୦, ୫୨୫ କୋଭିଡ୍ ଟେଷ୍ଟ ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ୪୫,୩୪୩ଟି ଆଣ୍ଟିଜେନ ଓ ୫,୧୦୬ଟି ଆଇପିସିଆର୍ ପରୀକ୍ଷା କରାଯାଇଛି। କେବଳ ଗଞ୍ଜାମ ଜିଲ୍ଲାରେ ୬,୫୪୦ କୋଭିଡ୍ ଟେଷ୍ଟ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ ଗତ ୧୬ ତାରିଖରେ ୫୦ ହଜାର ୪୨୧ କୋଭିଡ୍ ଟେଷ୍ଟ ହୋଇଥିଲା ଓଡ଼ିଶାରେ। ଏଥିସହିତ ଦେଶରେ ଓଡ଼ିଶା ସର୍ବାଧିକ ନମୁନା ପରୀକ୍ଷଣରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ଓଡ଼ିଶା ଉପରେ କର୍ଣ୍ଣାଟକ, ବିହାର, ତାମିଲନାଡୁ ଓ ଉତ୍ତରପ୍ରଦେଶ ଅଛନ୍ତି। କେବଳ ସେତିକି ନୁହେଁ, ପ୍ରତି ୧୦ଲକ୍ଷ ଲୋକରେ ଓଡ଼ିଶାରେ ୧୦୯୬ ନମୁନା ପରୀକ୍ଷା ହେଉଛି, ଯାହା ଦେଶରେ ପ୍ରଥମ। ଓଡ଼ିଶା ତଳକୁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକ ପ୍ରମୁଖ ଅଛନ୍ତି। ଏ କ୍ଷେତ୍ରରେ ଜାତୀୟ ହାର ୫୪୨ ରହିଛି।
ଅନ୍ୟପକ୍ଷରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମ କରୋନା ସଂକ୍ରମଣରେ ୧୫ ହଜାର ସଂଖ୍ୟାକୁ ଅତିକ୍ରମ କରିଛି। ଗତ ୨୪ଘଣ୍ଟାରେ ଜିଲ୍ଲାରେ ୨୪୩ ପଜିଟିଭ୍ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୧୦ରେ ପହଞ୍ଚିଛି। ଏହା ପୂର୍ବରୁ ୫ ହଜାର ଓ ୧୦ ହଜାର ସଂଖ୍ୟା ଅତିକ୍ରମ କରିବାରେ ମଧ୍ୟ ଗଞ୍ଜାମ ପ୍ରଥମ ଜିଲ୍ଲା ରହିଥିଲା। ରାଜ୍ୟର ସମୁଦାୟ ସଂକ୍ରମଣର ୨୪ ପ୍ରତିଶତ ରୋଗୀ ଗଞ୍ଜାମରୁ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/covid-test-aaa-1-1.jpg)