କୋୟା ଆଦିବାସୀଙ୍କ ଭୂମୀ ପୂଜା ପର୍ବ: ବର୍ଷା ବିନା ଜମିରେ ଧାନ ବୁଣିଲେ

ଚଇତିରେ ପାଜର ମାଗୁଥିଲେ, ଏବେ ଭୂମୀ ପୂଜାରେ ବି ମାଗୁଛନ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାରେ ଆଦିମ ଜନଜାତି ବଣ୍ଡା, ଡିଡାଇ ଭଳି ଜନଜାତିର ଲୋକେ ବସବାସ କରୁଥିବା ବେଳେ କୋୟା, କନ୍ଧ, ପରଜା, ଦୁରୁଆ ଭଳି ଆଦିବାସୀ ସଂପ୍ରଦାୟର ଲୋକେ ମଧ୍ୟ ବସବାସ କରୁଛନ୍ତି। ଏମାନେ ବି ବାର ମାସରେ ତେର ପର୍ବ ପାଳନ୍ତି। ବିଭିନ୍ନ ଋତୁରେ ବିଭିନ୍ନ ପର୍ବ ରହିଛି। ଏବେ କୋୟା ଆଦିବାସୀ ଭୂମି ପୂଜା ପର୍ବ ପାଳନ କରୁଛନ୍ତି। ଜିଲ୍ଲାରେ କୋୟା ଆଦିବାସୀଙ୍କ ସଂଖ୍ୟା ସର୍ବାଧିକ। ବହୁ କୋୟା ଆଦିବାସୀ ଗାଁଗୁଡିକରେ ଏବେ ଭୂମି ପୂଜା କରାଯାଉଛି। କାରଣ ମୌସୁମୀ ଆସିବା ମାତ୍ରେ ଚାଷୀ ନିଜର ଜମିକୁ ପୂଜା କରିବା ସହ ଧାନ ବୁଣି ଥାଏ।

ଜିଲ୍ଲାରେ ମୌସୁମୀ ଛୁଇଁଥିବା ନେଇ ପାଣିପାଗ ବିଭାଗ କହିବା ପରେ ମଧ୍ୟ ଜିଲ୍ଲାରେ ଆଦୌ ବର୍ଷା ନାହିଁ। କିନ୍ତୁ ଡିସାରୀଙ୍କ କହିବା ଅନୁଯାୟୀ ଗାଁ ଗାଁରେ ଏବେ ଭୂମି ପୂଜା କରାଯାଉଛି। ଗ୍ରାମବାସୀ ନିଜ ନିଜ ଜମିମାନଙ୍କରେ ନଡିଆ, ଧୂପ, ଫୁଲ, ଦୂବ ସହ କୁକୁଡା, ଅଣ୍ଡା ଭଳି ମଧ୍ୟ ଅର୍ପଣ କରିଥାନ୍ତି। ଚଳିତ ବର୍ଷ ଭଲ ଚାଷ ହେବା ନେଇ ଏହି ପୂଜା କରାଯାଇଥାଏ।

ତେବେ ଚଇତି ପରବରେ ଯେପରି ଗାଁ ଗାଁର ଲୋକେ ମୁଖ୍ୟ ରାସ୍ତାକୁ ଅବରୋଧ କରି ପାଜର ମାଗନ୍ତି। ସେହିପରି ଭୂମିପୂଜାରେ ମଧ୍ୟ ଏବେ ପୁରୁଷ ଓ ମହିଳା ଏକତ୍ରିତ ହୋଇ ମୁଖ୍ୟରାସ୍ତାକୁ ଅବରୋଧ କରି ପାଜର ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ପାଜର ମାଗୁଥିବା ଆଦିବାସୀ ଭାଇଭଉଣୀମାନଙ୍କୁ ପାଜର କଣ ପାଇଁ ମଗାଯାଉଛି ବୋଲି ପଚାରିବାରୁ ସେମାନେ ଭୂମି ପୂଜାରେ ଭୋଜିଭାତର ଆସର ଜମିବ ବୋଲି କହିଥିଲେ। ଦିନ ତମାମ ଯେତକି ପାଜର ବା ଆର୍ଥିକ ସହଯୋଗ ଲୋକେ କରନ୍ତି ସେହି ଟଂକାରେ ଗ୍ରାମବାସୀ ମଧ୍ୟ ନିଜ ନିଜର ପାରିବା ପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରି ଏକ ନୈଶ୍ୟ ଭୋଜର ଆୟୋଜନ କରନ୍ତି। ଡିସାରୀ ଜମିରେ ପୂଜାର୍ଚ୍ଚନା କରିବା ପରେ ଲୋକେ ଭୋଜିଭାତ ଖାଇବା ପରେ ବାଦ୍ୟର ତାଳେ ତାଳେ ନାଜକୀତରେ ମୁସଗୁଲ ହୁଅନ୍ତି। ରାତି ତମାମ ନାଚଗୀତ ଚାଲେ। ଜିଲ୍ଲାରେ ବର୍ଷା ନଥିବା ବେଳେ ଚାଷୀ ବାଧ୍ୟ ହୋଇ ନିୟମ ଅନୁଯାୟୀ ଜମିରେ ଧାନ ବୁଣେ।ବିଭିନ୍ନ ଗାଁରେ ଭିନ୍ନ ଭିନ୍ନ ସମୟରେ ଭୂମୀ ପୂଜାର ଆୟୋଜନ କରାଯାଏ। ଧରଣୀ ପେନୁକୁ ମାଦକ ଦ୍ରବ୍ୟ ମଧ୍ୟ ପ୍ରଦାନ କରାଯାଇଥାଏ। ପୂଜା ପରେ ମାଦକ ଦ୍ରବ୍ୟକୁ ସମସ୍ତେ ପାଦୁକା ଭାବେ ଗ୍ରହଣ କରନ୍ତି।ବର୍ଷ ବର୍ଷ ଧରି ଆଦିବାସୀ ସଂପ୍ରଦାୟରେ ଏହି ପୂଜା ଚାଲିଆସିଛି। ଏହି ପୂଜାରେ ଗ୍ରାମର ଛୋଟରୁ ବଡ ସମସ୍ତେ ବେଶ ମଜା ଉଠାନ୍ତି।

ସମ୍ବନ୍ଧିତ ଖବର