କୋରାପୁଟ: ଜଗା ପାଇଁ ପ୍ରତିଦିନ ଜେଲ୍‌ରୁ ଯାଉଛି ତୁଳସୀ। କଏଦୀଙ୍କ ଦ୍ବାରା ପ୍ରସ୍ତୁତ ତୁଳସୀ ମାଳରେ ଶୋଭା ପାଉଛନ୍ତି କଳାଠାକୁର। ଶ୍ରୀଜଗନ୍ନାଥଙ୍କ ମହିମା ହେଉ କିମ୍ବା କଏଦୀଙ୍କ ଅନାବିଳ ଭକ୍ତି ପାଇଁ ଏବେ କୋରାପୁଟ ମଣ୍ଡଳ କାରଗାରରେ ମହକୁଛି କୃଷ୍ଣ ତୁଳସୀ। ଦୋଷ କରି ଦଣ୍ଡ ଭୋଗୁଥିବା କଏଦୀଙ୍କୁ ନୂଆ ରାହା ଦେଖାଇବା ପାଇଁ ଜେଲ୍‌ ପରିସରରେ ଆରମ୍ଭ ହୋଇଥିବା ତୁଳସୀ ବଣ ମାନସିକତା ପରିବର୍ତ୍ତନରେ ବଡ଼ ଭୂମିକା ଗ୍ରହଣ କରିଛି। କଏଦୀଙ୍କ ମୁକ୍ତି ପରବର୍ତ୍ତୀ ଜୀବନରେ ଆବେଗ ଏବଂ ଶ୍ରଦ୍ଧା ଭରି ଦେବାକୁ ଜେଲ୍‌ କର୍ତ୍ତୃପକ୍ଷ ନୂଆ ପରିକଳ୍ପନା କରିଥିଲେ। ପରିବେଶ ଅନୁକୂଳ ତଥା ଭଗବାନଙ୍କ ସହ ଭକ୍ତି ମାଧ୍ୟମରେ କଏଦୀଙ୍କୁ ସିଧାସଳଖ ଯୋଡ଼ିବାକୁ ଅନେକ ବିଚାର ବିମର୍ଷ ହୋଇଥିଲା। ଓଡ଼ିଆ ଜାତିର ପରିଚୟ ଶ୍ରୀଜଗନ୍ନାଥଙ୍କ ଅତିପ୍ରିୟ ତୁଳସୀ ହୋଇଥିବାରୁ ତୁଳସୀ ବଣ ସୃଷ୍ଟି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ଜେଲ୍‌ ବଗିଚାରେ ହଜାର ହଜାର କୃଷ୍ଣ ତୁଳସୀ ଗଛ ଲଗାଇ ତାହାର ସଂପୂର୍ଣ୍ଣ ଦାୟିତ୍ବ କଏଦୀଙ୍କୁ ଦିଆଯାଇଥିଲା। କଏଦୀଙ୍କ ସ୍ପର୍ଶ ପାଇଁ ଗଛ ବଢ଼ିଲା ଏବଂ ଜେଲ୍‌ର ଉଚ୍ଚା କାନ୍ଥକୁ ଭେଦି ବାହାରେ ବି ମହକିଲା। ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଥିବା ବେଳେ ଶାବର ଶ୍ରୀକ୍ଷେତ୍ର ପାଇଁ ଆବଶ୍ୟକ ପରିମାଣର କୃଷ୍ଣ ତୁଳସୀ କୋରାପୁଟ ଜେଲ୍‌ରୁ ଯାଉଛି। ମହିଳା କଏଦୀ ମାଳ କରି ତୁଳସୀ ମନ୍ଦିରକୁ ପଠାଉଛନ୍ତି। ତୁଳସୀ ସେବା କରି କଏଦୀଙ୍କ ଚରିତ୍ରରେ ବୈପ୍ଳବିକ ପରିବର୍ତ୍ତନ ହୋଇଛି ଏବଂ ଭଗବାନଙ୍କ ଆଶ୍ରିତ ହୋଇଛନ୍ତି। ସଜା କାଟି ବାହାରକୁ ଯିବା ପରେ ସ୍ୱାବଲମ୍ବୀ ହୋଇ ସମ୍ମାନର ସହ ଜୀବନ ବଞ୍ଚିବାକୁ ଆତ୍ମବିଶ୍ବାସ ଫେରିପାଇଥିବା ଜଣାପଡ଼ିଛି।