ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଅନନ୍ୟ ଲୋକକଳାକୁ ପୁନଃଲୋକଲୋଚନକୁ ଆଣିବା ପାଇଁ ଆମର ସ୍ବତନ୍ତ୍ର ପ୍ରୟାସ ‘ଆମ ଲୋକକଳା’। ଏଥର ଏହି ସ୍ତମ୍ଭରେ ଉପସ୍ଥାପନ କରୁଛୁ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଲୋକକଳା ‘କୃଷ୍ଣଲୀଳା’। ଗଞ୍ଜାମ ଜିଲ୍ଲାରେ ଦୁଃଖୀ ଶ୍ୟାମ ଦାସ ହିଁ ପ୍ରଥମେ ‘କୃଷ୍ଣଲୀଳା’ (୪୮ଲୀଳା) ରଚନା କରି ଥିଲେ। ଦୁଃଖୀଶ୍ୟାମଙ୍କ କୃଷ୍ଣଲୀଳା ସୃଷ୍ଟି ବେଳକୁ ରାମଲୀଳା ଚରମ ଉତ୍କର୍ଷରେ ପହଞ୍ଚିଥିଲା। ଏଣୁ ଉତ୍ତରାଧିକାରୀ ଭାବେ ସେ ପୂର୍ବ ସୂରିମାନଙ୍କ ଦ୍ବାରା ନିର୍ମିତ ଲୀଳା ସୃୃଷ୍ଟିର କଳା, କୌଶଳ, ଉପସ୍ଥାପନା ଶୈଳୀ ଓ ମଞ୍ଚାୟନ ଭୂମିକୁ ନେଇ ସେ ଲେଖିଥିଲେ କୃଷ୍ଣ ଲୀଳା। ଜଗନ୍ନାଥ ଦାସଙ୍କ ପ୍ରଣୀତ ଶ୍ରୀମଦ୍‌ ଭାଗବତର ୧୦ମ ସ୍କନ୍ଦରେ ଥିବା ୪୮ଅଧ୍ୟାୟକୁ ୪୮ଲୀଳା ଭାବେ ରଚନା କରିଥିଲେ। ରାଜା ପରୀକ୍ଷିତ ଓ ଶୁକଦେବଙ୍କ କଥୋପକଥନରୁ ଲୀଳା ଆରମ୍ଭ ହୋଇଛି, ଏବଂ ଓଡ଼ିଆ ଓ ବଙ୍ଗଳା ମିଶ୍ରିତ ଭାଷାରେ ଏହା ଲେଖାଯାଇଛି।

Advertisment

ଏହି ଲୀଳା ରଚନା ପରେ ସେ ନିଜେ ନିର୍ଦ୍ଦେଶନାରେ ଆଠଗଡ଼ ନିକଟ ବାଉଁଶିଆ ଗ୍ରାମରେ ଏହାର ପରିବେଷଣ କରାଇଥିଲେ। ଏହା ଦେଖି ପୁରୁଷୋତ୍ତମପୁର ଗ୍ରାମବାସୀ ପ୍ରଭାବିତ ହୋଇ ନିଜ ଅଂଚଳରେ ଉକ୍ତ ଲୀଳା ପରିବେଷଣ କରାଇଥିଲେ। ପରେ ଏହା ସାରା ଜିଲ୍ଲାରେ ଲୋକପ୍ରିୟତା ହାସଲ କରିଥିଲା। ଏହି ଲୀଳାକୁ ଦୁଃଖୀଶ୍ୟାମ ତାଳପତ୍ର ପୋଥିରେ ରଚନା କରିଥିବା ବେଳେ ଏହାର ପ୍ରକୃତ କାଳ ସମ୍ପର୍କରେ ସୂଚନା ନାହିଁ। ତେବେ ଏହା ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ବୋଲି ଅନୁମାନ କରାଯାଏ।

ଦୁଃଖୀଶ୍ୟାମ ଦାସଙ୍କ କୃଷ୍ଣଲୀଳାରେ ପ୍ରଭାବିତ ହୋଇ ବଡ଼ଖେମୁଣ୍ଡି ରାଜା ଲକ୍ଷ୍ମୀନାରାୟଣ ଦେବ(୧୮୫୧)କୃଷ୍ଣଙ୍କ ୫ଟି ଲୀଳା, ଚିକିଟି ରାଜା ବିଶ୍ବମ୍ବର ରାଜେନ୍ଦ୍ର ଦେବ (୧୮୫୬) ୧୦ଟି ଲୀଳା, ଗୌତମୀର ହରିହର ଷଡ଼ଙ୍ଗୀ (୧୮୩୦) ୧୫ଟି ଓ ପାରଳାର ମଧୁସୂଦନ ପାଣିଗ୍ରାହୀ (୧୮୨୮) ୩ଟି ଲୀଳା ରଚନା କରିଥିଲେ। ଧାନ୍ୟରାଶି ଗ୍ରାମର ଗଣପତି ରଣା (୧୮୬୨) ଦୁଃଖୀଶ୍ୟାମଙ୍କ ଓଡ଼ିଆ ଓ ବଙ୍ଗଳା ଭାଷାର କେତେକ ଲୀଳାକୁ ଓଡ଼ିଆ ଭାଷାରେ ରୂପାନ୍ତରିତ କରି ବିଭିନ୍ନ ସ୍ଥାନରେ ନିଜେ ନିର୍ଦ୍ଦେଶନା ଦେଇ ମଞ୍ଚସ୍ଥ କରାଇଥିଲେ। ଏହା ‘ଭଙ୍ଗା ଦୁଃଖୀଶ୍ୟାମ ଦାସ କୃଷ୍ଣଲୀଳା’ ରୂପେ ପରିଚିତ। କିନ୍ତୁ ଗଞ୍ଜାମ ଜିଲ୍ଲାରେ କୃଷ୍ଣଲୀଳା କହିଲେ ମୁଖ୍ୟତଃ ଦୁଃଖୀଶ୍ୟାମ ଦାସଙ୍କ ରଚିତ କୃଷ୍ଣଲୀଳାକୁ ହିଁ ବୁଝାଏ। ଜିଲ୍ଲାର ଅଧିକାଂଶ ନାଟ୍ୟ ଦଳ ଏହି ଲୀଳାକାରଙ୍କ କୃଷ୍ଣଲୀଳା ପରିବେଷଣ କରିଥା’ନ୍ତି।

କୃଷ୍ଣଲୀଳା (୪୮ଲୀଳା)ର ପରିବେଷଣ ଅବଧି ୪୮ଦିନ। ପ୍ରତିବର୍ଷ ମାଘ ମାସ କୃଷ୍ଣ ଦଶମୀରେ ଆରମ୍ଭ ହୋଇ କୃଷ୍ଣ ଏକାଦଶୀ, ଏହାପରେ ସେହିମାସ ଶୁକ୍ଳପକ୍ଷ ଦଶମୀ , ଏକାଦଶୀ ଏହିପରି ସେହି ମାସରେ ୪ଟି ଲୀଳା ପରିବେଷିତ ହୁଏ। ଏହାପରେ ପ୍ରତ୍ୟେକ ମାସର କୃଷ୍ଣ ଏବଂ ଶୁକ୍ଳପକ୍ଷର ଦଶମୀ, ଏକାଦଶୀ ତିଥିରେ ୪ଟି ଲେଖାଏଁ ହୋଇ ବାରମାସରେ ମୋଟ ୪୮ଲୀଳା ପରିବେଷଣ ସମ୍ପନ୍ନ ହୁଏ। ଦୀର୍ଘ ସମୟ ତଥା ବ୍ୟୟବହୁଳ ହେତୁ ବର୍ତ୍ତମାନ କେବଳ ବାଲ୍ୟ ଲୀଳା, ଦଧିମନ୍ଥନ ଲୀଳା ଓ କାଳୀୟ ଦଳନ ଲୀଳା ପରିବେଷଣ ହେଉଛି। ସମୟ ଅବଧିକୁ ମଧ୍ୟ ସଙ୍କୁଚିତ କରାଯାଇଛି। ବାଦ୍ୟଯନ୍ତ୍ର ଭାବେ ମୃଦଙ୍ଗ, ଗିନି, ଝାଞ୍ଜ, ଘୁଙ୍ଗୁର, ହାରମୋନିୟମ୍‌ ବ୍ୟବହୃତ ହେଉଥିଲା। ଅଧୁନା କେତେକ ସ୍ଥଳେ କ୍ୟାସିଓ, ଢୋଲିକି, ନାଗରା ସହ ପାଶ୍ଚାତ୍ୟ ବାଦ୍ୟଯନ୍ତ୍ର କର୍ଣ୍ଣେଟ୍‌ ଓ କ୍ଲାରିଓନେଟ୍‌ ମଧ୍ୟ ବ୍ୟବହାର ହେଉଛି।

କୃଷ୍ଣ ଲୀଳା ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷିତ ହୁଏ। କେତେକ ସ୍ଥାନରେ ଛାମୁଣ୍ଡିଆ ଓ ସେଥିରେ ଚାନ୍ଦୁଆ ବନ୍ଧା ଯାଇଥାଏ। ମଞ୍ଚରେ ସ୍ତମ୍ଭଟିଏ ପୋତି ଶିକା ଓ ହାଣ୍ଡି ଓହଳାଇ ଦଧି ଭାଣ୍ଡ ସ୍ଥାପନ କରାଯାଏ। ମଣ୍ଡଳର କୌଣସି ଏକ ସ୍ତମ୍ଭରେ ଫୁଲ ଥିବା କଦମ୍ବ ଡାଳ ବାନ୍ଧି କଦମ୍ବ ଗଛ ବୋଲି ଅବଧାରଣ କରାଯାଏ। କାଳୀୟ ଦଳନ ବେଳେ କାଠ ନିର୍ମିତ ଏକ ଯନ୍ତ୍ରରେ ହରିଦ୍ରା ଓ କଳା ରଙ୍ଗ ସାହାଯ୍ୟରେ ଅବିକଳ ସାପ ପରି ଚିତ୍ରଣ କରି ସର୍ପର ଫଣାକୁ କୃଷ୍ଣଙ୍କ ଉଦ୍ଦେଶ୍ୟରେ ବାରମ୍ବାର ସଙ୍କୋଚନ ଓ ପ୍ରସାରଣ କରି କାଳୀୟ ଦଂଶନ କରାଯାଏ। କାଳୀୟ ଦଂଶନ ପରେ କାଠରେ ନିର୍ମିତ ଗରୁଡ଼ ମୂର୍ତ୍ତି ଦଉଡ଼ିରେ ବନ୍ଧାଯାଇ ଛାମୁଣ୍ଡିଆ ଉପର ଭାଗରୁ ତଳକୁ ଖସାଯାଏ। ଗରୁଡ଼ଙ୍କ ଆଗମନରେ ଶ୍ରୀକୃଷ୍ଣ ଚେତା ପାଇ କାଳୀୟ ଦଳନ କରନ୍ତି। ପରିବେଷଣ ଶୈଳୀ ଓ ବେଶଭୂଷା ମଧ୍ୟ ଠିକ୍ ରାମଲୀଳା ପରି ଚରିତ୍ର ଅନୁଯାୟୀ ହୋଇଥାଏ। ଅତୀତରେ ଜିଲ୍ଲାରେ ଅନେକ କୃଷ୍ଣଲୀଳା ଦଳ ଥିଲା ବେଳେ ବର୍ତ୍ତମାନ ୬ଟି ଦଳ ରହିଛି। ପ୍ରତି ଦଳରେ ୧୦ରୁ ୧୨ଜଣ ତଥା ୧୦ରୁ ୧୨ବର୍ଷ ବୟସର ଦେଢ଼ ଶହ କଳାକାର ଓ ୪୭ ଜଣ ଗୁରୁ ରହିଛନ୍ତି। ଗୁରୁଙ୍କ ମଧ୍ୟରେ ୭୦ପ୍ରତିଶତ ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଅଟନ୍ତି। କିନ୍ତୁ ଯୁବପିଢ଼ି ଏଥିପାଇଁ ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି। ଆବଶ୍ୟକ ସରକାରୀ ପ୍ରୋତ୍ସାହନ ନମିଳିଲେ ହୁଏତ ଏହି ପ୍ରାଚୀନ ‘ଲୋକକଳା’ ସବୁଦିନ ପାଇଁ କାଳର ଗର୍ଭରେ ବିଲୀନ ହୋଇଯିବ। ଲୋକ ନାଟକ ଗବେଷକ ଲିଙ୍ଗରାଜ ନାହାକ ଉପରୋକ୍ତ ଗବେଷଣାଲବ୍ଧ ତଥ୍ୟ ପ୍ରଦାନ କରିଛନ୍ତି।