ଶେରଗଡ଼ : ୧୦୬ ବର୍ଷ ବୟସରେ ବି ସଂପୂର୍ଣ୍ଣ ସୁସ୍ଥ ଓ ନିରୋଗ। ପ୍ରତିଦିନ ସକାଳୁ ଉଠି ମନ୍ଦିରକୁ ଯିବା ଓ ଚାଷକାମ ଦେଖାଶୁଣା କରିବା ତାଙ୍କର ଦୈନନ୍ଦିନ କାର୍ଯ୍ୟ। ଆଜି ବି ସେ ଚଷମା ପିନ୍ଧୁ ନଥିବା ବେଳେ ସ୍ପଷ୍ଟ ଭାବେ ସବୁ ପୁରାଣ ପଢ଼ୁଛନ୍ତି। ଆଉ ରାଗରାଗିଣୀରେ କୃଷ୍ଣଲୀଳା ଅତି ସୁନ୍ଦର ଭାବେ ଗାଉଛନ୍ତି। ଏମିତି ଜଣେ ନିଆରା ବ୍ୟକ୍ତିତ୍ବ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର କୃଷ୍ଣଲୀଳା ଗୁରୁ ଗୋପୀନାଥ ସ୍ବାଇଁ। ତାଙ୍କ ସୁନ୍ଦର ଓ ନିରାମୟ ଜୀବନ ଆଜି ଗାଁର ପ୍ରତିଟି ବ୍ୟକ୍ତି ପାଇଁ ଏକ ପ୍ରେରଣା ପାଲଟିଛି।
୧୯୧୮ ମସିହା ଫେବ୍ରୁଆରି ୧୫ ତାରିଖରେ ସ୍ବର୍ଗତ ମାଗିତି ସ୍ୱାଇଁ ଏବଂ ସ୍ବର୍ଗତ ମାଆ ହାଡ଼ି ସ୍ୱାଇଁଙ୍କ ଔରସରୁ ଗୋପୀନାଥ ଜନ୍ମଗ୍ରହଣ କରିଥିଲେ। ‘ସମ୍ବାଦ’ ସହ ଆଲୋଚନା ବେଳେ ନିଜ ଜୀବନର ଅନୁଭୂତିକୁ ବଖାଣି ସେ କହିଛନ୍ତି, ସେତେବଳେ ଗ୍ରାମର ଆଖପାଖରେ ବିଦ୍ୟାଳୟ ନଥିବା ଯୋଗୁ ବ୍ରହ୍ମପୁରରୁ ଜଣେ ଶିକ୍ଷକ ଗାଁକୁ ଆସି ସେତେବେଳେ ପାଠ ପଢ଼ାଉଥିଲେ। ତେବେ କଳା ପ୍ରତି ପିଲାଟିଦିନରୁ ହିଁ ତାଙ୍କର ଦୁର୍ବଳତା ରହିଥିଲା। ଫଳରେ ପଞ୍ଚମ ଶ୍ରେଣୀ ପରେ କୃଷ୍ଣଲୀଳା ନାଟକ ଶିକ୍ଷାଗ୍ରହଣ କରିଥିଲେ। ନିଜ ଜୀବନକାଳ ମଧ୍ୟରେ ସେ ଜିଲ୍ଲାର ବୋରିପଦର, ଖାରିଆଗୁଡ଼ା, କେଶପୁର, କୁଶପଡ଼ା, କୁରୁଳା, ଗୋବିନ୍ଦପୁର, କଳମ୍ବ ଓ ସୋରଳ ସମେତ ୩୦ଟି ଗ୍ରାମରେ କୃଷ୍ଣଲୀଳା ନାଟକ ଶିକ୍ଷା ପ୍ରଦାନ କରିଛନ୍ତି। ଏହାମଧ୍ୟରେ ବଡ଼ପୁଅ, ବଡ଼ବୋହୂ ଓ ସାନବୋହୂଙ୍କ ପରଲୋକ ଘଟିଥିବା ବେଳେ ଗୋପୀନାଥ ଏବେ ନାତି ପାଖରେ ରହୁଛନ୍ତି।
ଏବେ ବି ନିୟମିତ ପୁରାଣ ପଢ଼ିବା ସହ ନୂତନ ଗୀତ ରଚନା କରୁଛନ୍ତି। ପ୍ରାୟ ୨୦ ବର୍ଷ ହେଲା ସେ ଆମିଷ ଛାଡ଼ି ଦେଇଥିବା ବେଳେ ନିରାମିଷ ଖାଦ୍ୟକୁ ହିଁ ମୁଖ୍ୟ ଆହାର ଭାବେ ଗ୍ରହଣ କରିଛନ୍ତି। ପ୍ରତ୍ୟହ ଭୋର୍ ୩ଟାରେ ଶଯ୍ୟାତ୍ୟାଗ କରି ନିତ୍ୟକର୍ମ ସାରନ୍ତି। ମନ୍ଦିରରେ ଠାକୁର ଦର୍ଶନ ସାରି ଚାଷଜମିକୁ ବାହାରିପଡ଼ନ୍ତି। ଚାଷକାମ ଦେଖାଶୁଣା କରିବା ପରେ ଅନ୍ୟାନ୍ୟ ଛୋଟମୋଟ କାମ କରିଥାନ୍ତି। ସବୁଠୁ ବଡ଼କଥା ହେଉଛି, ଏବେ ବି ସେ କୃଷ୍ଣଲୀଳା ନାଟକରେ ୧୨ ଘଣ୍ଟା ଧରି ଗୀତ ଗାଇପାରୁଛନ୍ତି। ଏଥିପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସମେତ ବିଭିନ୍ନ ସଂଗଠନରୁ ବହୁବାର ସମ୍ମାନିତ ହୋଇଛନ୍ତି। ଗତ ବିଷୁବ ସଂକ୍ରାନ୍ତିରେ ବ୍ରହ୍ମପୁରସ୍ଥିତ ଗଞ୍ଜାମ କଳା ପରିଷଦରେ ତାଙ୍କୁ ସମ୍ମାନିତ କରାଯାଇଛି।
-ସୁବ୍ରତ ପଣ୍ଡା