କୃଷ୍ଣପ୍ରସାଦ ବୋମା ଓ ଗୁଳିମାଡ଼ ଘଟଣା: ଗାଁ ପୁରୁଷ ଶୂନ୍ୟ, ୭୫ ବୋମା ଜବତ

ବ୍ରହ୍ମଗିରି : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ବ୍ରହ୍ମଗିରି ଥାନା ସାତପଡ଼ା ଫାଣ୍ତି ଅର୍ନ୍ତଗତ ନାଥପୁର ଗାଁ’ ନିକଟରେ କୃଷ୍ଣପ୍ରସାଦ ବ୍ଲକ୍ ବ୍ରହ୍ମପୁର ଗାଁରୁ ବିସ୍ଥାପିତ ହୋଇ ଆସିଥିବା ଅନୁସୂଚିତ ଜାତି ବସ୍ତିରେ ରବିବାର ଦିନ ବୋମା ଓ ଗୁଳିମାଡ଼ ଘଟଣା ପରେ ସୋମବାର ଦିନ ପୁଲିସ ବସ୍ତିକୁ କବ୍‌ଜା କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ପ୍ରାୟ ୭୫ଟି ଅଫୁଟା ବୋମା ଜବତ କରାଯାଇଛି। ବମ୍‌ ସ୍କ୍ବାଡ୍‌ ଘଟଣାସ୍ଥଳରେ ସେଗୁଡ଼ିକୁ ନିଷ୍କ୍ରିୟ କରିଛି। ଗାଁ ପୁରୁଷଶୂନ୍ୟ ହୋଇଯାଇଥିବା ବେଳେ କେବଳ କେତେକ ମହିଳା ବସ୍ତିରେ ରହିଛନ୍ତି।

ବିସ୍ଥାପିତକୁ ନିଜ ଗାଁକୁ ଫେରାଇ ନେବାକୁ ପ୍ରଶାସନ ଓ ୩୫ ମୈାଜା ଭଦ୍ରବ୍ୟକ୍ତି ବୈଠକ କରି ଅନୂସୁଚିତ ଜାତିର ମୁଖିଆଙ୍କୁ ଡାକିବାକୁ ଯାଇଥିବା ବେଳେ ଏହି ବସ୍ତି ପକ୍ଷରୁ ବୋମା ମାଡ଼ ସାଙ୍ଗକୁ ଡାକିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବୋମା ଓ ଗୁଳି ମାଡ଼ ହୋଇଥିଲା। ଯେଉଁଥିରେ ୧୦ ଜଣ ଗୁରୁତର ଆହତ ହୋଇଥିଲେ। ୪୦ ବଖରା ଘର ପୋଡି ପାଉଁଶ ହୋଇ ଯାଇଥିଲା।ଏହାକୁ ନେଇ ଏବେ ବି ଚାପା ଉତ୍ତେଜନା ଲାଗି ରହିଥିବାରୁ ଆଠ ପ୍ଲାଟୁନ ପୁଲିସ ଫୋର୍ସ ସହିତ ଅତିରିକ୍ତ ଏସ୍‌ପି, ଏସଡିପିଓ ଏବଂ ବ୍ରହ୍ମଗିରି ଥାନା ଅଧିକାରୀଙ୍କ ସହିତ ସାତପଡା ଫାଣ୍ତି ପୁଲିସ ଘଟଣାସ୍ଥଳରେ ଡେରା ପକାଇ ରହିଛନ୍ତି। ଗତକାଲି ରାତି ତମାମ ପୁଲିସ ଆଖପାଖ ୩ଟି ଗାଁରେ ଚଢ଼ଉ କରିବା ଫଳରେ ଏହି ଗାଁ ସବୁ ପୁରୁଷ ଶୂନ୍ୟ ହୋଇଛି। ପୁଲିସ ଉଭୟ ପକ୍ଷରୁ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପୋଡ଼ି ଯାଇଥିବା ବସ୍ତିକୁ ଚାରିପଟୁ ପୁଲିସ ଜଗି ରହିଛି। ସାହିକୁ ଯିବା ରାସ୍ତାକୁ ପୁଲିସ ସିଲ୍‌ କରିଦେଇଛି। ବସ୍ତିରେ ପୁରା ନିରବତା ଛାଇଯାଇଛି। ସେଠାରେ କିଛି ମହିଳା ରହିଥିବା ବେଳେ ପୁରୁଷ ସବୁ ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିବା ସୂଚନା ମିଳିଛି। ସଂଧ୍ୟା ସୁଦ୍ଧା ବ୍ରହ୍ମଗିରି ଥାନାରେ କୈାଣସି ଲିଖିତ ଅଭିଯୋଗ ହୋଇ ନ ଥିବା ଅତିରିକ୍ତ ଏସପି ପ୍ରଫୁଲ୍ଲ କୁମାର ବଡଜେନା କହିଛନ୍ତି।

ରବିବାର ଦିନ କୃଷ୍ଣପ୍ରସାଦ ବ୍ଲକ୍ ନାଥପୁର ନିକଟ ବିସ୍ଥାପିତ ଅନୂସୁଚିତ ଜାତି ବସ୍ତିରେ ବୋମା ଓ ଗୁଳିମାଡ ପରେ ସୋମବାର ସକାଳୁ ବସ୍ତିରେ ଶହଶହ ଫୁଟା, ଅଫୁଟା ବୋମା ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ ଅଧିକାରୀମାନେ ଏହି ବୋମା ଗଦା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯୁଆଡେ ଚାହିଁବ ସେଠାରେ ବୋମା ଆଉ ବୋମା। ଘର ଭିତରେ ଓ ବାହାରେ ଯେତିକି ଫୁଟା, ଅଫୁଟା ବୋମା ପଡ଼ିଥିଲା, ବସ୍ତିକୁ ଲାଗି ରହିଥିବା ପଡ଼ିଆ ଜମିରେ ମଧ୍ୟ ସେତିକି ପଡ଼ିରହିଥିଲା। ଏତେ ବୋମା ଦେଖି ପୁଲିସ ଭୟଭିତ ହୋଇ ପଡ଼ିଥିଲା। ଖରା ପଡ଼ିବା ପରେ ବିସ୍ପୋରଣ ଆଶଙ୍କା ପୁଲିସକୁ ଘାରି ଥିଲା। ତେଣୁ ଅଫୁଟା ବୋମାକୁ ନିଷ୍କ୍ରିୟ କରିବା ପାଇଁ ବୋମା ସ୍କ୍ବାଡ୍‌କୁ ଡକାଯାଇଥିଲା। ସେହିପରି ଫନେସିକ୍‌ ଟିମ୍‌କୁ ମଧ୍ୟ ତଦନ୍ତ ପାଇଁ ଡକାଯାଇଥିଲା। ମଧ୍ୟ୍ୟାହ୍ନରେ ବୋମ ସ୍କ୍ବାଡ୍‌ ଓ ଡଗ୍‌ ସ୍କ୍ବାଡ୍‌ ପହଞ୍ଚି ବସ୍ତି ଭିତରୁ ୪୦ ଅଫୁଟା ବୋମା ଉଦ୍ଧାର କରିଥିଲା। ଏହା ସହିତ ପାଖ ପଡ଼ିଆରୁ ମଧ୍ୟ ୨୦ଟି ବୋମା ଉଦ୍ଧାର କରିଥିଲା। ସେହିପରି କେ-୯ ନମ୍ବର ସନ୍ଧାନୀ କୁକୁର ଶୁଙ୍ଘି ଶୁଙ୍ଘି ପୁଣି ୫ ବୋମା ବାହାର କରିଥିଲା। ବୋମା ଉଦ୍ଧାର ପରେ ଏହାକୁ ସେହିଠାରେ ନିଷ୍କ୍ରିୟ କରାଯାଇଛି। ସେହିପରି ପୁରୀରୁ ୪ ଜଣିଆ ଏକ ସ୍ବତନ୍ତ୍ର ଫୋରେନସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତାର ତଦନ୍ତ କରିଛି।

ସମ୍ବନ୍ଧିତ ଖବର