ରାଜ୍ୟରେ କୃଷ୍ଣସାର ମୃଗ ବୃଦ୍ଧି ଯୋଜନାକୁ ଶକ୍ତ ଧକ୍କା : ବାଲୁଖଣ୍ଡକୁ ଏବେ ଆସିବେନି କୃଷ୍ଣସାର

ଆସ୍କାରୁ କୃଷ୍ଣସାର ସ୍ଥାନାନ୍ତର ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ, ହରିଣଙ୍କ ପାଇଁ ବାଲୁଖଣ୍ଡରେ ଛାମୁଡ଼ିଆ, ଖାଦ୍ୟ ବ୍ୟବସ୍ଥ‌ା

ଭୁବନେଶ୍ୱର : ଦିନେ କୃଷ୍ଣସାର ମୃଗଙ୍କ ଚରାଭୂଇଁ ପାଲଟିଥିଲା ପୁରୀ-କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ। ଯୁଆ‌ଡ଼େ ଚାହିଁଲେ କେବଳ ମୃଗ ଦେଖିବାକୁ ମିଳୁଥିଲେ। ରାସ୍ତାଘାଟ, ଲୋକଙ୍କ ଘର ନିକଟକୁ ବି ଚାଲି ଆସୁଥିଲେ। କିନ୍ତୁ ଗତ କିଛି ବର୍ଷ ହେଲା ଏଠାରେ ‌ଆଉ ଦେଖିବାକୁ ମିଳୁନାହାନ୍ତି କୃଷ୍ଣସାର। ଖାଦ୍ୟ ଅଭାବ ସାଙ୍ଗକୁ ବାରମ୍ବାର ସେମାନଙ୍କ ବାସସ୍ଥଳୀ ଭାଙ୍ଗିବା ଯୋଗୁଁ ଏହି ଅଭୟାରଣ୍ୟରୁ କୃଷ୍ଣସାର ଧୀରେ ଧୀରେ ଲୋପ ପାଇଥିଲେ। ୨୦୧୭ରେ ଜଣାପଡ଼ିଥିଲା ଯେ କୃଷ୍ଣସାର ମୃଗ ଶୂନ୍ୟ ହୋଇଯାଇଛି ବାଲୁଖଣ୍ଡ। ଗଣନା ସମୟରେ ଗୋଟିଏ ବି କୃଷ୍ଣସାର ଦେଖିବାକୁ ମିଳିନଥିଲା। ତାହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ବାଲିପଦରରୁ କୃଷ୍ଣସାର ମୃଗ ଆଣି ଛାଡ଼ିବାକୁ ଯୋଜନା ପ୍ରସ୍ତୁତ କରିଥିଲା ଜଙ୍ଗଲ ବିଭାଗ।

ଗଞ୍ଜାମ ଜିଲ୍ଲା ଘୁମୁସର ବନଖଣ୍ଡ ଅଧୀନସ୍ଥ ବେତନଈ-ବାଲିପଦର ଅଞ୍ଚଳରେ କୃଷ୍ଣସାରଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ବାଲୁଖଣ୍ଡ ଅଭୟାରଣ୍ୟରେ ଛାଡ଼ିବା ଲାଗି ଗତବର୍ଷ ସ୍ଥିର ହୋଇଥିଲା। ଗତବର୍ଷ ଗଣନା ସମୟରେ ୪ ହଜାରରୁ ଅଧିକ କୃଷ୍ଣସାର ଥିବା ଜଣାପଡ଼ିଥିଲା। ତେଣୁ କୃଷ୍ଣସାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବା ସହ ଚଳିତ ଆର୍ଥିକ ବର୍ଷରେ ବାଲୁଖଣ୍ଡରେ ଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ବାଲୁଖଣ୍ଡରେ ବାତ୍ୟା ‘ଫନି’ ମାଡ଼ ପରେ ଯୋଜନାକୁ ଶକ୍ତ ଧକ୍କା ଲାଗିଛି। ଖାଦ୍ୟ ଅଭାବ ହୋଇଛି। ମୃଗଙ୍କ ଲାଗି ବାସସ୍ଥଳୀ ସମସ୍ୟା ସୃଷ୍ଟି କରିଛି। ବର୍ତମାନ ସମୟରେ ବାଲୁଖଣ୍ଡରେ କୃଷ୍ଣସାର ମୃଗ ଛାଡ଼ିବା ସମ୍ଭାବପର ନୁହେଁ। ତେ‌ଣୁ ନିଷ୍ପତ୍ତିକୁ ଏବର୍ଷ ସ୍ଥଗିତ ରଖାଯାଇଥିବା ପିସିସିଏଫ୍‌(ବନ୍ୟପ୍ରାଣୀ) ଅଜୟ କୁମାର ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ ଆସ୍କାରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ଅବଶ୍ୟ ବଢ଼ିଛି, କିନ୍ତୁ ତାହା ଯଥେଷ୍ଟ ନୁହେଁ। ତେଣୁ କୃଷ୍ଣସାର ମୃଗଙ୍କ ଲାଗି ବେତନଈରେ କମ୍ୟୁନିଟି ରିଜର୍ଭ କରାଯିବ। କୃଷ୍ଣସାର ମୃଗଙ୍କ ସଂରକ୍ଷଣ ଲାଗି ଏଭଳି ପଦକ୍ଷେପ ନିଆଯାଉଛି। ଯେଉଁ ଚାଷ ଜମିରେ କୃଷ୍ଣସାର ମୃଗ ଖାଉଛନ୍ତି, ସେଠାକାର ଚାଷୀଙ୍କୁ କିଛି କ୍ଷତିପୂରଣ ଦିଆଯିବ। ସେଠାରେ ହେଉଥିବା ଚାଷରୁ କୃଷକମାନେ ବେଶି ଲାଭ ପାଇପାରୁ ନାହାନ୍ତି। ତେଣୁ ସେମାନଙ୍କୁ କ୍ଷତିପୂରଣ ଦେଇ ଉକ୍ତ ଜମିରେ ଘାସ, ବିରି, କୋଳଥ, ମୁଗ ବୁଣାଯିବ। ଯାହାଦ୍ବାରା ମୃଗଙ୍କ ଲାଗି ଖାଦ୍ୟାଭାବ ଦେଖାଦେବ ନାହିଁ। ପରୀକ୍ଷାମୂଳକ ଭାବେ ସେଠାରେ ଗୋଟିଏ ଏକର ଜମିରେ ଚାଷ ହୋଇଛି। ଏ ବର୍ଷ ପ୍ରାୟ ୫୦ ଏକର ଜମିରେ ଏଭଳି କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି।

ଅନ୍ୟପକ୍ଷରେ ବାତ୍ୟା ମାଡ଼ ହୋଇଥିବା ବାଲୁଖଣ୍ଡର ପୂର୍ବାବସ୍ଥା ଫେରାଇ ଆଣିବାକୁ ଯୋଜନା ପ୍ରସ୍ତୁତ କରିଛି ଜଙ୍ଗଲ ବିଭାଗ। ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ଯେ ଗତ ତିନି ଦିନ ହେଲା ବଲୁଖଣ୍ଡରେ ହରିଣ ଦେଖାଦେଲେଣି। ପ୍ରତିଦିନ ପାଣି ପାଖକୁ ଆସୁଛନ୍ତି। କ୍ୟାମେରାରେ ସେମାନଙ୍କୁ ଟ୍ରାପ୍‌ କରାଯାଇଛି। ଆଜିଠାରୁ ଦୁଇ ଦିନ ଧରି ଦିନ ବେଳେ ଡ୍ରୋନ୍‌ କ୍ୟାମେରା ମାଧ୍ୟମରେ ହରିଣଙ୍କ ଉପସ୍ଥିତିକୁ ଚିହ୍ନଟ କରାଯିବ। ଡ୍ରୋନ୍‌ରେ ଥର୍ମାଲ ସେସିଂ କ୍ୟାମେରା ଲଗାଯାଇଛି। ଦରକାର ପଡ଼ିଲେ, ରାତିରେ ବି ଡ୍ରୋନ୍‌ ବୁଲିବ। ହରିଣଙ୍କ ଖାଦ୍ୟ ପାନୀୟ ଲାଗି ବ୍ୟବସ୍ଥା ହୋଇଛି। ପିଇବା ପାଇଁ ଅସ୍ଥାୟୀ ପୋଖରୀ ଖୋଳାଯାଉଛି। ଦୁଇ ଦିନ ହେଲା ଖାଦ୍ୟ ଦିଆଯାଉଛି। ଛାମୁଡ଼ିଆ ତିଆରି ହେଉଛି। ସଫେଇ କାର୍ଯ୍ୟ ବି ଚାଲିଛି। ଭାଙ୍ଗି ପଡ଼ିଥିବା ଗଛ କଟାଯିବା ସହ ଆଗକୁ ବ୍ୟାପକ ବୃକ୍ଷରୋପଣ କରାଯିବ। ନିୟମିତ ଭାବେ ଦୁଇ ବର୍ଷ ପର୍ଯ୍ୟନ୍ତ ସେଡ୍‌ ତିଆରି ହେବ। ବର୍ଷା ଦିନ ଆସିବା ପର୍ଯ୍ୟନ୍ତ ପାଣି ଟ୍ୟାଙ୍କର୍‌ ଯୋଗେ ଜଙ୍ଗଲରେ ଥିବା ଜଳାଶୟକୁ ପୂରଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର