ପୁରୀ: ବିରଳ କୃଷ୍ଣସାର ମୃଗଙ୍କ ଗହଳିରେ ପୁଣି ହସି ଉଠିବ ବାଲୁଖଣ୍ଡ ଅଭୟାରଣ୍ୟ। ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ କାର୍ଯ୍ୟାଳୟରୁ ଏ ନେଇ ସ୍ବତନ୍ତ୍ର ଅନୁମତି ମିଳିସାରିଛି। ଉଭୟ ଘୁମୁସର ଦକ୍ଷିଣ ଓ ନନ୍ଦନକାନନରୁ କୃଷ୍ଣସାର ମୃଗ ଆଣି ବାଲୁଖଣ୍ଡ ଅଭୟାରଣ୍ୟରେ ବଂଶବୃଦ୍ଧି ଯୋଜନା ରଖିଛି ବନ୍ୟପ୍ରାଣୀ ବିଭାଗ। ଏ ନେଇ କ୍ଷେତ୍ର ପ୍ରସ୍ତୁତି କାମ ବି ଜୋରସୋରରେ ଚାଲିଛି। ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ କୋଣାର୍କ ବନାଞ୍ଚଳର ଈଶାନେଶ୍ବରଠାରେ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ ପରେ ଏହି ଜାଗାକୁ ବିକଶିତ କରାଯାଉଛି।

Advertisment

କୃଷ୍ଣସାରମାନେ ବୁଦୁବୁଦିଆ ଘାସ ଜଙ୍ଗଲରେ ରହିବାକୁ ଭଲ ପାଆନ୍ତି। ଏଣୁ ଈଶାନେଶ୍ବରଠାରେ ମାଟି ପକାଇ ଘାସ ଜଙ୍ଗଲ ତିଆରି କରାଯାଉଛି। କିନ୍ତୁ ଅସହ୍ୟ ତାତି ଏଥିରେ ପ୍ରତିବନ୍ଧକ ସାଜିଛି। ଖରାରେ ଅପ୍ରୀତିକର ପରିସ୍ଥିତି ଓ ଅଘଟଣ ଏଡ଼ାଇବା ପାଇଁ ବର୍ଷା ଦିନରେ ଅର୍ଥାତ୍‌ ଜୁଲାଇ ମାସରେ କୃଷ୍ଣସାର ମୃଗଙ୍କୁ ଆଣିବାକୁ ବନ୍ୟପ୍ରାଣୀ ବିଭାଗ ନିଷ୍ପତ୍ତି ନେଇଛି ବୋଲି ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ବିବେକ କୁମାର କହିଛନ୍ତି। ପୂର୍ବରୁ ଚିତ୍ରା ହରିଣଙ୍କ ସହ କୃଷ୍ଣସାର ମୃଗଙ୍କ ମୁକ୍ତ ବିଚରଣ ସ୍ଥଳୀ ଥିଲା ବାଲୁଖଣ୍ଡ ଅଭୟାରଣ୍ୟ। କିନ୍ତ କାଳକ୍ରମେ କୃଷ୍ଣସାର ମୃଗଙ୍କ ବଂଶ ବାଲୁଖଣ୍ଡରୁ ଲୋପ ପାଇଗଲା। ୨୦୧୨ ମସିହାଠାରୁ ବାଲୁଖଣ୍ଡରୁ କୃଷ୍ଣସାର ମୃଗ ନିଶ୍ଚିହ୍ନ ହୋଇଯାଇଛନ୍ତି। ଏଣୁ ପୁଣିଥରେ କୃଷ୍ଣସାର ମୃଗଙ୍କ ବଂଶବୃଦ୍ଧି ପାଇଁ ଯୋଜନା କରିଛି ବନ୍ୟପ୍ରାଣୀ ବିଭାଗ। ପ୍ରାଥମିକ ପର୍ଯ୍ୟାୟରେ ଘୁମୁସର ଓ ନନ୍ଦନକାନନରୁ ୧୦ଟି ମୃଗ ଆଣିବାକୁ ଯୋଜନା କରାଯାଇଛି। ଯଦି ବଂଶବୃଦ୍ଧି ଯୋଜନା ସଫଳ ହୁଏ ଓ ଅନୁକୂଳ ପରିସ୍ଥିତି ଦେଖିବାକୁ ମିଳେ, ତେବେ ଆଗକୁ ଅଧିକ କୃଷ୍ଣସାର ମୃଗକୁ ବାଲୁଖଣ୍ଡ ଅଭୟାରଣ୍ୟକୁ ଆଣିବାକୁ ଯୋଜନା କରାଯାଇଛି। ଚଳିତବର୍ଷ ଜାନୁଆରିରେ ଏହି ନିଷ୍ପତ୍ତିକୁ ଚୂଡ଼ାନ୍ତ ମଞ୍ଜୁରି ମିଳିଥିଲା। ଏହି ମଞ୍ଜୁରି ପରେ ଈଶାନେଶ୍ବର ଜଙ୍ଗଲରେ ବିସ୍ତୃତ ଘାସ ପଡ଼ିଆ ତିଆରି କରାଯାଉଛି। ଲକ୍ଷାଧିକ ଟଙ୍କା ବିନିମୟରେ ମାଟି ପୋତା ଯାଉଛି। କୃଷ୍ଣସାରଙ୍କ ପାଇଁ ସ୍ବତନ୍ତ୍ର କୁଡ଼ିଆ ସବୁ ତିଆରି ହେଉଛି। ସଂପୂର୍ଣ୍ଣ ଜଙ୍ଗଲର ସ୍ପର୍ଶ ଦେଇ ପ୍ରବେଶ ପଥ ତିଆରି ହେଉଛି।

ସର୍ବସାଧାରଣଙ୍କୁ ଏହି ଅଞ୍ଚଳରେ ପ୍ରବେଶ ନିଷେଧ କରାଯାଇଛି। ହରିଣ ଆସିବା ପରେ ବି ସର୍ବସାଧାରଣଙ୍କ ପାଇଁ ଏହି ଅଞ୍ଚଳ ନିଷିଦ୍ଧାଞ୍ଚଳ ରହିବ। ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଶ୍ରୀ କୁମାର କହିଛନ୍ତି, ଯେଉଁଭଳି ତାତି ଅନୁଭୂତ ହେଉଛି, ସେଥିରେ କୃଷ୍ଣସାର ମୃଗ ବଞ୍ଚିବା କଷ୍ଟକର। ପାଣିଠାରୁ ଆରମ୍ଭ କରି ଖାଦ୍ୟର ସମସ୍ୟା ଦେଖାଦେବ। ବିଶେଷ କରି ଅତ୍ୟଧିକ ଖରା ସେମାନଙ୍କୁ ଅସୁବିଧାରେ ପକାଇବ। ଏଣୁ ବିସ୍ତୃତ ଆଲୋଚନା ପରେ ଜୁଲାଇରେ କୃଷ୍ଣସାର ମୃଗ ଆଣିବାକୁ ଆମେ ଯୋଜନା କରିଛୁ ବୋଲି ଶ୍ରୀ କୁମାର କହିଛନ୍ତି।