ଭଞ୍ଜନଗର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ତାପମାତ୍ର ୪୦ ଡିଗ୍ରି ପାର୍ କରୁଥିବାରୁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଉତ୍ତର ଘୁମୁସର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ପ୍ରାକୃତିକ ଜଳାଶୟ ଶୁଖିଗଲାଣି। ଫଳରେ, ଏହି ତିନି ବନଖଣ୍ଡରେ କୃଷ୍ଣସାରଙ୍କ ସୁରକ୍ଷାକୁ ନେଇ ବନବିଭାଗ ଏବେ ଚିନ୍ତାରେ ରହିଛି। ତେବେ, ବିଭାଗ ପକ୍ଷରୁ କୃଷ୍ଣସାରଙ୍କ ପାଇଁ ପାଣି ଓ ଖାଦ୍ୟ ବନ୍ଦୋବସ୍ତ ପାଇଁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି।
ବନ୍ୟପ୍ରାଣୀ ସୁରକ୍ଷା ଆଇନରେ କୃଷ୍ଣସାର ମୃଗକୁ ପ୍ରାଧାନ୍ୟ ଦିଆଯାଇ ତାଲିକାର ପ୍ରଥମ ସ୍ଥାନରେ ସ୍ଥାନିତ କରାଯାଇଛି। ଗତ ମୃଗ ଗଣନା ବେଳେ ଗଞ୍ଜାମ ଜିଲ୍ଲାରେ ୭୭୪୫ଟି କୃଷ୍ଣସାର ଥିବା ଜଣାପଡ଼ିଛି। ଦକ୍ଷିଣ ଘୁମୁସର ବନଖଣ୍ଡରେ ୪୬୩୬ଟି ମୃଗ ଥିବାବେଳେ ବ୍ରହ୍ମପୁର ବନଖଣ୍ଡରେ ୨୭୫୭ ଏବଂ ଉତ୍ତର ଘୁମୁସର ବନଖଣ୍ଡରେ ୩୫୦ଟି କୃଷ୍ଣସାର ରହିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମକାଳରେ ଏହି ମୃଗମାନଙ୍କୁ ସୁରକ୍ଷା ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା କହିଛନ୍ତି, ସେହି ପାଣିକୁଣ୍ଡ ଗୁଡ଼ିକୁ ନିୟମିତ ବ୍ୟବଧାନରେ ପାଣି ଭର୍ତ୍ତି କରାଯାଉଥିବା ବେଳେ କୃଷ୍ଣସାରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ସ୍କ୍ବାଡ଼୍ ନିୟୋଜିତ ଅଛନ୍ତି। ପାଣି ପାଇଁ କୃଷ୍ଣସାର ସମସ୍ୟା ଭୋଗୁଥିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଘଟଣା ନଜରକୁ ଆସିନି। ଜଗନ୍ନାଥପ୍ରସାଦ ରେଞ୍ଜର୍ ଉମାକାନ୍ତ ଦାଶ କହିଛନ୍ତି ଜଙ୍ଗଲ ଭିତରେ ୫୦ଟି ପୋଖରୀ ଓ୧୦ ଟି ପାଣିକୁଣ୍ଡ ନିର୍ମାଣ କରାଯାଇଛି। ସେମାନଙ୍କ ପାଇଁ ମାଣ୍ଡିଆ ଓ ଡାଲିଜାତୀୟ ଫସଲ ଚାଷ କରିବା ସହ ସଲ୍ଟ ଲିକ୍ ପ୍ରସ୍ତୁତ କରାଯାଉଛି।