ଭୁବନେଶ୍ୱର : ବିଭିନ୍ନ ଦଫା ଦାବି ନେଇ ଆସନ୍ତା ୧୮ତାରିଖରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣା ଦେବ ଓଡ଼ିଶା କୃଷକ ସାଥୀ ସଂଘ। ସଂଘର ରହିଥିବା ଦାବି ପ୍ରତି ସରକାରଙ୍କ ଅବହେଳା ପ୍ରତିବାଦରେ କୃଷକ ସାଥୀମାନେ ଏହି ଆନ୍ଦୋଳନରେ ସାମିଲ ହେଉଛନ୍ତି।
ଆଜି ନେହରୁ ଯୁବ ପ୍ରତିଷ୍ଠାନ ସଂଘର ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସଂପାଦକ ସନ୍ତୋଷ ବେହେରା କହିଲେ, ଚାଷ ଓ ଚାଷୀଙ୍କୁ ବିଭିନ୍ନ ଫସଲର ଉତ୍ପାଦନ ନେଇ ବୈଷୟିକ ପରାମର୍ଶ ଦେବା ପାଇଁ ପ୍ରତି ପଞ୍ଚାୟତରେ ୬୨୩୪ଜଣ କୃଷକ ସାଥୀଙ୍କୁ ନିଯୁକ୍ତ କରାଯାଇଥିଲା। ୨୦୦୬ରୁ କୃଷକ ସାଥୀମାନେ କାର୍ଯ୍ୟ କରି ଆସୁଛନ୍ତି। କୃଷକମାନଙ୍କୁ ଅଧିକ ଅମଳକ୍ଷମ ଧାନ ଚାଷ କରିବା ଓ ଅନ୍ୟ କୃଷକମାନଙ୍କୁ ପରାମର୍ଶ ଦେବା, ଜିଆ ଖତ ପ୍ରସ୍ତୁତି, ଠିକ୍ ସମୟରେ ସାର ଓ ଔଷଧ ପ୍ରୟୋଗ କରିବା ଭଳି ପରାମର୍ଶ କୃଷକ ସାଥୀମାନେ ଦେଇ ଆସୁଛନ୍ତି।
ତେବେ ୨୦୦୬ ମସିହାରୁ ଲଗାତାର ଆନ୍ଦୋଳନ ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାର ୨୦୧୦ରେ ବାର୍ଷିକ ୪ହଜାର ଓ ୨୦୧୫ରେ ବାର୍ଷିକ ୬ହଜାର ଟଙ୍କା ଅନୁଦାନ ଦେଉଛନ୍ତି। ମାତ୍ର କୃଷି ବିଭାଗର କେତେକ ଯୋଜନାକୁ କୃଷକ ସାଥୀଙ୍କ ଜରିଆରେ କରାଯିବାକୁ ଥିବା ବେଳେ ସରକାର ଏହାକୁ ଏନ୍ଜିଓମାନଙ୍କୁ ପ୍ରଦାନ କରୁଛନ୍ତି। ତେଣୁ ରାଜ୍ୟ ସରକାର ଏନ୍ଜିଓ ନୀତି ବନ୍ଦ କରି କେନ୍ଦ୍ରୀୟ ଅନୁଦାନକୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ କୃଷକ ସାଥୀଙ୍କ ଜରିଆରେ ଖର୍ଚ କରନ୍ତୁ। ଏହାସହ କୃଷକ ସାଥୀଙ୍କୁ ମାସିକ ସର୍ବନିମ୍ନ ୧୮ହଜାର ଟଙ୍କା ପାରିଶ୍ରମିକ ଓ ସ୍ଥାୟୀ ନିଯୁକ୍ତି ଦିଅଯାଉ। କୃଷକ ସାଥୀଙ୍କ ସାମାଜିକ ସୁରକ୍ଷା, ପ୍ରୋଭିଡେଣ୍ଟ ଫଣ୍ଡ, ପେନସନ ଓ ଇଏସ୍ଆଇ ଯୋଗାଇ ଦିଆଯିବାକୁ ସଂଘ ପକ୍ଷରୁ ଦାବି ହୋଇଛି। ସାମ୍ବାଦିକ ସମ୍ମିଳନୀରେ କୃଷ୍ଣଚନ୍ଦ୍ର ପରିଡ଼ା, ଜିତେନ୍ଦ୍ର ସାହୁ, ଗୌତମ ଦାସ ଓ ଶ୍ରୀନିବାସ ଛୋଟରାୟ ଓ ରତିରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।