‘କୃଷି ଓଡ଼ିଶା’: ଚମତ୍କାର ସାଜସଜ୍ଜା, ୧୮୦ଟି ପ୍ରଦର୍ଶନୀ ମଣ୍ଡପ

‘କୃଷି ଓଡ଼ିଶା’ରେ ଚାଷ ସଂକ୍ରାନ୍ତୀୟ ୧୮୦ଟି ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି। ଏଥିରେ ଅତ୍ୟାବଶ୍ୟକ ଆଧୁନିକ କୃଷି ପ୍ରଦର୍ଶନୀ, କୃଷି, ମତ୍ସ୍ୟ ଚାଷ, ପ୍ରାଣୀସମ୍ପଦ ବିଭାଗ, ଉଦ୍ୟାନ କୃଷି ସହ ଅନେକ ଘରୋଇ କୃଷି ଯନ୍ତ୍ରପାତି, ଜଳସେଚନ ପ୍ରଣାଳୀ ତଥା ଅନ୍ୟାନ୍ୟ କୃଷି ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗୀମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିଛନ୍ତି। ପାରମ୍ପରିକ ପଦ୍ଧତ୍ତିରେ ଚାଷ ପ୍ରଣାଳୀ, ଗୋପାଳନ, ଜଳସେଚନ ପ୍ରଣାଳୀ, ଯନ୍ତ୍ରପାତି ବ୍ୟବହାର କରି ଚାଷ ଇତ୍ୟାଦି ଚମତ୍କାର ଭାବେ ଏଠାରେ ପ୍ରଦର୍ଶନ କରାଯାଇଛି। ବିଭିନ୍ନ କମ୍ପାନି ପକ୍ଷରୁ କୃଷି ଯନ୍ତ୍ରପାତିର ପ୍ରଦର୍ଶନ କରାଯାଇ ସେସବୁର ବଜାର ଦର ଓ ସରକାରୀ ରିହାତି ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି।

ପ୍ରତିଦିନ ଆଲୋଚନାଚକ୍ର
୫ ଦିନିଆ ମହୋତ୍ସବରେ ଦିନତମାମ ଚାଷ ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଏଥିରେ ଖ୍ୟାତିସମ୍ପନ୍ନ ବିଶେଷଜ୍ଞମାନେ ଯୋଗ ଦେବେ। କୃଷକମାନେ ମଧ୍ୟ ସିଧାସଳଖ ସେମାନଙ୍କ ସହ ମତବିନିମୟ କରିପାରିବେ। ଚାଷୀଙ୍କ ଆୟକୁ ବହୁଗୁଣିତ କରିବା, କୃଷି ଉଦ୍ୟୋଗୀକରଣ, ଜୈବିକ କୃଷି, ସାମୁଦ୍ରିକ ଓ ମଧୁର ଜଳ ମାଛର ପ୍ରକ୍ରିୟାକରଣ, ଶିତଳୀକରଣ ଓ ଗୋଦାମ ଗୃହ, କୃଷି କ୍ଷେତ୍ରରେ ଦକ୍ଷତା ବୃଦ୍ଧି, ମସଲା ଓ ସୁଗନ୍ଧ ଜାତୀୟ ଦ୍ରବ୍ୟର ବଜାର ସଂଯୋଗୀକରଣ ଓ କୃଷି କ୍ଷେତ୍ରରେ ମହିଳାଙ୍କ ଭୂମିକା ଆଦି ବିଷୟ ଉପରେ ଆଲୋଚନା ହେବ। ବାହାର ରାଜ୍ୟର କିଛି ଅଗ୍ରଣୀ ଚାଷୀ ମଧ୍ୟ ସେମାନଙ୍କ ଉପଲବ୍ଧ ଜ୍ଞାନକୁ ଏଠାକାର ଚାଷୀଙ୍କୁ ଜଣାଇବାର ବନ୍ଦୋବସ୍ତ କରାଯାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ୧୨୦ ଜଣ କୃତୀ ଚାଷୀ/ମହିଳା ଚାଷୀଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି।

ଚମତ୍କାର ସାଜସଜ୍ଜା
‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆ ପରିସରକୁ ଚମତ୍କାର ଭାବେ ସଜାଯାଇଛି। ପ୍ରତିଦିନ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବଡ଼ ମଞ୍ଚ କରାଯାଇଛି। ଏହା ବାଦ୍ ମତ ବିନିମିୟ ଓ ଛୋଟ ଆ‌େଲାଚନା ପାଇଁ ସମ୍ମିଳନୀ କକ୍ଷ ନିର୍ମାଣ କରାଯାଇଛି। ପ୍ରଦର୍ଶନୀ ମଣ୍ଡପଗୁଡ଼ିକ ମଧ୍ୟ ଆକର୍ଷଣୀୟ ହୋଇଛି। କିଛି ସ୍ଥାନରେ ଛୋଟ ଛୋଟ ଚାଳ ଛପର ଘର ନିର୍ମାଣ କରାଯାଇ କାର୍ଯ୍ୟକ୍ରମ ସ୍ଥଳୀର ଶୋଭାକୁ ଦ୍ବିଗୁଣିତ କରାଯାଇଛି। ଚାଷୀମାନେ ଯେପରି ବୁଲାବୁଲି କରି ଆନନ୍ଦ ପାଇବା ସହ ଜ୍ଞାନ ଆହରଣ କରିପାରିବେ, ସେ ଦିଗରେ ସମସ୍ତ ବନ୍ଦୋବସ୍ତ କରାଯାଇଛି। ପ୍ରତ୍ୟେକ ଜିଲ୍ଲାରୁ ଚାଷୀମାନେ ଶିକ୍ଷାମୂଳକ ପରିଭ୍ରମଣ କାର୍ଯ୍ୟକ୍ରମରେ ଏଠାକୁ ଆସିବାର ବ୍ୟବସ୍ଥା କରାଯାଇଛି। ଆଜି ପ୍ରଥମ ଦିନରେ ପ୍ରବଳ ଗହଳି‌ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର