ରାଜ୍ୟରେ ଖୋଲିବ ୬ କୃଷି ବୈଷୟିକ ବିଦ୍ୟାଳୟ

ସରିଲା ‘କୃଷି ଓଡ଼ିଶା’

ଓୟୁଏଟିରେ ଖୋଲିବ ବିହନ ବିକ୍ରୟ କେନ୍ଦ୍ର

ଭୁବନେଶ୍ୱର : ଆଧୁନିକ ଜ୍ଞାନକୌଶଳ ସମ୍ପନ୍ନ ଚାଷ ପ୍ରଣାଳୀରେ ଯୁବକମାନଙ୍କୁ ସିଦ୍ଧହସ୍ତ କରାଯିବ। ଚାଷ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହ ଯୁବକମାନେ ଭଲ ରୋଜଗାର ପାଇବେ। ଏଇ ଉଦ୍ଦେଶ୍ୟ ସାକାର କରିବ ଫାର୍ମ ଟେକ୍ନୋଲୋଜି ସ୍କୁଲ୍‌ ତଥା କୃଷି ବୈଷୟିକ ବିଦ୍ୟାଳୟ। ଓୟୁଏଟି ପକ୍ଷରୁ ଏନେଇ ଖସଡ଼ା ପ୍ରସ୍ତୁତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ମୋହର ବାଜିବାକୁ ବାକି ରହିଛି ବୋଲି କହିଛନ୍ତି ଓୟୁଏଟିର କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ।

କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ବରମୁଣ୍ଡା ବିଜୁପଟ୍ଟନାୟକ ଖେଳ ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୃଷି ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେଇ କହିଲେ, ରାଜ୍ୟର ୬ଟି କେନ୍ଦ୍ରରେ ଏହି ସ୍କୁଲ୍‌ ପ୍ରତିଷ୍ଠା ହେବ। ଦକ୍ଷିଣରେ ୨ଟି, ପଶ୍ଚିମରେ ୨ଟି ଏବଂ ଉତ୍ତର ଓ ପୂର୍ବରେ ୨ଟି ସ୍କୁଲ୍‌ ସ୍ଥାପନ ହେବ। ପ୍ରତି ସ୍କୁଲ୍‌ରେ ୨୦୦ଟି ସିଟ୍‌ ରହିବ। ୩ରୁ ୬ ମାସିଆ ସାର୍ଟିଫିକେଟ୍‌ ପାଠ୍ୟକ୍ରମରେ ତାଲିମ୍‌ ଦିଆଯିବ। ଏହି ପ୍ରମାଣପତ୍ର ଦେଖାଇ ତାଲିମ୍‌ପ୍ରାପ୍ତ ଯୁବ ଚାଷୀମାନେ ବିନା ବନ୍ଧକରେ ଋଣ ନେଇପାରିବେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଖାଲି ସେତିକି ନୁହେଁ ଓୟୁଏଟି ପକ୍ଷରୁ ବହୁ ନୂଆ କିସମର ବିହନ ବାହାରୁଥିବାରୁ ‘ବିହନ ବିକ୍ରୟ କେନ୍ଦ୍ର’ ଚଳିତ ବର୍ଷ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି।

ବାଚସ୍ପତି ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସବୁ ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ର ରହିଛି। ବ୍ଲକ୍‌ରେ ମଧ୍ୟ କୃଷି ଅଧିକାରୀମାନେ ଅଛନ୍ତି। ତେଣୁ ଚାଷୀଭାଇମାନେ ଚାଷ କ୍ଷେତ୍ରରେ ଉନ୍ନତି ପାଇଁ ସେଇ କେନ୍ଦ୍ର ଓ ଅଧିକାରୀଙ୍କର ପରାମର୍ଶ ନେବା ଆବଶ୍ୟକ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ପ୍ରଦୀପ ମହାରଥୀ ଅଧ୍ୟକ୍ଷତା କରି କୃଷକଙ୍କ ପାଇଁ ଉପଯୋଗୀ ଯୋଜନା ସମ୍ପର୍କରେ କହିଥିଲେ। ଓଡ଼ିଶା ରାଜ୍ୟ ଖାଦ୍ୟ କମିସନ୍‌ର ଅଧ୍ୟକ୍ଷ ରଙ୍ଗଲାଲ ଜାମୁଦା କହିଥିଲେ, ପାଣିର ବ୍ୟାପକ ସୁବିଧା ନଥିଲେ ସେଠାରେ ଜବରଦସ୍ତ ଧାନ ଚାଷ ନକରି ମାଣ୍ଡିଆ ଭଳି ପରିବେଶ ଅନୁକୂଳ ଚାଷକୁ ଆପଣେଇବା ଉଚିତ। କୃଷି ଉତ୍ପାଦନ କମିସନର ଗଗନ ଧଳ ବକ୍ତବ୍ୟ ରଖିଥିଲେ। ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ସଚିବ ବିଶାଲ ଗଗନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉଦ୍ୟାନ କୃଷିର ନିର୍ଦେଶକ ସୁଧାଂଶୁ ମୋହନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ସିଆଇଆଇର କୃଷି ସମ୍ବନ୍ଧୀୟ ଏକ ପୁସ୍ତିକା ଲୋକାର୍ପିତ ହୋଇଥିଲା। ପରେ ଓଡ଼ିଶୀ ନୃତ୍ୟ ଓ ଭଜନ ଅନୁଷ୍ଠିତ ହୋଇଥିଲା। ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର