କୃଷି ଓଡ଼ିଶା-୨୦୧୯ର ଉଦ୍ୟାନ କୃଷି ଦିବସ

ଭୁବନେଶ୍ବର : ୩୮.୧୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା କରାଯାଇପାରିଛି। ଗତ ପାଞ୍ଚ ବର୍ଷ ଭିତରେ ୮ ଲକ୍ଷ ହେକ୍ଟର ଜମିକୁ ବିଭିନ୍ନ ପଦ୍ଧତିରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ଖୁବ୍‌ ଶୀଘ୍ର ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବା ଲକ୍ଷ୍ୟ ପୂରଣ କରାଯିବାକୁ ପଦକ୍ଷେପ ନିଆଯାଉଛି। ଏଥିସହିତ ପାରମ୍ପରିକ କୃଷି ପଦ୍ଧତିକୁ ଉନ୍ନୀତ କରି ଯାନ୍ତ୍ରିକ କୃଷି ପଦ୍ଧତିକୁ ପ୍ରାଧାନ୍ୟ ଦିଆଯାଉଛି। ଫଳରେ ଓଡ଼ିଶା ଏବେ ଦେଶର ଚାଉଳ ରପ୍ତାନୀ କରୁଥିବା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିଛି। ସ୍ବତନ୍ତ୍ର କୃଷି ବଜେଟ୍‌, ସ୍ବତନ୍ତ୍ର କୃଷି କ୍ୟାବିନେଟ୍‌ ଫଳରେ ଅତ୍ୟାଧୁନିକ କୃଷି ପ୍ରଣାଳୀକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚା ଯାଇପାରୁଛି। ସେଥିପାଇଁ କୃଷି କ୍ଷେତ୍ରରେ ଓଡ଼ିଶାର ଏଭଳି ଅଭିବୃଦ୍ଧିକୁ ଲକ୍ଷ୍ୟ କରି ବିଶ୍ବବ୍ୟାଙ୍କଠାରୁ ଆରମ୍ଭ କରି ଅର୍ଥ କମିସନଙ୍କ ପର୍ଯ୍ୟନ୍ତ ସମସ୍ତେ ଓଡ଼ିଶାର କୃଷିନୀତିକୁ ପ୍ରଶଂସା କରିଛନ୍ତି। ସେହିଭଳି ଗରିବ ଓ ଭାଗଚାଷୀମାନଙ୍କ ପାଇଁ ଆଜିର କାଳିଆ ଯୋଜନାକୁ ମଧ୍ୟ ଦେଶରେ ପ୍ରଶଂସା ମିଳୁଛି।

ଆଜି ଓଡ଼ିଶା କୃଷି ୨୦୧୯ ସମାରୋହର ତୃତୀୟ ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟ ଜଳସମ୍ପଦ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ ଏହା କହିଛନ୍ତି। କୃଷି ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ ଓଡ଼ିଶା କୃଷିରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଛି। ରାଜ୍ୟ ସରକାରଙ୍କ କୃଷି ନୀତି କୃଷକମାନଙ୍କୁ ଅଧିକରୁ ଅଧିକ ଉତ୍ସାହିତ କରୁଛି ଓ ସେଥିପାଇଁ ଓଡ଼ିଶା କୃଷି କ୍ଷେତ୍ରରେ ସ୍ବାବଲମ୍ବୀ ହେବାକୁ ଯାଉଛି। ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଲେ, ରାଜ୍ୟ ସରକାର ଜଳସେଚନ ପାଇଁ ୧୧ ହଜାର କୋଟି ଟଙ୍କାର ବଜେଟ୍‌ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ ହେକ୍ଟର ଜମିରେ ଜଳସେଚନ ପହଞ୍ଚିଛି ଓ ଖୁବ୍‌ ଶୀଘ୍ର ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ପ୍ରାରମ୍ଭରେ ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦେଶକ ହେମନ୍ତ ପଣ୍ଡା ସ୍ବାଗତ ଭାଷଣ ଓ ଶେଷରେ ପ୍ରାଣୀସମ୍ପଦ ବିଭାଗ ନିର୍ଦେଶକ ରତ୍ନାକର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଆଜି ଥିଲା ଉଦ୍ୟାନ କୃଷିର ଦିବସ। ତେଣୁ ଦିନ ତମାମ୍‌ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସଫଳ ଉଦ୍ୟାନ କୃଷକମାନଙ୍କୁ ବିଭିନ୍ନ ତାଲିମ୍ ଦିଆଯାଇଥିଲା ଓ କୃଷି ବୈଜ୍ଞାନିକମାନଙ୍କ ଦ୍ବାରା ସେମାନଙ୍କୁ ନୂତନ ଜ୍ଞାନ କୌଶଳ ବାବଦରେ ସୂଚନା ଦିଆଯାଇଥିଲା। ଏହି କୃଷକମାନଙ୍କ ମଧ୍ୟରେ ବହୁ ଚାଷୀ ଲେମ୍ବୁ, ଗୋଲାପଫୁଲ, ଲିଚୁ ଆଦି ଚାଷ କରୁଛନ୍ତି। ସେହିଭଳି ପନିପରିବା ଚାଷ‌ରେ ସଫଳତା ଅର୍ଜନ କରିଥିବା ମହିଳା ଚାଷୀ ଯାଜପୁର କୋରେଇର ରଶ୍ମିରେଖା ସାହୁ, ଟିଟିଲାଗଡ଼ାର ମଧୁସ୍ମିତା ସାହୁଙ୍କୁ ବେଶ୍ ପ୍ରଶଂସା କରାଯାଇଥିଲା। ସନ୍ଧ୍ୟାରେ ସେମାନଙ୍କୁ ପୁରସ୍କାର ବାବଦରେ ୧୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର